ପ୍ରୟାଗରାଜ: ଗିନିଜ୍ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟ ନେଇ ପ୍ରାୟ ୧୫,୦୦୦ ସଫେଇ କର୍ମଚାରୀ ପ୍ରୟାଗରାଜ ମହାକୁମ୍ଭ ମେଳାରେ ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମହାକୁମ୍ଭ ନଗରର ୪ଟି ଜୋନ୍ରେ ଆୟୋଜିତ ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୧୫,୦୦୦ ସଫେଇ କର୍ମଚାରୀ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରୟାଗରାଜ ମେୟର ଗଣେଶ କେଶରୱାନୀ, ମହାକୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଂକ୍ଷା ରାଣା ଏବଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ସୁପରଭାଇଜରି ଟିମ ଉପସ୍ଥିତ ଥିଲେ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ର ମୁଖ୍ୟ ପର୍ଯ୍ୟବେକ୍ଷକ ଏବଂ ବିଚାରପତି ରିଶି ନାଥ ତାଙ୍କ ପ୍ରତିନିଧି ଦଳ ସହିତ ଲଣ୍ଡନରୁ ପ୍ରୟାଗରାଜରେ ପହଞ୍ଚିଥିଲେ। ସମନ୍ୱିତ ସ୍ୱଚ୍ଛତା ଅଭିଯାନର ୧୫,୦୦୦ ସଫେଇ କର୍ମଚାରୀଙ୍କ ରିଷ୍ଟ ବ୍ୟାଣ୍ଡରେ ଥିବା କୋଡ୍ ସ୍କାନ କରି ଗଣନା କରାଯାଇଥିଲା। ରେକର୍ଡର ଚୂଡ଼ାନ୍ତ ବୈଧତା ରିପୋର୍ଟ ଆସନ୍ତା ୩ଦିନ ପରେ ପ୍ରକାଶ ପାଇବ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି। ପ୍ରକାଶ, ପ୍ରୟାଗରାଜରେ ଅନୁଷ୍ଠିତ ୨୦୧୯ କୁମ୍ଭମେଳାରେ, ୧୦,୦୦୦ ସଫେଇ କର୍ମଚାରୀ ଏକ ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରି ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଶ୍ରୀ କେଶରୱାନୀ କହିଛନ୍ତି ଯେ ବିଶ୍ୱ ରେକର୍ଡ ପାଇଁ ଏହି ପ୍ରୟାସ ପ୍ରୟାଗରାଜର ପବିତ୍ର ଭୂମିରୁ ବିଶ୍ୱକୁ ସ୍ୱଚ୍ଛତାର ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି।









