30.1 C
Bhubaneswar
Sunday, July 7, 2024
Homeରଥଯାତ୍ର-୨୦୨୪ପବିତ୍ର ରଥ ଯାତ୍ରା ; ଜାଣନ୍ତୁ ତିନି ରଥ ସମ୍ପର୍କରେ କିଛି ରୋଚକ କଥା...

ପବିତ୍ର ରଥ ଯାତ୍ରା ; ଜାଣନ୍ତୁ ତିନି ରଥ ସମ୍ପର୍କରେ କିଛି ରୋଚକ କଥା…

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଏ । ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପୂର୍ବେ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, କିନ୍ତୁ ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ । ସେହିପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ । ତେବେ ଆସନ୍ତୁ ଜାଣିବା ଏହି ତିନି ରଥ ସମ୍ପର୍କରେ…
ନନ୍ଦିଘୋଷ
ନନ୍ଦିଘୋଷ ବା ଗରୁଡ଼ଧ୍ୱଜ ବା କପିଳଧ୍ୱଜ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି । ଏହି ରଥଟି ମୋଟ ୭୪୨ଖଣ୍ଡ କାଠରେ ତିଆରି ହୋଇଥାଏ । ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ । ନନ୍ଦିଘୋଷ ରଥରେ ୧୬ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ । ରଥର ସାରଥି ହେଉଛନ୍ତି ଦାରୁକ । ରଥର ଦଉଡ଼ି ଶଙ୍ଖଚୂଡ଼ । ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ । ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ । ଧ୍ୱଜପମୂର୍ତ୍ତି ପଞ୍ଚମୁଖୀ ହନୁମାନ । ନନ୍ଦିଘୋଷ ରଥକୁ ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ଆବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ତାଳଧ୍ୱଜ
ତାଳଧ୍ୱଜ ବା ଲଙ୍ଗଳ ଧ୍ୱଜ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି । ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ତାଳଧ୍ୱଜ ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ । ଏହାର ଦଧିନଉତି ହିରଣ୍ମୟୀ, ରଥର ସାରଥି ମାତଳୀ । ତାଳଧ୍ୱଜ ରଥର ଦଉଡ଼ିର ନାମ ବାସୁକୀ । ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା (ତୀବ୍ର, ଘୋର, ଦୀର୍ଘଶ୍ରମ ଏବଂ ସ୍ୱର୍ଣ୍ଣନାଭ) ବା (ସ୍ଥିରା, ଧୃତି, ସ୍ଥିତି ଏବଂ ପ୍ରଜ୍ଞା) ବା (ଶଙ୍ଖ,ସୁଚ଼ିତ୍ର, ଅଙ୍ଗଦ ଏବଂ ମେଘନାଦ) ସ୍ଥାପନ କରାଯାଏ । ଧ୍ୱଜପମୂର୍ତ୍ତି ଲକ୍ଷ୍ମୀନୃସିଂହ । ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଦର୍ପଦଳନ
ଗେହ୍ଲି ଭଉଣୀ, ହଳଦୀ ମୁଖି ମାତା ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ ବା ପଦ୍ମଧ୍ୱଜ ବା ଦେବଦଳନ । ଏହି ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।
ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ । ରଥର ସାରଥି ଅର୍ଜୁନ । ଦର୍ପଦଳନ ରଥର ଦଉଡ଼ିର ନାମ ସ୍ୱର୍ଣ୍ଣ୍ଣଚୂଡ଼ । ଏହାର ଧ୍ୱଜପମୂର୍ତ୍ତି ଜୟଦୁର୍ଗା । ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ । ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking