ଭୁବନେଶ୍ଵର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ ଟି ନୂତନ ‘ନର୍ସିଙ୍ଗ ଅଫିସର’ ପଦ ସୃଷ୍ଟି କରିଛନ୍ତି । ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଙ୍ଗ ସେବା କ୍ୟାଡରର ଏହି ପଦ ଗୁଡିକ ସୃଷ୍ଟି କରାଯାଇଛି । ଏହି ପଦ ଗୁଡିକ ସୃଷ୍ଟି ହେବା ଫଳରେ ସେମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବ ହେଲଥ ସେଣ୍ଟରଗୁଡିକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ । ସରକାରଙ୍କ ଏହି ସିଦ୍ଧାନ୍ତ ଫଳରେ ରୋଗୀ ସେବା ଓ ନର୍ସିଙ୍ଗ ପରିଚାଳନାରେ ଶୃଙ୍ଖଳାବଦ୍ଧତା ବୃଦ୍ଧି ପାଇବ । ହସ୍ପିଟାଲ ପ୍ରତିଷ୍ଠାନରେ ନର୍ସିଙ୍ଗ ସେବାର ଗୁଣୋନ୍ନତି ହେବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶକୁ ଆଗାମୀ ଦିନରେ ଅଧିକ ଦକ୍ଷ ଓ ପ୍ରତିବଦ୍ଧ କରିବାରେ ସହାୟକ ହେବ । ସୂଚନା ଅନୁସାରେ, ଏହି ପଦବୀ ଗୁଡିକୁ ଅର୍ଥ ବିଭାଗ ସହମତି ଦେଇଛି । ଏହାର ଆଗାମୀ ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ ।










