23.1 C
Bhubaneswar
Sunday, February 8, 2026
Homeଓଡିଶାସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ

ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ

ଭୁବନେଶ୍ୱର: ଦେଶର ଛାତ୍ରସମାଜକୁ ଭବିଷ୍ୟତର ନେତୃତ୍ବ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜୀବ ଗାନ୍ଧି ମତଦାନ ଅଧିକାରକୁ ୧୮ ବର୍ଷକୁ ଖସାଇଥିଲେ। କିନ୍ତୁ ୨୦୧୭-୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ତତ୍କାଳୀନ ସରକାର ବନ୍ଦ କରିଦେଲେ। ବର୍ତ୍ତମାନର ସରକାର ମଧ୍ୟ ନିର୍ବାଚନ କରିବା ଦିଗରେ ଉଦ୍ୟମ କରୁନାହାନ୍ତି। ଛାତ୍ର ନିର୍ବାଚନ ବନ୍ଦ କରିବା ଅର୍ଥ ହେଲି ରାଜନୈତିକ ଦଳମାନେ ଦେଶନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ସୋମବାର କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି, ଛାତ୍ର ଜୀବନରୁ ଯିଏ ରାଜନୀତି କରି ପରବର୍ତ୍ତୀ ସମୟରେ ନେତା ହୁଏ ସେ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀ। ଛାତ୍ର ରାଜନୀତି ସଂଘର୍ଷରେ କଷ୍ଟସହିଷ୍ଣୁତା, ଆତ୍ମବିଶ୍ୱାସ, ପାରସ୍ପରିକ ସହଯୋଗ, ସେବା ମନୋଭାବ, ଦେଶପ୍ରେମ, ଶୃଙ୍ଖଳା ଆଦି ମୂଲ୍ୟବାନ ଶିକ୍ଷା ଓ ଅଭିଜ୍ଞତା ହାସଲ ହୋଇଥାଏ। ଏଭଳି ଛାତ୍ର ଯେତେବେଳେ ରାଜନୀତିକୁ ଆସେ ସିଏ ଦେଶ ଆଉ ଦଶ ପାଇଁ ଚିନ୍ତାକରେ। ମୁଁ ୧୯୮୫ ମସିହା ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲି, ସେତେବେଳେ ୨୦୦୦ ସାଇକେଲରେ ଛାତ୍ର ଗାଁ ଗାଁ ବୁଲି ପ୍ରଚାର କରିଥିଲେ। ତେଣୁ ଅସମ୍ଭବ ବୋଲି କିଛି ନାହିଁ, କେବଳ ଗଭୀର ଆତ୍ମବିଶ୍ୱାସ ଦରକାର। ବିଜେଡି-ବିଜେପି ଛାତ୍ର ନିର୍ବାଚନରେ ଟଙ୍କାର ସୁଅ ବୁହାଉଛନ୍ତି, କିନ୍ତୁ ଆମେ ନିର୍ବାଚନରେ ବିଧାୟକ ପ୍ରାର୍ଥୀଙ୍କୁ ଅର୍ଥ ଦେଇପାରୁନୁ। ତେଣୁ ଯେଉଁ ଛାତ୍ରମାନେ ରାହୁଲ ଗାନ୍ଧୀଙ୍କ ବିଚାରଧାରା, କଂଗ୍ରେସର ସ୍ୱାଧୀନଚେତା ମନୋଭାବ, ଯେଉଁମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ଅନୁପ୍ରାଣିତ ହେଇଛନ୍ତି, ଯେଉଁମାନେ ଓଡିଶା ଏବଂ ନିଜ ଜିଲ୍ଲାର ଭାଗ୍ୟ ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଦେଶ କଂଗ୍ରେସ କମିଟି ସମସ୍ତ ପ୍ରକାର ସହଯୋଗ କରିବ। ସେଇ ଛାତ୍ରଗଣ ସ୍ଥାନୀୟ ଏନଏସୟୁ ଛାତ୍ର କର୍ମକର୍ତ୍ତାଙ୍କୁ ଭେଟିବା ପାଇଁ ଅନୁରୋଧ କରୁଛି। ଛାତ୍ର ସଂସଦ ନିର୍ବାଚନ ଅତିଶୀଘ୍ର ଘୋଷଣା କରି ଏକ ସୁସ୍ଥ ଶିକ୍ଷାନୁଷ୍ଠାନ ବାତାବରଣ ସହିତ ଭାଇଚାରାର ପୁନଃପ୍ରତିଷ୍ଠା କରୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବୀ କରୁଛି। ଛାତ୍ରଙ୍କୁ ନିବେଦନ, ନିର୍ବାଚନ ସଂଘର୍ଷ ଯେମିତି ଅହିଂସା ଉପାୟରେ ହେବ, ନିଜ କର୍ତ୍ତବ୍ୟ ଅନୁଯାଇ ସଂଗଠନ ମାଧ୍ୟମରେ ନିଜ ଭବିଷ୍ୟତ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ପିସିସିର ମୁଖ୍ୟ ମୁଖପାତ୍ର ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ, କଲେଜ ଓ ବିଶ୍ବବିଦ୍ୟାଳୟ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଅନ୍ତୁଡ଼ିଶାଳ। ଅତୀତରେ ସାରା ରାଜ୍ୟର ଛାତ୍ରସଂସଦ ନିର୍ବାଚନରୁ ବହୁତ ବଡ଼ବଡ଼ ନେତା ସୃଷ୍ଟି ହୋଇଛନ୍ତି, ଯେଉଁମାନେ କି ପରବର୍ତ୍ତୀ ସମୟରେ କେବଳ ରାଜନୀତି ନୁହେଁ, ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶର ନେତୃତ୍ବ ନେଇଛନ୍ତି। କେବଳ ରାଜନୀତିକୁ ଯଦି ଧରାଯାଏ, କଂଗ୍ରେସ ଦଳ‌ ଏକାଧିକ ପ୍ରତିଷ୍ଠିତ ରାଜନେତା ସୃଷ୍ଟି କରିଛି। ଜେ.ବି. ପଟ୍ଟନାୟକ ରାଭେନ୍ସା କଲେଜ ଛାତ୍ର ଥିବାବେଳେ ୟୁନିୟନ ଜ୍ୟାକ୍ ପତାକା ଓହ୍ଲେଇଦେଇଥିଲେ। ସ୍ବର୍ଗୀୟ ଶ୍ରୀବଲ୍ଲଭ ପାଣିଗ୍ରାହୀ ଜିଏମ୍‌ କଲେଜ ଛାତ୍ରସଂସଦର ସଭାପତି ଥିବାବେଳେ ନିରଂଜନ ପଟ୍ଟନାୟକ ସାଧାରଣ ସଂପାଦକ ହୋଇଥିଲେ। ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ ଓ ପ୍ରସାଦ ହରିଚନ୍ଦନ କ୍ୟାମ୍ପସ ରାଜନୀତିରୁ ଆସିଥିବା ବେଳେ, ପଞ୍ଚାନନ କାନୁନଗୋ, ସ୍ବର୍ଗୀୟ ଲୁଲୁ ମହାପାତ୍ର ମଧ୍ୟ ଛାତ୍ର ରାଜନୀତିରୁ ଆସିଥିଲେ। ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ମଧ୍ୟ ଅତୀତରେ ଛାତ୍ରନେତା ଥିଲେ। ଏବର ପିସିସି ସଭାପତି ଭକ୍ତ ଚରଣ ଦାସ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ ଛାତ୍ରସଂସଦ ସଭାପତି ନିର୍ବାଚିତ ହେବା ପରଠାରୁ ରାଜନୀତିରେ ପ୍ରତିଷ୍ଠିତ ହୋଇଥିଲେ। ଯୁବଛାତ୍ର ସଂଘର୍ଷ ବାହିନୀର ପ୍ରଥମେ ରାଜ୍ୟ ଓ ପରେ ସର୍ବଭାରତୀୟ ସଭାପତି ହେବା ସହ କଳାହାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରେ ବହୁ ଆନ୍ଦୋଳନ କରିଥିଲେ। ଦୁଇ ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ବ୍ରହ୍ମାନନ୍ଦ ପଣ୍ଡା ୧୯୬୯-୭୦ ଶିକ୍ଷାବର୍ଷରେ ରାଭେନ୍ସା କଲେଜରେ ପରସ୍ପର ବିରୋଧରେ ଲଢ଼ିବା, ଅଶୀ ଦଶକ ଶେଷରେ ଛାତ୍ରନେତା ଥିବାବେଳେ ବାଣୀବିହାର ନିର୍ବାଚନ‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଲଢ଼େଇ ଆଜି ମଧ୍ୟ ଓଡ଼ିଶା ଛାତ୍ର ରାଜନୀତିର ଚର୍ଚ୍ଚିତ ଅଧ୍ୟାୟ ଭାବେ ଗଣାଯାଏ। ବିଜେଡିରେ ଅରୁଣ ସାହୁଙ୍କ ବ୍ୟତୀତ ପ୍ରତାପ ଜେନା ଓ ରାଜା ସ୍ବାଇଁଙ୍କ ପରି ଅତୀତର ଅନେକ ଛାତ୍ରନେତା ଅଛନ୍ତି। ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କ ଛଡ଼ା, ସୁରେଶ ପୂଜାରୀ ଓ ମନମୋହନ ସାମଲଙ୍କ ପରି ଅତୀତର ଅନେକ ଛାତ୍ରନେତା ଅଛନ୍ତି। ଶିକ୍ଷାମନ୍ତ୍ରୀ କହିଥିଲେ, ଛାତ୍ରସଂସଦ ନିର୍ବାଚନ ବିଷୟରେ ଠିକଣା ସମୟରେ ନିଷ୍ପତ୍ତି ନେବୁ। ଗତବର୍ଷ ବି ତ ଠିକଣା ସମୟ ପାଇଥିଲେ, କିନ୍ତୁ କିଛି କଲେନି। ଦଶହରା ଛୁଟି ପୂର୍ବଦିନ ନିର୍ବାଚନ ହୁଏ, ସମୟ ପାଖେଇ ଆସିଲାଣି ବୋଲି ସେ ଚେତାଇ ଦେଇଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ବାଳ, ପିସିସି ମୁଖପାତ୍ର ଡ.ମନିଷା ଦାସପଟ୍ଟନାୟକ, ମୁଖପାତ୍ର ଅଶୋକ ସ୍ବାଇଁ, ମୁଖପାତ୍ର ଓ ଛାତ୍ରନେତା ବିଭୂତି ମହାପାତ୍ର ଓ ଛାତ୍ରନେତା ଆଦିତ୍ଯ ପ୍ରିତମ ଦାସ ପ୍ରମୁଖ ଉପସ୍ଥିତ ରହି ଶିଘ୍ର ଛାତ୍ରସଂସଦ ନିର୍ବାଚନ କରିବାକୁ ଦାବି କରିଥିଲେ। ଦିବଂଗତ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ପିସିସି ସଭାପତି ଶ୍ରୀ ଦାସଙ୍କ ଆହ୍ବାନ କ୍ରମେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking