30.1 C
Bhubaneswar
Friday, July 11, 2025
Homeଦେଶ ବିଦେଶପାକିସ୍ତାନରେ ଧ୍ୱଂସଲୀଳା ରଚିଛି ହାର୍ପି ଡ୍ରୋନ୍‌

ପାକିସ୍ତାନରେ ଧ୍ୱଂସଲୀଳା ରଚିଛି ହାର୍ପି ଡ୍ରୋନ୍‌

ନୂଆଦିଲ୍ଲୀ: ଭାରତ ପକ୍ଷରୁ କରାଯାଇଥିବା ‘ଅପରେସନ୍‌ ସିନ୍ଦୂର’ର ପରଦିନ ଅର୍ଥାତ୍‌ ବୁଧବାର ରାତିରେ ପାକିସ୍ତାନ ଭାରତର ୧୫ରୁ ଊଦ୍ଧ୍ୱର୍ ସୈନ୍ୟ ଠିକଣା ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲା । ଭାରତ ଏସ୍‌-୪୦୦ ଡିଫେନ୍ସ ସିଷ୍ଟମ ଦ୍ୱାରା ତାକୁ ବିଫଳ କରିଦେଇଥିଲା । ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଦେଇଛି । ସେଥିଯୋଗୁ ପାକିସ୍ତାନରେ ବିପୁଳ କ୍ଷତି ହୋଇଛି । ଭାରତ ଏଥିଲାଗି ଇସ୍ରାଏଲ୍‌ରୁ ଆଣିଥିବା ହାର୍ପି ଡ୍ରୋନ୍‌କୁ ବ୍ୟବହାର କରିଛି ।

ଏହି ଡ୍ରୋନ୍‌କୁ ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରି ବିକଶିତ କରିଛି । ଏହା ଏକ ହାଲ୍‌କା ଡ୍ରୋନ୍‌ ଯାହାକୁ ମୁଖ୍ୟତଃ ଶତ୍ରୁ ପକ୍ଷର ରାଡାର ସିଷ୍ଟମ ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିବା ଲାଗି ଡିଜାଇନ୍‌ କରାଯାଇଛି । ହାର୍ପି ଡ୍ରୋନ୍‌ ଅନୁଧ୍ୟାନ ଓ ଠିକ୍‌ ହମ୍‌ଲା ଉଭୟ କାର୍ଯ୍ୟ ଲାଗି ସକ୍ଷମ । ଏହାକୁ ଫାୟାର ଆଣ୍ଡ ଫରଗେଟ୍‌ ମିସାଇଲ୍‌ ବୋଲି ବି କୁହାଯାଏ । କାରଣ ଲକ୍ଷ୍ୟ ଉପରେ ସିଧା ଆକ୍ରମଣ ଲାଗି ଏହା ନିଜକୁ ନଷ୍ଟ କରିଦିଏ । ଭାରତ ୨୦୦୦ ମସିହାରେ ଏହାକୁ ଇସ୍ରାଏଲରୁ କିଣିଥିଲା । ହାର୍ପି ଡ୍ରୋନ୍‌ର ଓଜନ ୧୩୫ କିଲୋଗ୍ରାମ । ଘଣ୍ଟାପ୍ରତି ଏହା ସର୍ବାଧିକ ୧୮୫ କିମି ଗତିରେ ଉଡାଣ ଭରିପାରିବ । ଏହାର ଭିନ୍ନ ଭିନ୍ନ ସଂସ୍କରଣ ୫୦୦ରୁ ୧୦୦୦ କିମି ଦୂରତା ଯାଏ ଯାଇପାରିବ । ଲକ୍ଷ୍ୟ ଉପରେ ଦୀର୍ଘ ସମୟ ଧରି ପଇଁତରା(ଲାଇଟରିଙ୍ଗ) ମାରିବା ଲାଗି ବି ଏହାର କ୍ଷମତା ରହିଛି ।

ଥରେ ଉଡାଣ ଭରିବା ପରେ ଏହା ସବୁ ପ୍ରକାର ପାଗରେ ଆକାଶରେ ୬-୯ ଘଣ୍ଟା ଯାଏ ରହିପାରିବ । ନିଜ ସହ ଡ୍ରୋନ୍‌ ୩୨ କିଲୋ ଯାଏ ଅସ୍ତ୍ର ନେଇଯିବାରେ ସକ୍ଷମ । କୌଣସି ନିର୍ଦ୍ଧାରିତ କ୍ଷେତ୍ରରେ ଉଡ଼ାଣ ଭରିବା ପରେ ଏହା ଶତ୍ରୁ ପକ୍ଷର ରାଡାର ସିଗନାଲକୁ ଠାବ କରେ । ଏହାପରେ ସ୍ୱୟଂଚାଳିତ ଭାବେ କିମ୍ବା ଅପରେଟରଙ୍କ ନିର୍ଦ୍ଦେଶ ଅନୁସାରେ ଆକ୍ରମଣ କରେ । ପରେ ନିଜର ବିସ୍ଫୋରକ ୱାରହେଡ୍‌ ଦ୍ୱାରା ନିଜକୁ ନଷ୍ଟ କରିଦିଏ । ଏଥିଯୋଗୁ ଟାର୍ଗେଟ୍‌ର ବିପୁଳ କ୍ଷତି ହୋଇଥାଏ । ୧୯୮୦ ଦଶକରେ ଏହାକୁ ବିକଶିତ କରାଯାଇଥିଲା । ହାର୍ପିର ଏକ ଉନ୍ନତ ସଂସ୍କରଣ ହାରୋପ୍‌ ପରେ ବିକଶିତ ହୋଇଥିଲା । ତାକୁ ଭାରତ ସହିତ କିଛି ଦେଶ କ୍ରୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking