25.1 C
Bhubaneswar
Sunday, April 5, 2026
Homeଓଡିଶା୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର :  ଓଡିଶାକୁ ଏକ ବିକଶିତ ରାଜ୍ୟ ତଥା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ସ୍ବପ୍ନ । ସେ ସର୍ବଦା ଗରିବ, ମହିଳା, ଯୁବ ବର୍ଗ ଓ କୃଷକ ଏହି ଚାରୋଟି ଶ୍ରେଣୀକୁ ଗୁରୁତ୍ଵ ଦେଇ ଆସୁଛନ୍ତି । କାରଣ ଏହି ଚାରି ବର୍ଗର ବିକାଶ ବିନା ରାଜ୍ୟ ତଥା ଦେଶର ଉନ୍ନତି ସମ୍ଭବ ନୁହେଁ । କୃଷିର ବିକାଶ ରେ ରାଜ୍ୟର ବିକାଶ । ଓଡିଶାର ପ୍ରାୟତଃ ତିନି ଚତୁର୍ଥାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ତେଣୁ ଜଳ ସଂରକ୍ଷଣ ତଥା ଅନିଶ୍ଚିତ ମୌସୁମୀ ପ୍ରଭାବରୁ କୃଷି କାର୍ଯ୍ୟକୁ ସୁରକ୍ଷ। ଦେବା ସହିତ ଜଳସମ୍ପଦର ବିକାଶ ଉପରେ ଅଧ‌ିକ ଗୁରୁତ୍ଵ ଦେବା ନିତାନ୍ତ ଆବଶ୍ୟକ । ଜନସଂଖ୍ୟା ବୃଦ୍ଧି ତଥା ଦ୍ରୁତ ସହରୀକରଣ ଯୋଗୁଁ ଜଳର ଆବଶ୍ୟକତା ବୃଦ୍ଧି ପାଉଛି, ଏଣୁ ଜଳ ସମ୍ପଦର ସୁପରିଚାଳନା ଓ ବିକାଶ କ୍ଷେତ୍ରରେ ସୁଚିନ୍ତିତ ରଣନୀତିର ମଧ୍ୟ ଆବଶ୍ୟକତା ରହିଛି ।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି କୁ ଆଖରେ ରଖ୍ ଆମ ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ଜଳ ନିରାପତ୍ତା ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଜଳ ସଂରକ୍ଷଣ ନୀତି, ବିସ୍ତୃତ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା, ମହାନଦୀର Rejuvenation ଓ Rule Curve ର ସମୀକ୍ଷା, ଜଳଭଣ୍ଡାର ଗୁଡିକର ପଟୁ ନିଷ୍କାସନ ତଥା ଆନ୍ତଃ ରାଜ୍ୟ ଜଳପଥ ବିକାଶ ପାଇଁ ଚାରି ଗୋଟି ବୈଷୟିକ କମିଟି ଗଠନ କରିଛନ୍ତି । ଉକ୍ତ କମିଟି ଗୁଡିକର ସୁପାରିଶ କୁ ଭିତ୍ତି କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ନୂତନ ଜଳସେଚନ କ୍ଷମତା ସୃଷ୍ଟି, ବନ୍ୟା ନିୟନ୍ତ୍ରଣ ଓ ଜଳ ନିକାସର ଉନ୍ନତିକରଣ, ଜଳ ସଂରକ୍ଷଣ, ଭୂତଳ ଜଳ ବିକାଶ, ଜଳସମ୍ପଦର ସୁପରିଚାଳନା ଓ ରକ୍ଷଣାବେକ୍ଷଣ, ସେଚାଞ୍ଚଳ କ୍ଷେତ୍ରର ବିକାଶ, ଜଳ ଆବଣ୍ଟନ ଆଦି ପ୍ରମୁଖ କାର୍ଯ୍ୟକୁ ଗୁରୁତ୍ଵ ଦେଇ ଚଳିତ ବର୍ଷ ଜଳସମ୍ପଦ ବିଭାଗର ବଜେଟ କୁ ଗତବର୍ଷ ତୁଳନାରେ ୨୩ % ବର୍ଦ୍ଧିତ କରି ୧୩୨୨୩ କୋଟି ୨୨ ଲକ୍ଷ ଟଙ୍କାରେ ଧାର୍ଯ୍ୟ କରା ଯାଇଛି । ନିର୍ବାଚନ ପ୍ରତିଶୃତି ଅନୁଯାୟୀ ଆମ ସରକାର ଆଗାମୀ ୫ ବର୍ଷରେ ରାଜ୍ୟର ଜଳସେଚନ ସୁବିଧାକୁ ବ୍ୟାପକ କରିବା ପାଇଁ ସଂକଳ୍ପବଦ୍ଧ । ମାନ୍ୟବର ସଦସ୍ୟ ମାନଙ୍କ ଅବଗତି ନିମନ୍ତେ ମୁଁ ଏଠାରେ କହି ରଖୁବାକୁ ଚାହେଁ ଯେ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧୃବ ଚରଣ ସାହୁ ମହୋଦୟଙ୍କ ତାରକା ପ୍ରଶ୍ନ ସଂଖ୍ୟା ୮୫ ଏବଂ ଗଣେଶ୍ବର ବେହେରା ମହୋଦୟଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା ୨୩୬ ରେ ରାଜ୍ୟରେ ଜଳସେଚନର ସ୍ଥିତି ସମ୍ପର୍କରେ ଉତ୍ତର ପ୍ରଦାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ମୁଁ ଗୃହକୁ ଅବଗତ କରାଇବାକୁ ଚାହେଁ ଯେ, ଆମ ସରକାର ପାଞ୍ଚ ବର୍ଷରେ ଅନ୍ୟୁନ ଦଶ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖ୍ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଉତ୍ସରୁ ଦୁଇ ଲକ୍ଷ ଅଠେଇଶି ହଜାର ଛଅ ଶହ ପଞ୍ଚାଅଶି (୨,୨୮,୬୮୫) ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବା ପାଇଁ ଯୋଜନା କରିଛନ୍ତି । ବୃହତ୍ତ ଓ ମଧ୍ୟମ ପ୍ରକଳ୍ପ ଦ୍ବାରା ୫୫,୪୨୦ ହେକ୍ଟର, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା ୧୯,୩୬୭ ହେକ୍ଟର, Megalift ପ୍ରକଳ୍ପ ଦ୍ବାରା ୩୧,୨୫୦ ହେକ୍ଟର ତଥା ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ୧,୨୨,୬୪୮ ହେକ୍ଟର ଚାଷଜମିକୁ ଜଳସେଚନ କରାଯିବ ।

ମୁଁ ଏଠାରେ ମାନ୍ୟବର ସଦସ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ କି, ଦୀର୍ଘ ୧୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କାନୁପୁର ଜଳସେଚନ ପ୍ରକଳ୍ପର ଡ୍ୟାମ ଏବଂ ସିଲୱେ ନିର୍ମାଣ କାର୍ଯ୍ୟକୁ ଆମ ସରକାର ଗୁରୁତ୍ବ ପ୍ରଦାନ ପୂର୍ବକ ଚଳିତ ବର୍ଷ ସମ୍ପୂର୍ଣ୍ଣ କରି କେଉଁଝର ବାସୀଙ୍କୁ ଉତ୍ସର୍ଗୀକୃତ କରିବାକୁ ଲକ୍ଷ୍ୟ ରଖୁଛନ୍ତି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅଧୀନରେ ଚଳିତ ବର୍ଷ ଅତିରିକ୍ତ ୮୦୦୦ ହେକ୍ଟର ଚାଷ ଜମି ପାଇଁ ଜଳଯୋଗାଣ ବ୍ୟବସ୍ଥା କରାଯାଉଛି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ମହୋଦୟଙ୍କ ତାରକା ପ୍ରଶ୍ନ ସଂଖ୍ୟା ୬୧ ଏବଂ ତଥା ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂ ଦେଓ ମହୋଦୟଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା ୧୮୨ ଦ୍ବାରା ବଲାଙ୍ଗୀର ଜିଲ୍ଲାର ଜଳସେଚନ ସ୍ଥିତି ତଥା ମାନ୍ୟବର ବିଧାୟକ  ଜଳସେଚନ ପ୍ରକଳ୍ପ ସମ୍ପର୍କ ରେ ଉତ୍ତର ପ୍ରଦାନ କରଯାଇଥିଲା । ଦୀର୍ଘ ୨୦ ବର୍ଷ ତଳର ପ୍ରସ୍ତାବିତ ନୟାଗଡ ଜିଲ୍ଲାର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରୀ (Statutory Clearance) ହୋଇ ପାରିନଥିବାରୁ ଆଜି ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇ ପାରିନଥିଲା । ଆମ ସରକାର କ୍ଷମତାକୁ ଆସିବାର ଅଳ୍ପ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ପ୍ରତିବନ୍ଧକ (Forest Stage-2 & Environmental Clearance) ଗୁଡିକୁ ଦୂର କରି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ।

ଏଠାରେ ଉପସ୍ଥିତ ମାନ୍ୟବର ସଦସ୍ୟ ମାନଙ୍କୁ ମୁଁ ଜଣାଇବାକୁ ଚାହେଁ ଯେ, ହୀରାକୁଦ ସେଚାଞ୍ଚଳ ଷାଠିଏ ବର୍ଷ ପୂର୍ବେ ସୃଷ୍ଟି କରାଯାଇଥିଲା, ଯାହାର ଡିଷ୍ଟ୍ରିବ୍ୟୁଟାରୀ, ମାଇନର, ସବ ମାଇନର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଥିବାରୁ ତଳ ମୁଣ୍ଡର ଚାଷୀ ମାନଙ୍କୁ ଆବଶ୍ୟକ ପରିମାଣର ଜଳ ଉପଲବ୍ଧ ହୋଇ ପାରୁନାହିଁ । କୃଷକ ମାନଙ୍କର ଦୀର୍ଘ ଦିନର ଦାବି କୁ ବିଚାରକୁ ନେଇ, ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଦ୍ବାରା ଚାଷ ଜମିକୁ ଜଳର ସୁଷମ ଓ ସୁନିଶ୍ଚିତ ଆବଣ୍ଟନ କରିବା ନିମନ୍ତେ ରାଜ୍ୟ ସରକାର “ହୀରାକୁଦ ଡ୍ୟାମ ପ୍ରକଳ୍ପର କେନାଲ ପଦ୍ଧତିର ନବୀକରଣ” (Renovation of Canal System of Hirakud Dam Project) ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏହି ଯୋଜନା ମାଧ୍ୟମରେ ହୀରାକୁଦ ସେଚାଞ୍ଚଳର ଡିଷ୍ଟ୍ରିବ୍ୟୁଟାରୀ, ମାଇନର, ସବ ମାଇନର ରୁ ନିର୍ଗତ କ୍ଷେତ୍ରନାଳୀ ଗୁଡିକର ନବୀକରଣ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି । ଆଗାମୀ ୪ ବର୍ଷ ଯଥା ୨୦୨୪-୨୫ ରୁ ୨୦୨୭-୨୮ ମଧ୍ୟରେ ୮୫୫ କୋଟି ଟଙ୍କା ବ୍ୟୟବରାଦରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି । ଉକ୍ତ ଯୋଜନା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର କୃଷକ ମାନେ ଉପକୃତ ହେବେ । ମୁଁ ଏଠି ଉଲ୍ଲେଖ କରିବାକୁ ଚାହୁଁଛି ଯେ, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବନ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦେଇ ଚଳିତ ବର୍ଷ ବଜେଟରେ ୭୧୦ କୋଟି ୫୦ ଲକ୍ଷ ଟଙ୍କାର ପ୍ରାବଧାନ କରିଛନ୍ତି ଯେଉଁଥ‌ିରେ ନଦୀ ବନ୍ଧର ରକ୍ଷଣାବେକ୍ଷଣ ତଥା ଲୁଣା ବନ୍ଧକୁ ସୁଦୃଢୀକରଣ ପାଇଁ ବ୍ୟବସ୍ଥା ରହିଛି ।

ଏତଦବ୍ୟତୀତ, ଜଳ ନିଷ୍କାସନ ଜନିତ ସମସ୍ୟା ହ୍ରାସ କରିବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରାକୃତିକ ନାଳର ନବୀକରଣ କରିବା ନିମନ୍ତେ ରାଜ୍ୟ ସରକାର “Drainage Improvement Programme” ଯୋଜନାରେ ଚଳିତ ବର୍ଷ ୩୪୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ ମହୋଦୟଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା ୧୬୮ ରେ ମହାନଦୀ ତ୍ରିକୋଣଭୂମୀ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ସମ୍ପର୍କ ରେ ଉତ୍ତର ପ୍ରଦାନ କରାଯାଇଥିଲା ।

ସେହିପରି ପ୍ରତିକୂଳ ଜଳବାୟୁର କୁପ୍ରଭାବ ଜନିତ ବାତ୍ୟା ଦାଉରୁ ଧନ, ଜୀବନକୁ ରକ୍ଷା କରିବା ପାଇଁ ଜଳବାୟୁ ଅନୁକୂଳ ଭିଭିଭୂମିକୁ ଗୁରୁତ୍ଵ ଦେଇ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲା ଅନ୍ତର୍ଗତ ଲୁଣା ବନ୍ଧକୁ ସୁଦୃଢୀକରଣ କରିବା ପାଇଁ “ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧକ ଲୁଣା ବନ୍ଧ ପ୍ରକଳ୍ପ” (Mukhyamantri Disaster Resilient Saline Embankment Project) ରେ ଚଳିତ ବର୍ଷ ୨୯୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଜଳବାୟୁ ଅନୁକୂଳ କୃଷି ପାଇଁ Odisha Integrated Irrigation Project for Climate Resilient Agriculture (OIIPCRA) ପ୍ରକଳ୍ପ ଦ୍ବାରା କୃଷି ଉତ୍ପାଦନକୁ ବିବିଧ ଓ ଉନ୍ନତ ତଥା ଜଳବାୟୁ ସହନଶୀଳ କୃଷି ଅଭ୍ୟାସ ବିକଶିତ କରି ଜଳ ଉତ୍ପାଦିକା ବୃଦ୍ଧି ଏବଂ ଭରସାଯୋଗୀ ଜଳସେଚନ ଦ୍ବାରା କୃଷକ ମାନଙ୍କ କ୍ଷମତା ଓ ଆୟ ବୃଦ୍ଧି କରିବା ପାଇଁ ଜଳସମ୍ପଦ, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ପରି ୩ ଗୋଟି ପ୍ରମୁଖ ବିଭାଗ ଦ୍ବାରା ଏହି ପ୍ରକଳ୍ପର କାର୍ଯ୍ୟନ୍ଵୟନ ହେଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୩୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି ।

ଆମ ସରକାର ଜଳ ସଂରକ୍ଷଣ କୁ ପ୍ରାଧାନ୍ୟ ଦେଇଛନ୍ତି । ପରିବେଶ ସନ୍ତୁଳନରକ୍ଷା ନିମିତ୍ତ, ଭୂପୃଷ୍ଠ ଜଳର ସଂରକ୍ଷଣ ଏବଂ ଭୂତଳ ଜଳର ପୁନଃଭରଣ ନିତାନ୍ତ ଅପରିହାର୍ଯ୍ୟ । ମାନ୍ୟବର ସଦସ୍ୟ ମାନଙ୍କ ଅବଗତି ନିମନ୍ତେ ମୁଁ ଜଣାଇବାକୁ ଚାହେଁ ଯେ ବିନା ବିସ୍ଥାପନ ରେ ସୀମିତ ନଦୀଗର୍ଭ ରେ ବୃହତ ଜଳାଶୟ ସୃଷ୍ଟି କରାଯାଇ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ‘ଅନ୍ତଃ ନଦୀ ଜଳାଶୟ (In-stream Storage Structure, ISS)” ଯୋଜନା କରାଯାଉଛି । ଏହି ଯୋଜନାରେ ନିର୍ମାଣଧୀନ ଥ‌ିବା ଅଠେଇଶି (୨୮) ଗୋଟି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଆଉ ୪୩ ଗୋଟି ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୮୧୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ପାନୀୟ ଜଳ, ଭୂତଳ ଜଳ ପୁନଃଭରଣ ଏବଂ ଆନୁସଙ୍ଗିକ ଜଳସେଚନ ଉଦ୍ଦେଶ୍ୟରେ ମୌସୁମୀ ଶେଷରେ ଜଳ ସଂରକ୍ଷଣ ପାଇଁ ଛୋଟ ଛୋଟ ଝରଣା ଏବଂ ନାଳରେ ଆଡିବନ୍ଧ (ଚେକ୍ ଡ୍ୟାମ) ନିର୍ମାଣ କରିବା ଉଦ୍ଦେଶ୍ୟରେ “ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା” (Mukhyamantri Aadibandhu Tiari Yojana) କାର୍ଯ୍ୟକାରୀ କରାଯାଇ ଚଳିତ ବର୍ଷ ୬୮୦ ଗୋଟି ଚେକ୍ ଡ୍ୟାମ ସମ୍ପୂର୍ଣ୍ଣ କରିବା ନିମନ୍ତେ ବଜେଟରେ ୩୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କଡାମ ଅମଳ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି Artificial Recharge to Underground Aquifers (ARUA) ଯୋଜନାକୁ କାର୍ଯ୍ୟକାରୀ କରାଯାଇ ୬ ଗୋଟି Semi Critical ଓ ୨୬ ଗୋଟି Approaching Semi Critical ବ୍ଲକରେ ଅଧୀନରେ ୨,୪୦୦ ଟ୍ୟାଙ୍କରେ ଭୂତଳ ଜଳ ରିଚାର୍ଜ Shaft ସ୍ଥାପନ କରାଯିବ ଏବଂ ଏଥ‌ିପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବିପଦଗ୍ରସ୍ତ ପୁରୁଣା ଡ୍ୟାମଗୁଡ଼ିକର ନିରନ୍ତର ତଦାରଖ ଏବଂ ରକ୍ଷଣାବେକ୍ଷଣ ପାଇଁ “ଡ୍ୟାମ ସୁରକ୍ଷା ଏବଂ ଉନ୍ନତି କାର୍ଯ୍ୟ (Dam Protection & Improvement Work)” ଯୋଜନାକୁ ଆର୍ଥିକ ବର୍ଷ ୨୦୨୪-୨୫ ରୁ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥ୍ ନିମନ୍ତେ ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ଦ୍ବାରା ୯୪ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ୧୧ ଟି ବୃହତ ଏବଂ ମଧ୍ୟମ ଡ୍ୟାମ ତଥା ୧୦୫ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ରେ ୮୧ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ। ମାନ୍ୟବର ସଦସ୍ୟ ଗଣଙ୍କ ଗୋଚରାର୍ଥେ ମୁଁ ଏଠାରେ ଜଣାଇବାକୁ ଚାହେଁ ଯେ, ଓଡ଼ିଶାରେ ଥ‌ିବା ପର୍ଯ୍ୟଟନର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖ୍ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଚଳିତ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାର ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେଇଛନ୍ତି । ମୁଁ ଏଠାରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଯେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଗୁଜୁରାଟର ସାବରମତୀ River Front ର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରା ଯାଇଛି । ସେହିପରି ଆମ ସରକାର Mahanadi River_Front Development କରିବା ନିମନ୍ତେ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛନ୍ତି ଯେଉଁଥରେ କଟକ ଓ ସମ୍ବଲପୁର ସହରସ୍ଥ ମହାନଦୀ ତଟର ଉନ୍ନତିକରଣ ଓ ବିକାଶ କରାଯିବା ପାଇଁ ଚଳିତ ବର୍ଷ ବଜେଟରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି । ଏତଦବ୍ୟତୀତ ଜଳଭଣ୍ଡାରର ପାରିପାର୍ଶ୍ବକ ବିକାଶ ପାଇଁ ମଧ୍ୟ ୨୪ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।

ଢିପ ଜମିର କୃଷକ ମାନେ କୃଷି ନିମନ୍ତେ ସାଧାରଣତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ଏହି ଜମିକୁ ନିକଟସ୍ଥ ନଦୀ ଓ ଜଳାଶୟରୁ ଜଳ ଉତ୍ତୋଳନ କରି ଖରିଫ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ “Parbatigiri Megalift Irrigation Project” ଆରମ୍ଭ କରା ଯାଇଛି । ଏହି ଯୋଜନରେ ବର୍ତ୍ତମାନ ୭୭ ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି, ୫୦ ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ତଥା ୪୬ ଟି ପ୍ରକଳ୍ପ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏଥ୍ ନିମନ୍ତେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ ୧୧୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜଳସେଚନ ବ୍ୟବସ୍ଥାରେ ଜଳର ସଦୁପଯୋଗ, ସୁଷମ ଆବଣ୍ଟନକୁ  ପ୍ରାଥମିକତା ଦେବା ସହିତ ସେଚାଞ୍ଚଳର ଶେଷ ଭାଗରେ ପର୍ଯ୍ୟାପ୍ତ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି ।

କେନାଲ ଲାଇନିଂ ମାଧ୍ୟମରେ ଜଳ ପରିବହନ କ୍ଷତିକୁ ହ୍ରାସ କରିବା ପାଇଁ “ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା” ନିମିତ୍ତ ୨୦୨୪-୨୫ ଆର୍ଥିକ ବର୍ଷରେ ୩୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି । ସେହିପରି ଜଳ ପରିବହନ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ସେଚ ସାମର୍ଥ୍ୟର ପୁନଃରୁଦ୍ଧାର ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ “ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା” ଅଧୀନରେ ୨୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି । ପ୍ରତି ବୁନ୍ଦା ଜଳ ପିଛା ଅଧ୍ବକ ଫସଲ ଉତ୍ପାଦନ ପାଇଁ “ସେଚାଞ୍ଚଳ ଉନ୍ନୟନ ତଥା ଜଳ ପରିଚାଳନା” (Command Area Development and Water Management) କାର୍ଯ୍ୟକଳାପ ଉପରେ ଗୁରୁତ୍ଵ ଦେଇ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୮ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କଋଛନ୍ତି । ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କର ମୂଳମନ୍ତ୍ର “ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସ” କୁ ଆଧାର କରି ଅନ୍ତର୍ଭୁକ୍ତିକରଣକୁ ପ୍ରାଧାନ୍ୟ ଦେବା ଆମ ବିକାଶର ଆଭିମୁଖ୍ୟ । ସେଥ‌ିପାଇଁ ରାଜ୍ୟର ଜଳସେଚନ ବ୍ୟବସ୍ଥାର ମରାମତି, ରକ୍ଷଣାବେକ୍ଷଣ ଓ ସୁପରିଚାଳନା କରିବା, ଜଳର ସୁଷମ ଆବଣ୍ଟନ ଦ୍ବାରା ସେଚାଞ୍ଚଳର ତଳମୁଣ୍ଡକୁ ଜଳସେଚନ ସୁନିଶ୍ଚିତ କରିବା ତଥା ଜଳବଣ୍ଟନ ଜନିତ ବିବାଦର ଆପୋଷ ସମାଧାନ କରିବା ନିମନ୍ତେ ରାଜ୍ୟରେ ୪୧,୧୫୪ ଟି ପାଣି ପଞ୍ଚାୟତ ଗଠନ ହୋଇଅଛି । ସେଥିମଧ୍ୟରୁ ଏବେ ସୁଦ୍ଧା ୩୯,୨୩୦ ଟି ପାଣି ପଞ୍ଚାୟତର ପୁନଃ ନିର୍ବାଚନ କରାଯାଇ ଏହାକୁ କାର୍ଯ୍ୟରତ କରାଯାଇଛି । ଅବଶିଷ୍ଟ ପାଣି ପଞ୍ଚାୟତ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ତ୍ଵରିତ ପଦକ୍ଷେପ ନିଆ ଯାଉଛି ।

ଏତଦବ୍ୟତୀତ ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ଲୋକପ୍ରିୟତାକୁ ଆଗ୍‌ରେ ରଖ୍ ଓଡ଼ିଶା ଉଠା ଜଳସେଚନ ନିଗମ ମାଧ୍ୟମରେ ଗଭୀର ନଳକୂପ (Deep-Borewell) ନିର୍ମାଣ, ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ (Community Lift Irrigation Projects), ପୁରୁଣା କାର୍ଯ୍ୟକ୍ଷମ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ସହିତ ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡିକର ପୁନଃରୁଦ୍ଧାର କରିବା ନିମନ୍ତେ ଏହି ବର୍ଷ ବଜେଟ ରେ ୧୨୯୪ କୋଟି ଟଙ୍କା ରଖା ଯାଇଛି । ମୁଁ ଏଠାରେ କହି ରଖୁବାକୁ ଚାହେଁ ଯେ ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ପୁରୁଣା କାର୍ଯ୍ୟକ୍ଷମ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ସହିତ ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡିକର  ପୁନଃରୁଦ୍ଧାର ଯୋଜନା କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ୧୦୮୪ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟରେ ଜଳ ସମ୍ପଦର ବିକାଶଧାରା କୁ ତ୍ବରାନ୍ବିତ କରିବା ପାଇଁ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (Rural Infrastructure Development Fund) ଅନୁଦାନରେ ମଧ୍ୟ କେନାଲ ଲାଇନିଂ, ଅନ୍ତଃନଦୀ ଜଳାଶୟ ନିର୍ମାଣ, ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ, ତଥା ମେଗା ଉଠା ଜଳସେଚନ, ଗୋଷ୍ଠୀ ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିମନ୍ତେ ଏହି ଆର୍ଥିକ ବର୍ଷରେ ମୋଟ ୧୪୯୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।

ନୂତନ ପ୍ରଯୁକ୍ତି ବିଦ୍ୟା ର ଉପଯୋଗ କୁ ଆମ ସରକାର ସର୍ବଦା ଗୁରୁତ୍ଵ ଦେଇ ଆସିଛନ୍ତି । ମୁଁ ଏଠି ଜଣାଇ ଦେବାକୁ ଚାହେଁ ଯେ ରାଜ୍ୟର ବିଭିନ୍ନ ଡ୍ୟାମ୍/ବ୍ୟାରେଜ୍/ଅନ୍ତଃନଦୀ ଜଳାଶୟର ଫାଟକଗୁଡ଼ିକର ପରିଚାଳନାକୁ ସୁଗମ କରିବା ସହିତ ନିର୍ଦ୍ଧାରିତ ସମୟରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରିବା ନିମନ୍ତେ ସରକାର “ଫାଟକ ସ୍ବୟଂଚାଳନ ଯୋଜନା” (Automation of Gates) ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ ଆଗାମୀ ୪ ବର୍ଷ ମଧ୍ୟରେ ୧୪ ଟି ଡ୍ୟାମର ୭୬ ଟି ଫାଟକ, ୧୦ ଟି ବ୍ୟାରେଜର ୧୫୩ ଟି ଫାଟକ ତଥା ୨୭ ଟି ଅନ୍ତଃନଦୀ ଜଳାଶୟର ୩୪୪ ଟି ଫାଟକ ସ୍ବୟଂଚାଳିତ କରିବା ଉଦ୍ଦେଶ୍ୟରେ ୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଆମ ରାଜ୍ୟର ମହାନଦୀ, ବଂଶଧାରା ଜଳ ବିବାଦ ଓ ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡ଼ିଶାର ଜଳମଗ୍ନ ଅଂଶ ପାଇଁ ଚାଲିଥ‌ିବା ବିବାଦରେ ଗୃହର ସଚେତନ ସଦସ୍ୟ ମାନଙ୍କର ଉଦବେଗ ସହ ସମ୍ପୂର୍ଣ୍ଣ ସହମତ । ଏହି ବିବାଦ ଗୁଡିକ ମାନ୍ୟବର Tribunal ଏବଂ Supreme Court ରେ ବିଚାରାଧ୍ଵ ଥିବାରୁ ଏହି ସମ୍ପର୍କରେ ପବିତ୍ର ଗୃହରେ ବିଷଦ ବିବରଣୀ ଦେବା ପାଇଁ ମୁଁ ଉଚିତ ମନେ କରୁନାହିଁ । କିନ୍ତୁ ରାଜ୍ୟର ବୃହତ୍ତର ସ୍ବାର୍ଥ ରକ୍ଷା ନିମନ୍ତେ ଆମ ସରକାର  ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

କୃଷକ ମାନଙ୍କର ଉନ୍ନତି ବିନା ରାଜ୍ୟର ବିକାଶ ସମ୍ଭବ ନୁହେଁ । ତେଣୁ ଜଳସମ୍ପଦ ତଥା କୃଷି ଓ କୃଷକ ମାନଙ୍କର ଉନ୍ନତି ଦ୍ବାରା ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ସହ “ବିକଶିତ ଓଡ଼ିଶା, ବିକଶିତ ଭାରତ” ର ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଉପସ୍ଥାପିତ ବ୍ୟୟ ବରାଦ ପ୍ରସ୍ତାବଟିକୁ ସ୍ବୀକୃତି ପ୍ରଦାନ କରିବା ପାଇଁ ମୁଁ ମାନ୍ୟବର ସଦସ୍ୟ ମାନଙ୍କୁ ଅନୁରୋଧ କରୁଛି । ମୋତେ କିଛି ବକ୍ତବ୍ୟ ରଖିବାର ସୁଯୋଗ ପ୍ରଦାନ କରିଥିବାରୁ ମୁଁ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking