ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ୩ ତାରିଖ ଯାଏ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୩୧ ତାରିଖ ବୁଧବାର ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ ଓ ନୟାଗଡ଼ ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରିଖ ଗୁରୁବାର ଅନୁଗୋଳ, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ଼, ଦେବଗଡ଼, ସମ୍ୱଲପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର,କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖ ଶୁକ୍ରବାର ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅପରପକ୍ଷେ ମୌସୁମୀ ସମୟରେ ଜାରି ରହିଥିବା ନିଅଣ୍ଟିଆ ବର୍ଷା ଆଜି ମଧ୍ୟ ବଳବତ୍ତର ରହିଛି । ଜୁନ୍ ପହିଲାରୁ ଏବେ ସୁଦ୍ଧା ୫୨୬.୪ ମିମି ବର୍ଷା ହେବା ସ୍ଥାନରେ ୪୭୮.୮ ମିମି ବର୍ଷା ହୋଇଛି । ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ବହୁ ଅଧିକ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ୧୫ଟି ଜିଲ୍ଲାରେ ସ୍ୱାଭାବିକ ଓ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଓ କଟକ ସହରରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ଏସ୍ଆରସିଙ୍କ ପକ୍ଷରୁ ବିଏମ୍ସି ଓ ସିଏମ୍ସି ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ମୁଣ୍ଡଳୀରେ ପ୍ରବାହିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର । ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନପୁଟୁ ବନ୍ୟା ନିଷ୍କାସନ କରାଯାଉଛି । ସେପଟେ ରବିବାର ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଇଥିବା ବେଳେ ଆଜି ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ମୁଣ୍ଡଳୀ ଠାରେ ୧ ଲକ୍ଷ ୯୦ ହଜାର ୧୩୨ ଘନପୁଟୁ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୨.୪୦ ତଳ ଭାଗରେ ୭୮.୬୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ବନ୍ୟା ଜଳ ।ସୂଚନା ଅନୁଯାୟୀ, ମହାନଦୀର ଜଳସ୍ତର ସକାଳ ୯ ସୁଦ୍ଧା ୨ ଲକ୍ଷ ୫୭ ହଜାର ୨୦୦ ଘନପୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀର ଉପର ଭାଗରେ ୮୩.୯୦ ଓ ତଳ ମୁଣ୍ଡରେ ୮୦. ୪୦ ଫୁଟରେ ରହିଛି ।