ଡେରାଡୁନ: ଉତ୍ତରାଖଣ୍ଡ ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣ। ଦେଖିଲେ ଛାତି ଥରିଉଠିବ। ପାର୍ଟି ସାରି ଫେରୁଥିବା ବେଳେ ଟ୍ରକ୍ ସହ ପିଟି ହେଲା କାର୍ । ତା’ ପରେ ସବୁ ଶେଷ । ଗତ ମଙ୍ଗଳବାର(ନଭେମ୍ବର ୧୨) ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ସୂଚନା ଅନୁସାରେ, ସିଦ୍ଧେଶ ଅଗରୱାଲ ତାଙ୍କ ସାଙ୍ଗମାନଙ୍କୁ ଜନ୍ମଦିନ ପାର୍ଟି ଦେଉଥିଲେ । ପାର୍ଟି ସାରି ୭ ଜଣ ଏକ ଟୋୟୋଟା ଇନୋଭା କାର୍ରେ ଫେରିଥିଲେ । ଡେରାଡୁନ୍ ରାସ୍ତାରେ କାର୍ଟି ଭାରାସାମ୍ୟ ହରାଇ ଏକ ଟ୍ରକ୍ ସହ ପିଟି ହୋଇଥିଲା ବୋଲି କୁହାଯାଉଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟୋୟୋଟା କାର୍ ଛାତ ଉଡ଼ି ଯାଇଥିଲା । କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଘଟଣାରେ ଗାଡ଼ିରେ ବସିଥିବା ଦୁଇ ଜଣଙ୍କର ମୁଣ୍ଡ କଟି ରାସ୍ତାରେ ପଡ଼ିଥିବା ବେଳେ ଆଉ କିଛି କାର୍ ଭିତରେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳର ଦୃଶ୍ୟ ଅତି ହୃଦୟ ବିଦାରକ ଥିଲା। ଦୁର୍ଘଟଣାରେ ମୃତକମାନେ ହେଲେ କୁନାଲ କୁକ୍ରେଜା (୨୩), ଅତୁଲ ଅଗ୍ରୱାଲ(୨୪), ଋଷଭ ଜୈନ(୨୪), ନାଭ୍ୟା ଗୋୟଲ(୨୩), କାମାକ୍ଷୀ(୨୦) ଓ ଗୁନୀତ(୧୯)। ହେଲେ ସିଦ୍ଧେଶ ଅଗ୍ରୱାଲଙ୍କ ଜୀବନ ରକ୍ଷା ପାଇଯାଇଥିବା ବେଳେ ବର୍ତ୍ତମାନ ସେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି “ଡେରାଡୁନ ଦୁର୍ଘଟଣାରେ ଛଅ ଜଣ ଯୁବକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖ ଦାୟକ । ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦେବା ସହ ସେମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।