ହାଥ୍ରସ୍ : ଉତ୍ତରପ୍ରଦେଶ ହାଥ୍ରସ୍ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଘଟଣାକୁ ନେଇ ଯେଉଁଠି ଏବେ ଅହରହ ଚର୍ଚ୍ଚା ଜାରି ରହିଛି ସେଠାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆଜି ହାଥ୍ରସ୍ ଓ ଅଲିଗଡ଼ ଗସ୍ତରେ ଯାଇ ସେଠାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ଓ ସମବେଦନା ଜଣାଇଛନ୍ତି । ଏଥିସହ ରାହୁଲ, ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ପଚାରିବୁଝିଛନ୍ତି । ସେ ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବେ ବୋଲି ପୀଡ଼ିତ ଓ ମୃତକଙ୍କ ପରିବାରଙ୍କୁ ଆଶ୍ୱସ୍ତ କରିଛନ୍ତି । ଏତଦ୍ବ୍ୟତୀତ ରାହୁଲ, ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ମୃତକ ଓ ଆହତଙ୍କ ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଅପିଲ୍ କରିଛନ୍ତି ।
ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା । ଅନେକ ପରିବାର କ୍ଷତି ସହିଛନ୍ତି ଯାହା କେହି ପୂରଣ କରିପାରିବେ ନାହିଁ । ଅନେକ ଲୋକଙ୍କ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଇଛି । ପ୍ରଶାସନ ଭୁଲ ଯୋଗୁଁ ଏଭଳି ଘଟଣା ଘଟିଛି । ପୀଡିତଙ୍କ ପରିବାରକୁ କ୍ଷତିପୂରଣ ସଠିକ୍ ଭାବେ ମିଳିବା ଉଚିତ୍ । ସେ ଏହାକୁ ଏକ ରାଜନୈତିକ ମୁଦ୍ଦା କରିବାକୁ ଚାହୁଁନଥିବା ସତ୍ତ୍ୱେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ମଧ୍ୟ ସହଜରେ ବରଦାସ୍ତ କରିପାରୁନାହାନ୍ତି ବୋଲି କହିଛନ୍ତି ।
ପ୍ରକାଶ, ଗତ ମଙ୍ଗଳବାର ଏଠାକାର ନାରାୟଣ ସାକାର ହରି ଓରଫ ଭୋଲେ ବାବା ନାମକ ଜଣେ ଆତ୍ମଘୋଷିତ ସନ୍ଥଙ୍କ ସତ୍ସଙ୍ଗ୍ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଥିବା ବେଳେ ଦଳାଚକଟାରେ ପ୍ରାୟ ୧୧୬ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜାଣିବାକୁ ମିଳିଛି । ସେହିପରି ଅନେକ ଲୋକ ଏହି ଦଳାଚକଟା ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରବଚନ ପରେ ବାବାଙ୍କ ପାଦ ଧୂଳି ଆଣିବାକୁ ଯାଇ ଏପରି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ସେପଟେ ଏହି ମାମଲାରେ ଆତ୍ମଘୋଷିତ ବାବା ଫେରାର୍ ହୋଇଯାଇ ଥିବାବେଳେ ତାଙ୍କୁ ସେବା ଯୋଗାଉଥିବା ୬ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଉକ୍ତ ବାବାଙ୍କ ନାଁରେ ଦୁଷ୍କର୍ମ ମାମଲା ସହ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ରହିଛି । ତେବେ ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଘଟଣାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ୧୫ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଛି, ଯେଉଁଥିରେ ପ୍ରଶାସନିକ ଅଧିକାରୀ ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ସମେତ ପ୍ରାୟ ୧୦୦ ଜଣଙ୍କ ବୟାନ ରହିଛି ।










