ଢ଼ାକା: ବାଂଲାଦେଶରେ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇଛନ୍ତି । ଆଇସିଟି (ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ ଅଫ୍ ବାଂଲାଦେଶ) ଆସନ୍ତା ଅଗଷ୍ଟ ୩ ତାରିଖରୁ ହସିନାଙ୍କ ବିରୋଧରେ ତାଙ୍କ ଅନୁପସ୍ଥିତିରେ ବିଚାରଣ ଆରମ୍ଭ କରିବେ । ଟ୍ରିବ୍ୟୁନାଲ ହସିନା ଏବଂ ତାଙ୍କ ସମୟର ଗୃହମନ୍ତ୍ରୀ ଅସଦୁଜ୍ ଜମାନ୍ ଖାନ କମଲ, ତତ୍କାଳୀନ ପୁଲିସ ଆଇଜି ଚୌଧୁରୀ ଅବଦୁଲ୍ଲା ଏଆଇ ମାମୁନ୍ଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି । ଆଇଟିସି ଖଣ୍ଡପୀଠ କହିଛନ୍ତି, ହସିନାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଗତବର୍ଷ ଜୁଲାଇ-ଅଗଷ୍ଟ ଆନ୍ଦୋଳନ ସମୟରେ ଗଣହତ୍ୟା ଏବଂ ନିର୍ଯାତନା ସମେତ ୫ଟି ଅଭିଯୋଗ ରହିଛି । ହସିନା ଯଦି ଏହି ମାମଲାରେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ ।
ପ୍ରକାଶ, ନିକଟରେ ହସିନାଙ୍କର ଏକ ଅଡିଓ କ୍ଲିପ୍ ଲିକ୍ ହୋଇଛି, ଯେଉଁଥିରେ ସେ ଗତ ବର୍ଷର ବିଶାଳ ଛାତ୍ର ପ୍ରତିବାଦ ସମୟରେ ସୁରକ୍ଷା ବାହିନୀକୁ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଉଥିବାର ସ୍ପଷ୍ଟଭାବେ ଶୁଣିବାକୁ ମିଳୁଛି । ଏହାକୁ ନେଇ ତାଙ୍କର ସମସ୍ୟା ବହୁଗୁଣିତ ହୋଇଥିବା ବେଳେ ଏବେ ଟ୍ରିବ୍ୟୁନାଲ୍ଙ୍କ ଏପ୍ରକାର ରାୟ ସାମ୍ନାକୁ ଆସିଛି । ତାଙ୍କ ବିରୋଧରେ ଆଗତ ଏକାଧିକ ମାମଲାରେ ହସିନା ପୂର୍ବରୁ ଦୋଷୀସାବ୍ୟସ୍ତ ହୋଇସାରିଥିବା ବେଳେ ଏବେ ଆଉ କିଛି ମାମଲାରେ ସେ ପ୍ରମୁଖ ଅଭିଯୁକ୍ତ ଭାବେ ସାମିଲ ହୋଇଛନ୍ତି । ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ, ଉସୁକାଇବା, ଷଡ଼ଯନ୍ତ୍ର ଏବଂ ଗଣହତ୍ୟା ନିର୍ଦ୍ଦେଶ ଦେବା ଭଳି ଗମ୍ଭୀର ଅଭିଯୋଗ ରହିଛି ।










