ଢାକା: ବାଂଲାଦେଶରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଗଠନ ପରେ ସଂଖ୍ୟାଲଘୁଙ୍କ ଉପରେ ମାତ୍ରାଧିକ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ଏବେ ପ୍ରାୟ ୫୦ଜଣ ହିନ୍ଦୁ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନା ଇସ୍ତଫା ଦେବା ଏବଂ ପଳାୟନ କରିବା ପରେ ପରେ ଏହି ଘଟଣା ଘଟିଥିଲା । ଦେଶରେ ଯେଉଁଠି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ସବୁ ସୀମା ଟପିଛି ସେତେବେଳେ ଶିକ୍ଷକମାନଙ୍କୁ ମଧ୍ୟ ବାଧ୍ୟ କରାଯାଇ ବିଦା କରାଯିବା ଭଳି ଘଟଣା ଘଟିଛି ।
ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିଆନ୍ ଓଇକ୍ୟା ପରିଷଦର ଛାତ୍ର ୱିଙ୍ଗ୍ ବାଂଲାଦେଶ ଛାତ୍ର ଓ ଇକ୍ୟା ପରିଷଦ ଶନିବାର ଜାଟିଆ ପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏସମ୍ପର୍କରେ ସୂଚନା ଦେଇଛି । ସଂଗଠନ ସଂଯୋଜକ ସାଜିବ ସାର୍କ କହିଛନ୍ତି ଯେ, ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାର ପତନ ପରଠାରୁ ଧାର୍ମିକ ଓ ଅନୁସୂଚିତ ଜାତିମାନେ ହିଂସାର ସମ୍ମୁଖୀନ ହୋଇଛନ୍ତି । ଏଥିରେ ଲୁଟ, ମହିଳାଙ୍କ ଉପରେ ଆକ୍ରମଣ, ମନ୍ଦିର ଭଙ୍ଗାରୁଜା, ଘର ଓ କର୍ମକ୍ଷେତ୍ରରେ ନିଆଁ ଲଗାଇବା ଏବଂ ହତ୍ୟା ଭଳି ଘଟଣା ମଧ୍ୟ ସମ୍ପୃକ୍ତ ରହିଛି । ସମଗ୍ର ଦେଶରେ ସଂଖ୍ୟାଲଘୁ ଶିକ୍ଷକମାନେ ଶାରୀରିକ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ଯାହା ଦ୍ୱାରା ୩୦ଅଗଷ୍ଟ ସୁଦ୍ଧା ଅତି କମ୍ରେ ୪୯ଜଣ ଶିକ୍ଷକ ଇସ୍ତଫା ଦେଇଥିଲେ । ତେବେ ସେଥିମଧ୍ୟରୁ ୧୯ ଜଣ ଶିକ୍ଷକଙ୍କୁ ପୁନଃ ସ୍ଥାପିତ କରାଯାଇଛି ।
କିନ୍ତୁ ଏହି ସମସ୍ୟା ଏବେ ବଢ଼ିବାରେ ଲାଗିଛି । କେବଳ ଶିକ୍ଷକ କାହିଁକି, ସବୁ ସରକାରୀ ପଦପଦବୀରେ ଥିବା ହିନ୍ଦୁ କିମ୍ବା ଅନ୍ୟ ଅଣମୁସଲିମ୍ ବର୍ଗର ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଧମକ ଚମକ ଦିଆଯାଇ ଚାକିରି ଛାଡିବାକୁ ବାଧ୍ୟ କରାଯାଉଛି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶପଥ ଗ୍ରହଣ କରିବା ପରେ କହିଥିଲେ ଯେ ସେ ସମ୍ବିଧାନର ସମ୍ମାନ ରକ୍ଷା କରିବେ, ଲୋକଙ୍କୁ ସମର୍ଥନ କରିବେ ଏବଂ ସୁରକ୍ଷା କରିବେ ଏବଂ କର୍ତ୍ତବ୍ୟକୁ ସଚ୍ଚୋଟତାର ସହ କରିବେ । କିନ୍ତୁ ସବୁକିଛି ଓଲଟା ହିଁ ହୋଇଥିଲା । ବାଂଲାଦେଶରେ ବ୍ୟାପକ ହିଂସା ଆରମ୍ଭ ହୋଇଥିଲା । ଶେଖ ହସିନା ଢାକା ଛାଡିବା ପରେ ଦେଶରେ ବିରୋଧୀମାନେ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲେ ଏବଂ ହିନ୍ଦୁମାନଙ୍କ ଘର ଏବଂ ପୂଜାପାଠ ସ୍ଥାନକୁ ଟାର୍ଗେଟ କରିଥିଲେ ।