20.1 C
Bhubaneswar
Saturday, January 17, 2026
Homeଓଡିଶାଦରଦାମ୍ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଇଛି

ଦରଦାମ୍ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଇଛି

ଭୁବନେଶ୍ୱର: ଦରଦାମ୍ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଇଛି। ନିଜ ଦଳକୁ ବଞ୍ଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ପାଇଁ ଏବେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟା ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ରହିଛି। ମାତ୍ର ପ୍ରବାସୀ ଭାରତୀୟଙ୍କୁ ଯେତେବେଳେ ପୂରା ଓଡ଼ିଶା ସ୍ୱାଗତ କରିବାକୁ ଅପେକ୍ଷା କରିଛି, ସେତେବେଳେ ସାରା ବିଶ୍ୱରେ ଓଡ଼ିଶାର ଛବି ମଳିନ କରିବାକୁ ବିଜେଡି ହୀନ ପ୍ରୟାସ କରୁଛି ବୋଲି ରାଜ୍ୟ ବିଜେପି ଉପସଭାପି ସଭାପତି ଗୋଲକ ମହାପାତ୍ର କହିଛନ୍ତି। ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡିର ଆନ୍ଦୋଳନକୁ କାଉଣ୍ଟର କରି ଶ୍ରୀ ମହାପାତ୍ର ଏହା କହିଛନ୍ତି।

ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୋହନ ସରକାରଙ୍କ ନେତୃତ୍ୱରେ ଓଡ଼ିଶାର ଯେଭଳି ବିକାଶ ହେଉଛି ଏବଂ ସରକାର ଯେଭଳି ଲୋକଙ୍କ ପାଖରେ ପହଞ୍ଚିି ସେମାନଙ୍କ ସହ ଛିଡ଼ା ହେଉଛନ୍ତି ତାହାକୁ ବିଜେଡି ସହ୍ୟ କରିପାରୁନାହିଁ। ନିଜ ଶାସନ ସମୟରେ ବିଜେଡି ଉତ୍ତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଦରବୃଦ୍ଧି ଦେଇଯାଇଛନ୍ତି । ଏବେ ସେହି ଦୋଷ ବିଜେପି ସରକାର ଉପରକୁ ଠେଲି ଦେଉଛନ୍ତି। ବିଜେଡି ସରକାର ସମୟରେ ଆଳୁ ଓ ପିଆଜ ମିଶନ ଫେଲ ହୋଇଥିବାବେଳେ ଅଣ୍ଡା ଓ ମାଛ ଆଦି ରାଜ୍ୟରେ ଉତ୍ପାଦନ କରି ନ ପାରି ଆନ୍ଧ୍ରରୁ ଅଣାଯାଉଥିଲା। ଏପରିକି ପରିବା ମଧ୍ୟ ରଖି ନ ପାରି ବାହାରୁ ଆମଦାନୀ କରାଯାଉଥିଲା। ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି ବିଜେଡି ଉତ୍ତରାଧିକାରୀ ସୂତ୍ରରେ ଯାହା ଦେଇଛି ସେଥିପାଇଁ ଏବେ ଆନ୍ଦୋଳନ କରୁଛି।

ଏଥିପାଇଁ ଆନ୍ଦୋଳନ କରିବା ପୂର୍ବରୁ ବିଜେଡି ନିଜକୁ ପ୍ରଶ୍ନ କରିବା ଦରକାର ଯେ, ଦୀର୍ଘବର୍ଷ ଧରି ଶାସନ କରିବା ପରେ ଓଡ଼ିଶାରେ ଦରଦାମ ବୃଦ୍ଧି ହେଲା କାହିଁକି? ଓଡ଼ିଶାବାସୀଙ୍କ ପ୍ରତି ସେମାନେ ଯେଉଁଭଳି ଉପେକ୍ଷା କରିଛନ୍ତି ସେଥିରୁ ବର୍ତ୍ତିବା ପାଇଁ ବିଜେଡି ଏଭଳି ହୀନ ପ୍ରୟାସ କରୁଛି । କିନ୍ତୁ ଆଗାମୀ ଦିନରେ ଦାରଦାମ ବୃଦ୍ଧିରୁ ଓଡ଼ିଶାବାସୀଙ୍କୁ ମୁକୁଳାଇବା ପାଇଁ ବିଜେପି ସରକାର ଲମ୍ବା ଯୋଜନା କରି ପ୍ରକ୍ରିୟା ଆରମ୍ଭ କରିସାରିଛି। ଏଥିରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ରହିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking