ମୁମ୍ବାଇ: ମହାରାଷ୍ଟ୍ରର ବିଡା ଜିଲ୍ଲାର ଏକ ମସଜିଦରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଇଦର ଗୋଟିଏ ଦିନ ପୂର୍ବରୁ ଏପରି ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ଯାହା ବର୍ତ୍ତମାନ ଖୁସିର ସମୟକୁ ଫିକା କରିଦେଇଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜିଲାଟିନ୍ ଷ୍ଟିକ ମାଧ୍ୟମରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ବିସ୍ଫୋରଣରେ ମସଜିଦ ଭିତରେ ସମସ୍ତ ଜିନିଷ ନଷ୍ଟ ହୋଇଯାଇଛି । ଏହି ଘଟଣାରେ କାହାର କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରାଯାଇଛି ।
ସୂଚନାନୁଯାୟୀ, ମହାରାଷ୍ଟ୍ରର ବିଡା ଜିଲ୍ଲାର ଅର୍ଧା ମସଲା ଗାଁରେ ରାତି ପ୍ରାୟ ୨.୩୦ ସମୟରେ ମସଜିଦରେ ବିସ୍ଫୋରଣ ଘଟିଥିଲା । ମସଜିଦର ପଛ ଦ୍ୱାରା ଦେଇ ଜିଲାଷ୍ଟିନ ଷ୍ଟିକ ଲଗାଇ ବିସ୍ଫୋରଣ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ ସୂଚନାକ୍ରମେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉପୁଜିଥିବା ବିଶୃଙ୍ଖଳାକୁ ଆୟତ୍ତ କରିଥିଲା । ଏହାର ସତ୍ୟତା ଜାଣିବା ପାଇଁ ଫରେନସିକ ଟିମକୁ ଖବର ଦିଆଯାଇଛି । ଯାହା ଦ୍ବାରା ସହଜରେ ପ୍ରମାଣ ସଂଗ୍ରହ କରାଯାଇପାରିବ । ଏହି ଅଗ୍ନିକାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ପୋଲିସ ଲୋକମାନଙ୍କୁ ଶାନ୍ତି ପ୍ରତିଷ୍ଠା ରକ୍ଷା କରିବା ପାଇଁ ଅନୁରୋଧ କରିଛି । କୌଣସି ଗୁଜବ ଖବର ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି । ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ମଧ୍ୟ ପୋଲିସ କହିଛି । ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି ପୋଲିସ ।