ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଗଣ ଏବଂ
ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମାନଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ଗତ ଦୁଇ ବର୍ଷ ଧରି ଉତ୍କଳ ଦିବସ ସମାରୋହ ବିପୁଳ ଉତ୍ସାହ ସହକାରେ ପାଳନ କରାଯାଉଛି । ରାଜ୍ୟ ସରକାର ଦୁଇ ଦୁଇଟି ରାଜ୍ୟସ୍ତରୀୟ ମହୋତ୍ସବ ପାଳନ କରୁଛନ୍ତି। ଗୋଟିଏ ଜଣେ ବରପୁତ୍ରଙ୍କ ଜନ୍ମପୀଠରେ, ଆଉ ଗୋଟିଏ ରାଜଧାନୀ ଭୁବନେଶ୍ୱରରେ ପାଳନ କରାଯାଉଛି । ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ମଧ୍ୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହେଉଛି । ଉତ୍କଳ ଦିବସ ସମାରୋହ ଏବେ ଓଡ଼ିଆ ଅସ୍ମିତାର ଉତ୍ସବରେ ପରିଣତ ହୋଇଛି । ଉତ୍କଳ ଦିବସରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କର ଶୁଭେଚ୍ଛା ଏହି ସମାରୋହରେ ଆହୁରି ଉତ୍ସାହ ଭରି ଦେଇଛି । ଏ ବର୍ଷ ମହାମହିମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କ ଶୁଭେଚ୍ଛା ସମସ୍ତଙ୍କୁ ଆନନ୍ଦିତ କରିଛି ।
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାୟ ଏକ ହଜାର ଶବ୍ଦରେ ଲିଖିତ ଚିଠିରେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ଠାରୁ ଆରମ୍ଭ କରି ବରପୁତ୍ରମାନଙ୍କ ଅବଦାନ ଓ ବିକାଶ ପାଇଁ ଓଡ଼ିଶାର ଉଦ୍ୟମକୁ ଖୁବ୍ ପ୍ରଶଂସା କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କ ଅସାଧାରଣ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି । ଏହା ନିଶ୍ଚିତ ଭାବରେ ସାମୂହିକ ଭାବେ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ । ଉତ୍କଳ ଦିବସ ପାଇଁ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କୃଷି ମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ୍, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମହିଳା ଓ ବାଲ୍ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଅନେକ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମାଜିକ ଗଣମାଧ୍ୟମ x ରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଉତ୍ତରପ୍ରଦେଶ, ଦିଲ୍ଲୀ, ଆସାମ, ଛତିଶଗଡ଼, ହରିୟାନା, ମଧ୍ୟପ୍ରଦେଶ, ତ୍ରିପୁରା, ମେଘାଳୟ ଆଦି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶୁଭେଚ୍ଛା ଜଣାଇ ଓଡ଼ିଶାବାସୀଙ୍କ ପ୍ରଗତି କାମନା କରିଛନ୍ତି ।










