ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ବିଧାୟକମାନଙ୍କର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ୍ କହିଲେ ଯେ,ଓଡ଼ିଶା ଆଜି ଏକ ହିଂସାପ୍ରବଣ ରାଜ୍ୟ ରୂପେ ସାରା ଦେଶରେ ଅପବାଦର ଟିକା ପିନ୍ଧିସାରିଲାଣି। ପ୍ରତିଦିନ ଖବର କାଗଜରେ ପ୍ରଥମ ପୃଷ୍ଠାରେ ନା’ ବାଳିକା ଝିଅକୁ ଗଣଧର୍ଷଣ ବା ଧର୍ଷଣର ସମ୍ବାଦ ପରିବେଷଣ ହେଉଛି। ଏ ସବୁ ସତ୍ୱେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଧାନସଭାର ଅଧ୍ୟକ୍ଷାଙ୍କୁ ସୁଭ୍ରଦା ମାନଙ୍କର କରୁଣା ଚିତ୍କାର ଶୁଭୁନାହିଁ। ନାରୀକୁ ସୁରକ୍ଷା ଓ ସ୍ୱାବଲମ୍ବିର ପ୍ରତିଶ୍ରୁତ ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳର ସରକାର ଏ କଥାକୁ ୯ ମାସ ଭତିରେ ସଂପୂର୍ଣ୍ଣ ଭୁଲିଯାଇଛନ୍ତି।
କଂଗ୍ରେସ ଦଳ ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚର ପ୍ରତିବାଦରେ ବିଧାନ ସଭା ଭିତରେ ଯେଉଁ ଆଲୋଚନା କରିବା ପାଇଁ ଦାବୀ ରଖିଥିଲେ, ସରକାର ବିରୋଧି ଦଳର ଦାବିକୁ ଆଗ୍ରାହକଲେ। ପ୍ରତିବଦଳରେ ସରକାରୀ ଦଳର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସାରା ରାଜ୍ୟ ଦେଖିଲା। କଂଗ୍ରେସ ଦଳର ବିଧାୟକମାନଙ୍କୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଆକ୍ରମଣ କରିବା ସହିତ ଅଶୀଳ ଭାଷାରେ ଗାଳିଗୁଲଜ କଲେ। ଏହାକୁ ନେଇ କଂଗ୍ରେସ ଦଳ ଦୁଇଟି ଦାବି ଉପସ୍ଥାପନ କଲେ। (୧) ମହିଳା ଅତ୍ୟାଚାରକୁ ନିୟନ୍ତ୍ରଣ କରିବା ନିମନ୍ତେ ଏକ ଗୃହ କମିଟି ଗଠନ କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟଚାର ସଂପର୍କରେ ତାଙ୍କର ବିବୃତି ଗୃହରେ ଉପସ୍ଥାପନ କରନ୍ତୁ। କିନ୍ତୁ ଏ କଥାକୁ ସରକାରୀ ଦଳ ଆଜିପର୍ଯ୍ୟନ୍ତ ଗ୍ରହଣ କଲା ନାହିଁ। ପ୍ରତିବଦଳରେ କଂଗ୍ରେସ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ନିଳମ୍ବନ କଲାଗଲା। ଦୋଷ କଲା କିଏ ଦଣ୍ଡ ପାଇଲା କିଏ?
ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନିପତି କହିଲେ ଯେ, ବିଧାନସଭା ଭିତରେ ବିଜେପି ଦଳ ରାଜ୍ୟର ମହିଳାମାନଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମହିଳା ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗକୁ ନେଇ ଆମେ ଦାବି ଉପସ୍ଥାପନ କଲାବେଳେ ବିଜେପି ବିଧାୟକମାନେ ହିଂସ୍ର ହୋଇ ଉଠିଥିଲେ। ଏ କଥା ରାଜ୍ୟର ଘରେ ଘରେ ମହିଳାମାନେ ଗଣମାଧ୍ୟମରେ ଦେଖିଛନ୍ତି। କଂଗ୍ରେସ ଦଳ ବିଧାନସଭା ଭତିରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛି ତାହା କିପରି ଗଣମାଧ୍ୟମରେ ପ୍ରକାଶ ନ ପାଇବ ସେଥିପାଇଁ ସରକାର ବିଧିବଦ୍ଧ ଷଡଯନ୍ତ୍ର କରୁଛନ୍ତି। ରାଜ୍ୟର କୃଷକ, ଶ୍ରମିକ, ଛାତ୍ର ଓ ମହିଳା ସମସ୍ତଙ୍କର ଅଧିକାର ଅଛି। ବିଧାନସଭାରେ ଘଟୁଥିବା ଘଟଣା ଜାଣିବା ପାଇଁ ୟାକୁ କାହିଁକି ଚାପି ଦିଆଯାଉଛି। ଏହା ସଂପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ। ସରକାର ଭଗବାନ ନୁହଁନ୍ତି। ଏ ରାଜ୍ୟର ଜନସାଧାରଣ ସରକାର ଗଢ଼ିଛନ୍ତି ଓ ବିରୋଧିଦଳର ଦାୟିତ୍ୱ ଓ ଅଧିକାର ଆମକୁ ଦେଇଛନ୍ତି। ବିଧାନସଭା ବିଜେପି ଦଳର ବ୍ୟକ୍ତଗତ ସଂପତି ନୁହେଁ। ଏହା ରାଜ୍ୟର ଜନସାଧାରଣଙ୍କ ସଂପତି।
ମହିଳାମାନଙ୍କ ସ୍ଥିତିକୁ ନେଇ ରାଜ୍ୟର ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଉଦ୍ବେଗ ଜନକ ସ୍ଥିତିକୁ ନେଇ ଆଲୋଚନା କରିବା ପାଇଁ ମୁଲତବୀ ପ୍ରସ୍ତାବ ଦେବା କ’ଣ ଭୁଲ କି? ରାଜ୍ୟର ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କର ପ୍ରସଙ୍ଗକୁ ଆଲୋଚନା ପାଇଁ ସୁଯୋଗ ନ ଦେବା ଏହା ଅତ୍ୟନ୍ତ କଟୁ ସମାଲୋଚନା କରି କହିଛନ୍ତି। କଂଗ୍ରେସ ଦଳ ରାଜ୍ୟର ଜନସାଧାରଣଙ୍କ ପାଇଁ ଲଢ଼େଇ କରିବ। ଯେ ପର୍ଯ୍ୟନ୍ତ ଗୃହ କମିଟି କରାଯାଇନାହିଁ ଏବଂ ମୁଖ୍ୟମନ୍ତ୍ରୀ ବିଧାନସଭାରେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରୁନାହାନ୍ତି ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଅଗଣତାନ୍ତ୍ରିକ ଉପାୟରେ ବିଧାୟକଙ୍କୁ ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଏକ ଅପରାଧ। ସରକାର ବିଧାନ ସଭା ଚଳାଇବା ସରକାରଙ୍କ ଦାୟିତ୍ୱ। ଆମେ ସବୁବେଳେ ସହଯୋଗ କରିଆସିଛୁ। କିନ୍ତୁ ଗଣତନ୍ତ୍ରର ପରିଧି ଭିତରେ ରହି ଆମେ କାର୍ଯ୍ୟ କରିବୁ। ଏହି କାର୍ଯ୍ୟକ୍ରମରେ ବିଧାୟକ ଦାଶରଥି ଗମାଙ୍ଗୋ, ଅଶୋକ ଦାସ, ସାଗର ଦାସ, ସୋଫିଆ ଫିରଦୋଷ, ମଙ୍ଗୁ ଖିଲୋ, କାଡ୍ରାକା ଆପାଲସ୍ୱାମୀ, ସତ୍ୟଜିତ ଗାମାଙ୍ଗୋ, ପବିତ୍ର ସାଉଁଟା, ପ୍ରଫୁଲ ପ୍ରଧାନ ଓ ନିଳମାଧକ ହିକ୍କା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।