27.1 C
Bhubaneswar
Friday, September 27, 2024
Homeଓଡିଶାଗୁଣିଗାରେଡ଼ି ସନ୍ଦେହରେ ବର୍ବରକାଣ୍ଡ: ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ

ଗୁଣିଗାରେଡ଼ି ସନ୍ଦେହରେ ବର୍ବରକାଣ୍ଡ: ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଡୋଟୋ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିବା ସହ ଲଙ୍କାଗୁଣ୍ଡ ଛିଞ୍ଚିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୁଲିସ ଉଭୟ ପକ୍ଷର ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ବୋଡ଼େନ ଥାନା ଡୋଟୋ ଗ୍ରାମର ଲଳିତ ରଣାଙ୍କ ଝିଅ ଦେହ ପ୍ରାୟ ସମୟରେ ଖରାପ ରହୁଥିବା ବେଳେ ମଝିମଝିରେ କାଳିସୀ ସବାର ହେଉଥିଲା । ଡୁମେରପଦର ଗ୍ରାମର ଭୁଜ ରଣା ଓ ତାଙ୍କ ଭାଇ ଗୋବର୍ଦ୍ଧନ ରଣା ଗୁଣିଗାରେଡ଼ି କରିଥିବାରୁ ଏପରି ହୋଇଥିବା ଲଳିତଙ୍କ ପରିବାର ସନ୍ଦେହ କରିଥିଲେ । ତେଣୁ ସେମାନେ ଗାଁରେ ଏକ ବୈଠକ ଡାକିଥିଲେ ।

ବୈଠକର ନିଷ୍ପତ୍ତି ଅନୁସାରେ ଭୁଜ ଓ ଗୋବର୍ଦ୍ଧନଙ୍କୁ ଡୋଟୋ ଗ୍ରାମକୁ ଆସିବା ପାଇଁ କୁହାଯାଇଥିଲା । ହେଲେ ୨ ଭାଇ ଆସିବାକୁ ମନା କରିଥିଲେ । ବୁଧବାର ଡୋଟୋ ଗ୍ରାମର ୪-୫ ଜଣ ଲୋକ ଡୁମେରପଦର ଯାଇ ଭୁଜ ଓ ଗୋବର୍ଦ୍ଧନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ମୁଣ୍ଡରେ ବିଷ୍ଠା ଓ ଲଙ୍କାଗୁଣ୍ଡ ଢାଳି ଫେରାର୍ ହୋଇ ଯାଇଥିଲେ ।

ଭୁଜଙ୍କ ଅଭିଯୋଗ ଆଧାରରେ ବୋଡ଼େନ ଥାନା ପୁଲିସ ଡୋଟୋ ଗ୍ରାମର ଠାକୁର ରଣା (୪୫), ଲଳିତ ରଣା (୫୦) ଓ ସ୍ତ୍ରୀ ପୁତନେ ରଣା (୩୮)ଙ୍କ ନାମରେ ମାମଲା ରୁଜୁ କରିଛି । ପରେ ଲଳିତ ମଧ୍ୟ ତାଙ୍କୁ ମାଡ଼ପିଟ୍‌ ଓ ଗାଳିଗୁଲଜ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ଭୁଜ ରଣା (୬୫), ଗୋବର୍ଦ୍ଧନ ରଣା (୬୦), ରଘୁନାଥ ରଣା (୨୮), ଉମାକାନ୍ତ ରଣା (୩୦), ତପନ ରଣା (୨୫) ଓ ତାପସ ରଣା (୨୫)ଙ୍କ ନାମରେ ମାମଲା ରୁଜୁ କରିଛି । ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking