17.1 C
Bhubaneswar
Tuesday, February 3, 2026
Homeଓଡିଶାଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଗୃହ ହୁଲ୍‌ସ୍ତୁଲ୍‌

ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଗୃହ ହୁଲ୍‌ସ୍ତୁଲ୍‌

– ଗୃହ ବାରମ୍ବର ମୁଲତବୀ, ବସିଲା ସର୍ବଦଳୀୟ ବୈଠକ
– ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି, କଂଗ୍ରେସ ସଭ୍ୟଙ୍କ ଧାରଣା
– ଘଟଣାକୁ ସରକାର ‘ନାପସନ୍ଦ’ କରିଛନ୍ତି : ମହାଲିଙ୍ଗ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ପବିତ୍ର ବିଧାନସଭାରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗୁରୁବାର ଗୃହ ଅଚଳ ହୋଇଥିଲା। ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ଏହାକୁ ତୀବ୍ର ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରି ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବାଚସ୍ପତି ସୁରମା ପାଢ଼ୀଙ୍କ ନିର୍ଦ୍ଦେଶରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାରଣା ସ୍ଥଳକୁ ଯାଇ ବିରୋଧୀଙ୍କୁ ବୁଝାସୁଝା କରିଥିଲେ। ପରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ସଭ୍ୟମାନେ ଗୃହକୁ ଆସିବା ପରେ ସଂସଦୀୟ ବ୍ୟପାର ମନ୍ତ୍ରୀ କହିଥିଲେ ‘ମହାତ୍ମା ଗାନ୍ଧୀଙ୍କୁ ମାନବ ସମାଜ ଗଭୀର ସମ୍ମାନ ଜଣାଇଥାଏ। ତାଙ୍କୁ ନେଇ ଗୃହରେ ଯେଉଁଭଳି ଅଭାବନୀୟ ଘଟଣା ଘଟିଲା, ତାହାକୁ ସରକାର ନାପସନ୍ଦ କରିଛନ୍ତି। ତେଣୁ ବିରୋଧୀ ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ।’ତେବେ ଗାନ୍ଧୀଙ୍କ ଉପରେ ବିଧାୟକ ଦେଇଥିବା ବିବାଦୀୟ ମନ୍ତବ୍ୟ କୌଣସି ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ।

ଗୁରୁବାର ପ୍ରଥମାର୍ଦ୍ଧରେ ଗୃହର ସ୍ଥିତି ସମାନ୍ୟ ଅସ୍ୱାଭାବିକ ଥିଲା। ମାତ୍ର ଅପରାହ୍ଣ ଅଧିବେଶନ କାଳରେ ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାବେଳେ ବିରୋଧୀ ଓ ଶାସକ ସଭ୍ୟ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହୋଇଥିଲେ। ବିରୋଧୀ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା, ବ୍ୟୋମକାଶ ରାୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଆଲୋଚନା ଆରମ୍ଭରୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପରେ କଂଗ୍ରେସ ସଭ୍ୟ ଅଶୋକ ଦାସ, ବିଜେଡି ସଭ୍ୟ ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ ପ୍ରମୁଖ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଅଭିଯୋଗ କରିଥିଲେ। ହେଲେ ଶାସକ ଦଳ ପକ୍ଷରୁ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଆକାଶ ଦାସ ନାୟକ ପ୍ରମୁଖ ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନାହିଁ ବୋଲି ମତ ଦେଇଥିଲେ। ମାତ୍ର ବିଜେପି ସଭ୍ୟ ସନ୍ତୋଷ ଖଟୁଆ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେବା ପରେ ଗୃହ ହୁଲ୍‌ସ୍ତୁଲ ହୋଇଥିଲା। ଏଭଳି ମନ୍ତବ୍ୟକୁ ତୀବ୍ର ପ୍ରତିବାଦ କରି ବିରୋଧୀ ସଭ୍ୟମାନେ ଗୃହ ମଝିରେ ନାରାବାଜି ସହ ହଟ୍ଟଗୋଳ କରିଥିଲେ। ତୁନି ହେବାକୁ ବାଚସ୍ପତି ଯେତେ ଅନୁରୋଧ କରିଥିଲେ ହେଁ ବିରୋଧୀ ଶାନ୍ତ ହୋଇନଥିଲେ। ଅନ୍ୟପକ୍ଷରେ ସେମାନେ ସମୂହ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଏସବୁ କଥା ବିରୋଧୀ ଦଳର ଉପନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିସ୍ତୃତ ଭାବେ ବଖାଣିବା ସହ ନିନ୍ଦନୀୟ ବୋଲି ଅବହିତ କରିଥିଲେ।

https://www.youtube.com/watch?v=C5Enfe1vcxQ&t=12s

ବାଚସ୍ପତି ସୁରମା ପାଢ଼ୀଙ୍କ ନିର୍ଦ୍ଦେଶରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାରଣା ସ୍ଥଳକୁ ଯାଇ ବିରୋଧୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଗୃହ ଭିତରକୁ ଆସିଥିଲେ। ମାତ୍ର ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହ ଆରମ୍ଭ ହେବା ପରେ ଏଭଳି ଅଭାବନୀୟ ଘଟଣାକୁ ସରକାର ‘ନାପସନ୍ଦ’ କରିଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିବୃତ୍ତି ରଖିଥିଲେ। ଏହା ପରେ ବିରୋଧୀ ସଭ୍ୟ ଗୃହାକୁ ପ୍ରବେଶ କରିଥିବାରୁ ଗୃହ ପୁଣି ସ୍ୱାଭାବିକ ହୋଇଥିଲା। ଶେଷରେ ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ଦେଇ ରାଜ୍ୟରେ ଆଇନ ଶୃଙ୍ଖଳା ସବୁ ଠିକଠାକ ରହିଛି ବୋଲି ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking