14.1 C
Bhubaneswar
Sunday, December 7, 2025
Homeଓଡିଶାପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳି ସରକାର ଦିଅନ୍ତୁ : କଂଗ୍ରେସ

ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳି ସରକାର ଦିଅନ୍ତୁ : କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ ଯଦି ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କରାଯିବ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ହେବେ । ସାଧାରଣ ବିଦ୍ୟୁତ ଖାଉଟିଙ୍କ ସ୍ୱାର୍ଥ ରକ୍ଷାପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ କାନୁନଗୋ ଘୋଷଣା କରିଛନ୍ତି । ସେ କହିଲେ ଯେ ବିଜେପି କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ ବିଜୁଳି ମାଗଣା ଯୋଗାଇ ଦେବ ବୋଲି ନିର୍ବାଚନୀ ଘୋଷଣା କରାଯାଇଥିଲା । ପୁଣି ବିଜେପି ପକ୍ଷରୁ କୁହାଗଲା ଯେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୋଫତ ବିଜୁଳି ଯୋଜନା” ମାଧ୍ୟମରେ ଖାଉଟିଙ୍କୁ ବିଜୁଳି ଯୋଗାଇ ଦିଆଯିବ । ୮ ମାସର ଶାସନ ପରେ ବି କ୍ଷମତାସୀନ ବିଜେପି ସରକାର ନିଜ ପ୍ରତିଶୃତିରେ ବିଫଳ ହୋଇଛନ୍ତି । ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପରିବର୍ତେ ଏବେ ବିଜୁଳି ଦେୟ ୟୁନିଟ ପିଛା ୧୨.୪୨ ପଇସା ବୃଦ୍ଧି ପାଇଁ ଓଇଆରସିଙ୍କ ପାଖରେ ଟିପିସିଓଡିଏଲର ପ୍ରସ୍ତାବ ଦୁର୍ଭାଗ୍ୟଜନକ । ଏ ବାବଦରେ ରାଜ୍ୟ ସରକାର ଏବେବି ନିରୁତ୍ତର ।

ଟିପିସିଓଡିଏଲର ପକ୍ଷରୁ ଦର୍ଶାଯାଇଛି ଯେ ଆସନ୍ତା ବର୍ଷ ପାଇଁ ଗ୍ରୀଡ଼କୋ ଠାରୁ ଅଧିକ ୧୩୧୦ ନିୟୁତ ୟୁନିଟ ବିିଜୁଳି ଅଧିକ କ୍ରୟ ହେବ । ସମୁଦାୟ ୧୩୮୨୩ ନିୟୁତ ୟୁନିଟ ବିଜୁଳି କ୍ରୟ କରିବାକୁ ୪୬୮୮.୩୬ କୋଟି ଟଙ୍କା ପୈଠ ହେବ । ଟାଟା ପାୱାର ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ବିତରଣ କ୍ଷତି ୨୩୭୪ ୟୁନିଟ ହେବ ଯାହାକି ୧୭.୧୭ ପ୍ରତିଶତ ଅଟେ । ଅବଶିଷ୍ଟ ୧୧୪୪୯ ନିୟୁତ ୟୁନିଟ ଉପଭୋକ୍ତାଙ୍କୁ ବିକ୍ରୟ କରାଯିବ । ଟିପିସିଓଡିଏଲର ପକ୍ଷରୁ କୁହାଯାଇଛି ଯେ ରାଜସ୍ୱ ଆବଶ୍ୟକତା ସମୁଦାୟ ୬୮୬୨.୫୪୨୦ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ୬୭୨୦.୩୯ କୋଟି ଟଙ୍କା ଆଦାୟ ହେବ ବୋଲି ଜଣାପଡ଼ିଛି । ସୁତରାଂ ୧୪୨.୧୫ କୋଟି ଟଙ୍କା ରାଜସ୍ୱ ନିଅଂଟ ରହିବ ବୋଲି ଦର୍ଶାଇ କ୍ଷତି ଭରଣା ପାଇଁ ୟୁନିଟ ପିଛା ୧୨.୪୨ ପଇସା ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି ଯେ ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଶୁଳ୍କ ଠାରୁ ଟାଟା ୟୁନିଟ ପିଛା ପ୍ରାୟ ୨୮ ପଇସା ଅଧିକ ଆଦାୟ କରିଛି ଯାହା ଫଳରେ ୨୪୬.୪୭ ଲକ୍ଷ ଟଙ୍କା ଅଧିକ ପାଇଛି । ତେଣୁ ବିଦ୍ୟୁତ ଆଇନ ୨୦୦୩ ଧାରା ୬୨ (୬) ଅନୁସାରେ ଟାଟା ଉପଭୋକ୍ତା ମାନଙ୍କୁ ସୁଧ ସହ ଅର୍ଥ ଫେରସ୍ତ କରୁ । ଏଭଳି ପରିସ୍ଥିତି ସ୍ଥଳେ ଟିପିସିଓଡିଏଲର ବିଦ୍ୟୁତ ଦେୟ ପ୍ରସ୍ତାବ ଏକ କ୍ଷୋଭର ପ୍ରସଙ୍ଗ । ଶ୍ରୀ କାନୁନଗୋ ଦାବି କରିଛନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳିର ବ୍ୟବସ୍ଥା କରନ୍ତୁ ଏବଂ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ମନବୃତ୍ତିରୁ ସରକାର ନିବୃତ ରୁହନ୍ତୁ । ଗ୍ରୀଡ଼କୋ ରାଜ୍ୟ ସରକାରଙ୍କ ଅଧିନରେ ଥିବାରୁ ରାଜ୍ୟ ସରକାର ବିଜୁଳି ଦର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ।

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ ବିଦ୍ୟୁତ ଦେୟ କ୍ଷେତ୍ରରେ ଓଡ଼ିଶାରେ ଦୁଇ ଦୁଇଟି ଆଇନ ଚାଲୁଛି । ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ କୋଟି କୋଟି ଟଙ୍କା ବିଦ୍ୟୁତ ଦେୟ ଛାଡ଼ କରାଯାଉଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ତଂଟିଚିପି ଅର୍ଥ ଆଦାୟ କରାଯାଉଛି । ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କ ଶୋଷଣ କରିବାକୁ ଚକ୍ରାନ୍ତ ଚାଲିଛି । ଶ୍ରୀ ନୱାଜ କହିଥିଲେ ଯେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ୧୪ ଜଣ ଶିଳ୍ପପତିଙ୍କୁ ୪୦୯୭.୬୭ କୋଟି ବିଦ୍ୟୁତ ଦେୟ ବିଭିନ୍ନ ଯୋଜନାରେ ଛାଡ଼ କରାଯାଇଛି । ସେହିଭଳି ୨୩ଟି ଶିଳ୍ପ ଉପରେ ୧୦୯୬.୩୨ କୋଟି ଟଙ୍କା ବିଦ୍ୟୁତ ଦେୟ ବାକି ପଡ଼ିଛି । ସେମାନଙ୍କ ଠାରୁ ବକେୟା ଅର୍ଥ ଆଦାୟ କରାଯାଉ ନାହିଁ କାହିଁକି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି ।

ମାତ୍ର କିଭଳି ସାଧାରଣ ଉପଭୋକ୍ତାଙ୍କୁ ହନ୍ତସନ୍ତ କରାଯିବ ତାର ଷଡ଼ଯନ୍ତ୍ର କରାଯାଉଛି । ଯଦି ବିଜେପି ସରକାର ତା’ର ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି ଦେବାର ବ୍ୟବସ୍ଥା ନକରି ସାଧାରଣ ଉପଭୋକ୍ତାଙ୍କ ଉପରେ ପୁଣି ବିଜୁଳି ଦେୟ ବୃଦ୍ଧି କରିବେ ତେବେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଦୁର୍ବାର ଆନ୍ଦୋଳନ ହେବ । ଶ୍ରୀ କାନୁନଗୋ କହିଲେ ଯେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଅଣ ବିଜେପି ଦଳ ଯେଉଁମାନେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲଢ଼େଇ କରିବେ ସେମାନଙ୍କର ସହଯୋଗରେ କଂଗ୍ରେସ ପୁରପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking