ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁରାଦାବାଦ୍ ପ୍ରାନ୍ତରୁ ଏକ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ (ଏଟିଏସ)। ଗିରଫ ଆତଙ୍କବାଦୀର ନାମ ଉଲଫତ୍ ହୁସେନ ଓରଫ ମହମ୍ମଦ ସୈଫୁଲଇସଲାମ ଓରଫ ଅଫଜାଲ ଓରଫ ହୁସେନ ମଲ୍ଲିକ। ସେ ବିଭିନ୍ନ ସମୟରେ ନିଜ ନାମ ପରିବର୍ତ୍ତନ କରି ରହିଥାଏ ଏବଂ ସେ ହିଜବୁଲ୍ର ଜଣେ ସକ୍ରିୟ ସଦସ୍ୟ। ଏଟିଏସ ସୂଚନା ଅନୁସାରେ, ହୁସେନକୁ ମୁରାଦାବାଦରୁ ଗିରଫ କରଯାଇଛି।
ସେ ୨୦୦୨ରୁ ଫେରାର ରହିଥିଲା। ହିଜବୁଲ ମୁଜାହିଦ୍ଦିନର ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ ହୁସେନ ବେଶ୍ କିଛି ସମୟ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲା। ଏହା ପରେ ସେ ମୁରାଦାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିଲା। ତେବେ ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏଟିଏସ ତା’କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ୨୦୦୧ ଜୁଲାଇରେ ହୁସେନକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଗୋଟିଏ ଏକେ-୪୭, ଏକେ-୫୬, ଦୁଇଟି ବନ୍ଧୁକ, ୧୨ଟି ଗ୍ରେନେଡ, ୫୦ଟି ଡିଟୋନେଟର, ୨୯ କିଲୋଗ୍ରାମ ବିସ୍ଫୋରକ ଏବଂ ୫୦୭ଟି ଗୁଳି ଜବତ ହୋଇଥିଲା। ଏହା ପରେ ସେ ୨୦୦୨ରେ ଜାମିନରେ ଆସି ଫେରାର ହୋଇଯାଇଥିଲା।










