19.1 C
Bhubaneswar
Wednesday, November 20, 2024
Homeଦେଶ ବିଦେଶ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଘରୁ କାମ କରିବେ ଦିଲ୍ଲୀ ସରକାରୀ କର୍ମଚାରୀ । ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଦିଲ୍ଲୀରେ ପ୍ରଦୂଷଣକୁ ନଜରରେ ରଖି ଆମ୍ ଆଦମୀ ପାର୍ଟି ସରକାର ନିଜର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ‘ପ୍ରଦୂଷଣକୁ କମ୍ କରିବା ପାଇଁ ସରକାରୀ କାର୍ଯ୍ୟାଳୟରେ ୱାର୍କ ଫ୍ରମ୍ ହୋମ୍ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ଏହାର କାର୍ଯ୍ୟକାରିତା ପାଇଁ ଆଜି ସଚିବାଳୟରେ ଅଧିକାରୀମାନଙ୍କ ସହ ବୈଠକ ବସିବ’ । ମାତ୍ରାଧିକ ବାୟୁ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଙ୍ଗଳବାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଭିନ୍ନ ସମୟରେ କାର୍ଯ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦିଲ୍ଲୀ ସରକାର ଏବଂ ନଗର ନିଗମ (ଏମସିଡି) ଅଧୀନରେ ଆସୁଥିବା କାର୍ଯ୍ୟାଳୟଗୁଡ଼ିକ ସଂଶୋଧିତ ସମୟ ସାରିଣୀ ପାଳନ କରିବେ । ଏମସିଡି କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଏବଂ ସରକାରୀ କାର୍ଯ୍ୟାଳୟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ ଯାଏ ଖୋଲା ରହିବ । ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ଆଦେଶ ପ୍ରଭାବଶାଳୀ ରହିବ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ, ଦିଲ୍ଲୀର ପଞ୍ଜାବୀ ବାଗ, ପୁସା, ରୋହିଣୀ, ଶାଦିପୁର, ସୋନିଆ ବିହାର, ବିବେକ ବିହାର, ୱାଜିରପୁର, ଆଲିପୁର, ଆନନ୍ଦ ବିହାର, ବୱାନା, ଜାହାଙ୍ଗୀରପୁରୀ, ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ, ନରେଲା, ନେହେରୁ ନଗର ଓ ପ୍ରତାପଗଞ୍ଜ ଭଳି ଅଞ୍ଚଳରେ ଇଛଓ ସ୍ତର ୫୦୦ ଟପିଯାଇଛି । କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ନଭେମ୍ବର ୧୮ ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରାପ୍‌-୪ ଲାଗୁ କରିଦେଇଛି । ପ୍ରଦୂଷଣ ହେତୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଜେଏନୟୁ ଅନଲାଇନ୍ ପାଠପଢ଼ାର ଆୟୋଜନ କରିଛନ୍ତି । ସ୍କୁଲଗୁଡ଼ିକରେ ମଧ୍ୟ ଅଫଲାଇନ୍ ପାଠପଢ଼ା ବନ୍ଦ କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking