29.1 C
Bhubaneswar
Saturday, September 21, 2024
Homeଓଡିଶାଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କର ଏସ୍‌ସିବି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କର ଏସ୍‌ସିବି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ଦିବ୍ୟାଙ୍ଗ ବିଦ୍ୟାର୍ଥୀ, କର୍ମଚାରୀଙ୍କ ସୁବିଧା ନେଇ କଲେ ଆଲୋଚନା

ଭୁବନେଶ୍ୱର, : ଓଡ଼ିଶା ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପରିଦର୍ଶନ କରି ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ କଲ୍ୟାଣ ଦୃଷ୍ଟିରୁ ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବାକୁ ଉଭୟ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
ଏସ୍‌ସିବି ମେଡ଼ିକାଲ କଲେଜ ଯାଇ ଆୟୁକ୍ତ ଶ୍ରୀମତୀ ହରିଚନ୍ଦନ ପରିସର ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ/ସମସ୍ୟାର ସମାଧାନ ନିମନ୍ତେ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଶ୍ରେଣୀ କକ୍ଷ, ଛାତାବାସୀ, ପାଠାଗାର, ପ୍ରଶାସନିକ ଭବନ, ପାଠାଗାର, ସମ୍ମିଳନୀ କକ୍ଷ ବହିର୍ବିଭାଗ, ପାଥୋଲାବ୍‌ ଏବଂ କଲେଜର ଅନ୍ୟ ସମସ୍ତ ଗୃହ/ସ୍ଥାନରେ ହ୍ୱିଲ୍‌ ଚେୟାର, ର୍ୟାମ୍ପସ୍‌, ଶୌଚାଳୟ ଆଦିର ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସେ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ନାମଲେଖା ସମୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ସଂରକ୍ଷଣ ନିୟମର ସଠିକ୍‌ ଅନୁପାଳନ ସହ ନାମଲେଖା ଫି ଓ ମେସ୍‌ ଚାର୍ଜ ଛାଡ଼, ଦିବ୍ୟାଙ୍ଗ କର୍ମଚାରୀମାନଙ୍କ ପାଇଁ ଯାତାୟତ ଭତ୍ତା ଆଦି ବଷୟରେ ମଧ୍ୟ ଶ୍ରୀମତୀ ହରିଚନ୍ଦନ କଲେଜ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନର ସର୍ବାଧିକ ବୟସ କୋହଳ କରିବା ଏବଂ ଲିଖିତ ପରୀକ୍ଷା ସମୟରେ ସ୍କ୍ରାଇବ୍‌ ବ୍ୟବସ୍ଥା ସହ ଅଧିକ ସମୟ ଦେବା ଓ ବୃତ୍ତି ସାଙ୍ଗକୁ ଅନ୍ୟ ସୁବିଧାର ଅନୁପାଳନ ନେଇ ସେ କଲେଜ୍‌ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମେଡ଼ିକାଲ କଲେଜର ଡିନ୍‌ ତଥା ସୁପରିଟେଣ୍ଡେଣ୍ଟ ଡା. ଏଲ୍‌.ଏନ୍‌ ଦାସ, ପ୍ରଶାସନିକ ଅଧିକାରୀ ଶ୍ରୀ ଅବିନାଶ ରାଉତ, ଆକାଉଣ୍ଟସ୍‌ ଅଫିସର, କଟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଆୟୁକ୍ତ ଶ୍ରୀମତୀ ହରିଚନ୍ଦନ ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଉପସ୍ଥିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମିଳିତ ହୋଇଥିଲେ । ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ର ସଫଳ କାର୍ଯ୍ୟାନ୍ୱୟନ ସାଙ୍ଗକୁ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ପାଇଁ ନିର୍ଦ୍ଧାରିତ ସମସ୍ତ ସୁବିଧା ଉପଲବ୍ଧ କରିବା ଉପରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ତଥା କର୍ମଚାରୀମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧାସୁଯୋଗ ପ୍ରଦାନରେ କୌଣସି ଅବହେଳା ନ କରିବା ପାଇଁ ଆୟୁକ୍ତ ପରାମର୍ଶ ଦେଇଥିଲେ । ଦିବ୍ୟାଙ୍କ ବିଦ୍ୟାର୍ଥୀଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ କହିବା ସହିତ ବିଶ୍ୱବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ପରିସର ଓ ବାତାବରଣ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଆୟୁକ୍ତଙ୍କ କାର୍ଯ୍ୟାଳୟର ଓଏସ୍‌ଡ଼ି, ବିଶ୍ୱବିଦ୍ୟାଳୟର ବଭିନ୍ନ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking