କେନ୍ଦ୍ରାପଡ଼ା : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇଟି ବାଇକ ଭଙ୍ଗାଯିବା ସହ ଦୁଇଜଣ ଆହତ । ରବିବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ମାରୁତି ଛକ ଠାରେ ଘଟିଛି ଏଭଳି ଘଟଣା । ଏନେଇ ସଦର ପୋଲିସ ନିକଟରେ ଏତଲା ରୁଜୁ ହୋଇଥିବା ଏସଡିପିଓ ଦେବେନ୍ଦ୍ର ମଲିକ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ,ରବିବାର ସନ୍ଧ୍ୟାରେ ସ୍ଥାନୀୟ ବାରିମୂଳ ରାମନଗର ପାଟଣା ଗାଁର ଜଣେ ଯୁବକ ମାରୁତି ଛକ ନିକଟରେ ଛିଡା ହୋଇଥିବା ବେଳେ ଗରାପୁର ଗାଁର ଜଣେ ଯୁବକ ନିଜ ବାଇକ ସାଇଲେନ୍ସରରେ ଉଚ୍ଚ ଶବ୍ଦ କରି ଯାଉଥିଲେ । ଏହି ସମୟରେ ରାମନଗର ପାଟଣା ଗାଁର ଯୁବକ ଜଣକ ଗରାପୁର ଯୁବକଙ୍କୁ ଅଟକାଇ ଏଭଳି ଉଚ୍ଚ ଶବ୍ଦ ନକରିବାକୁ କହିଥିଲେ।ଏହି ସାମାନ୍ୟ ଘଟଣାକୁ ନେଇ ଉଭୟ ଯୁବକଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ପରିସ୍ଥିତି ହାତାହାତି ପର୍ଯ୍ୟନ୍ତ ଯାଇଥିଲା ଓ ଶେଷରେ ଗାଡି ଭଙ୍ଗାରୁଜା ମଧ୍ୟ ହୋଇଥିଲା।ସଦର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଭୟ ପକ୍ଷରୁ ମାମଲା ଦାଏର ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଗୋଟିଏ ପ୍ଲାଟୁନ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇ ରହିଛନ୍ତି।










