24.1 C
Bhubaneswar
Wednesday, January 1, 2025
Homeଖେଳଇତିହାସ ରଚିଲେ ବେନ୍ ଷ୍ଟୋକ୍ସ

ଇତିହାସ ରଚିଲେ ବେନ୍ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡ ଟିମ୍‌ର କ୍ୟାପ୍‌ଟେନ୍ ତଥା ଷ୍ଟାର୍ ଅଲ୍‌ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଇତିହାସ ରଚିଛନ୍ତି । ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଗ୍ୟାରୀ ସୋବର୍ସ ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜ୍ୟାକ୍ କାଲିସ୍‌ଙ୍କ ସମକକ୍ଷ ହୋଇଛନ୍ତି ଷ୍ଟୋକ୍ସ । ବିଶ୍ୱର ତୃତୀୟ ଓ ଇଂଲଣ୍ଡର ପ୍ରଥମ କ୍ରିକେଟର୍ ଭାବେ ସେ ବ୍ୟାଟିଂରେ ୬ ହଜାରରୁ ଅଧିକ ରନ ଓ ୨୦୦ରୁ ଅଧିକ ୱିକେଟ ଦଖଲ କରିଛନ୍ତି ।

ଲର୍ଡ୍ସରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଷ୍ଟୋକ୍ସ ଏପରି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ଗୁରୁବାର ଷ୍ଟୋକ୍ସ ତାଙ୍କ ପ୍ରଥମ ଓଭର୍‌ରେ କ୍ରିକ୍ ମ୍ୟାକେଞ୍ଜିଙ୍କୁ ଆଉଟ୍ କରି ୨୦୦ତମ ଟେଷ୍ଟ ୱିକେଟ୍ ପୂରଣ କରିଥିଲେ । ବର୍ତ୍ତମାନ ଇଂଲଣ୍ଡ ପାଇଁ ୧୦୩ଟି ଟେଷ୍ଟ ଖେଳିଥିବା ଷ୍ଟୋକ୍ସ ୨୦୦ଟି ୱିକେଟ୍ ନେଇଥିବା ବେଳେ ୬୩୨୦ ରନ୍ କରିଛନ୍ତି । ଏହା ମଧ୍ୟରେ ୧୩ ଶତକ ଓ ୨୧ ଅର୍ଦ୍ଧଶତକ ସାମିଲ । ୨୫୮ ଟେଷ୍ଟ୍ କ୍ରିକେଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ।

ସୋବର୍ସ ୯୩ ଟେଷ୍ଟରେ ୮୦୩୨ ରନ୍ କରିଥିବା ବେଳେ ୨୩୫ ୱିକେଟ୍ ନେଇଥିଲେ । ସେହିପରି କାଲିସ୍‌ଙ୍କ ନାମରେ ୧୬୬ ଟେଷ୍ଟରେ ୧୩,୨୮୯ ରନ୍ ଓ ୨୯୨ ୱିକେଟ୍ ରହିଛି । ଅନ୍ୟପକ୍ଷରେ ବିଶ୍ୱର ୬ଷ୍ଠ ଓ ଇଂଲଣ୍ଡର ପ୍ରଥମ ଖେଳାଳି ଭାବେ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ ହଜାରରୁ ଅଧିକ ରନ୍ ଓ ୩୦୦ରୁ ଅଧିକ ୱିକେଟ୍ ନେଇଛନ୍ତି । ଏଯାଏ ୨୬୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଷ୍ଟୋକ୍ସ ୧୦,୩୬୮ ରନ୍ କରିଥିବା ବେଳେ ଏଥିରେ ୧୮ ଶତକ ଓ ୫୬ ଅର୍ଦ୍ଧଶତକ ରହିଛି । ଷ୍ଟୋକ୍ସଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର କାର୍ଲ ହୁପର, ଶ୍ରୀଲଙ୍କାର ସନତ ଜୟସୂରିୟା, କାଲିସ, ପାକିସ୍ତାନର ଶାହିଦ ଆଫ୍ରିଦି ଓ ବାଂଲାଦେଶର ସାକିବ୍ ଅଲ୍ ହସନ୍ ମଧ୍ୟ ୧୦ ହଜାରରୁ ଅଧିକ ରନ୍ ଓ ୩୦୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking