ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି। ଏହା ପ୍ରଭାବରେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ତେବେ ଲଘୁଚାପଟି ଆଗକୁ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ସଦୃଶ ଲଘୁଚାପ ପରିଣତ ହେବ। ମାତ୍ର ଏହାର କେନ୍ଦ୍ରବିନ୍ଦୁ ଓଡ଼ିଶାଠାରୁ ଦୂରରେ ରହିବା ହେତୁ ରାଜ୍ୟ ଉପରେ ପ୍ରଭାବ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ାରେ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ୨୪ରେ ପୁଣି ରାଜ୍ୟର ଦକ୍ଷିଣ ଓଡ଼ିଶା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ବର୍ଷା ହେବ। ସମ୍ବଲପୁର, ସୋନପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ଖୋର୍ଦ୍ଧାରେ ମଧ୍ୟମରୁ ଭାରି ହୋଇପାରେ। ୨୨ରେ ସୁନ୍ଦରଗଡ଼ ସଂଲଗ୍ନ ଅଞ୍ଚଳ ଏବଂ ୨୩ରେ ଛତିଶଗଡ଼ ସଂଲଗ୍ନ ଅଞ୍ଚଳରେ ସ୍ଥାନେସ୍ଥାନେ ମଧ୍ୟମରୁ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ୬୮୦.୫ମିମି ବର୍ଷା ରେକର୍ଡ ହୋଇଛି। ଏବେ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ରହିଛି। ଏହି ସମୟ ମଧ୍ୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୭ କିମ୍ବା ୨୮ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।









