32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମଣିପୁର ସ୍ଥିତିକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ମଣିପୁର ସ୍ଥିତିକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶନିବାର ମଣିପୁର ପରିସ୍ଥିତି ତଥା ସୁରକ୍ଷା ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ଅବସରରେ ସେ ମାର୍ଚ୍ଚ ୮ ତାରିଖରୁ ରାଜ୍ୟର ସମସ୍ତ ମାର୍ଗରେ ଲୋକଙ୍କ ଅବାଧ ଗମନାଗମନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେ ରାସ୍ତାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶାହ ଏହି ଅବସରରେ ମଣିପୁରର ଅନ୍ତର୍ଜାତୀୟ ସୀମାରେ ପୂର୍ବ-ନିର୍ଦ୍ଧାରିତ ପ୍ରବେଶ ସ୍ଥାନର ଉଭୟ ପାର୍ଶ୍ୱରେ ବାଡ଼ କାର୍ଯ୍ୟ ଶୀଘ୍ର ସମାପ୍ତ ହେବା ଏବଂ ମଣିପୁରକୁ ନିଶା ମୁକ୍ତ କରିବା ପାଇଁ, ନିଶା କାରବାରରେ ଜଡିତ ସମଗ୍ର ନେଟୱାର୍କକୁ ଉଚ୍ଛେଦ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଶ୍ରୀ ଶାହ ଅଧିକାରୀମାନଙ୍କୁ କହିଥିଲେ।

ନୂଆଦିଲ୍ଲୀରେ ଆୟୋଜିତ ଏହି ସୁରକ୍ଷା ବୈଠକରେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ସମେତ କେନ୍ଦ୍ର ଗୃହ ସଚିବ, ଉପ-ସେନା ମୁଖ୍ୟ, ପୂର୍ବ ସେନା କମାଣ୍ଡର, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ, ମଣିପୁରର ସୁରକ୍ଷା ପରାମର୍ଶଦାତା ଏବଂ ଗୃହ ମନ୍ତ୍ରଣାଳୟ (ଗଐଇ), ସେନା ଏବଂ ମଣିପୁର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁହେବା ଦୃଷ୍ଟିକୋଣରୁ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ବୈଠକ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ମଣିପୁରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଥିଲେ ଏବଂ ସେଠାକାର ପରିସ୍ଥିତି ବିଷୟରେ ସୁରକ୍ଷା ବାହିନୀଙ୍କଠାରୁ ଅପଡେଟ ମଧ୍ୟ ନେଇଥିଲେ। ବୈଠକ ସମୟରେ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଭାରତ ସରକାର ଏ ଦିଗରେ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି ଏବଂ ସମସ୍ତ ପ୍ରକାରର ସାହାଯ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୧୩ରେ ମଣିପୁର ରାଜ୍ୟପାଳଙ୍କ ଠାରୁ ରିପୋର୍ଟ ପାଇବା ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ଶାସନ ଲାଗୁହେବା ପରେ ଏହା ପ୍ରଥମ ସୁରକ୍ଷା ସମ୍ପର୍କୀତ ବୈଠକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking