ଭୁବନେଶ୍ୱର: ଉପକୂଳରୁ ଉପାନ୍ତ ସବୁଠି ତାତି ଅନୁଭୂତ ହେଉଛି । ଆସନ୍ତାକାଲିଠୁ ହିଟୱେଭ ପ୍ରଭାବରେ ତାତି ବଢିବ । ଏହାସହ ପଶ୍ଚିମ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହେବ । ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା । ଚଳିତ ସପ୍ତାହରେ ୪ ଦିନ ପାଇଁ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ । ୧୩, ୧୪, ୧୫ ଓ ୧୬ ତାରିଖ ୪ ଦିନ ହିଟୱେଭ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି ।
୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି (ଗୁରୁବାର) ଅର୍ଥାତ ୧୩ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ୧୪ ତାରିଖରେ ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ତାରିଖରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୋଳ, ବରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତିର ଅନୁଭବ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
୧୩ ତାରିଖରେ ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା ଓ ସମ୍ବଲପୁର ସହ ୧୪ ତାରିଖରେ ସମ୍ବଲପୁର ଓ ଝାରସୁଗୁଡାକୁ ଉଷ୍ମ ରାତ୍ରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ବାହାରନ୍ତୁ ନାହିଁ” ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥିସହ ୪-୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏଁ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।