ଇସ୍ରାଏଲ : ପୁଣି ଇସ୍ରାଏଲର ଟାର୍ଗେଟରେ ଗାଜା । ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଛି । ଗାଜାରେ ପାଟ୍ରୋଲିଂ ସମୟରେ ବିସ୍ଫୋରଣ ଘଟିବାରୁ ଇସ୍ରାଏଲର ପାଞ୍ଚ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାର ସୂଚନା ଇସ୍ରାଏଲୀ ସେନା ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ, ସୈନିକମାନେ ପାଟ୍ରୋଲିଂରେ ଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ବିଚାର ହେଉଥିବା ସମୟରେ ହୋଇଥିଲା । ଯେଉଁଥିରେ ୫ଜଣ ଇସ୍ରାଏଲ ସୈନିକଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଦୁଇ ସପ୍ତାହ ପୂର୍ବରୁ ଇସ୍ରାଏଲ କହିଥିଲା ଯେ ଜଣେ ପାଲେଷ୍ଟାଇନୀ ଆକ୍ରମଣକାରୀ ସେମାନଙ୍କ ସଶସ୍ତ୍ର ଯାନରେ ଏକ ବୋମା ରଖିଥିଲା । ଯାହା ଫଳରେ ସାତ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା ।
ଦକ୍ଷିଣ ଗାଜାର ଖାନ ୟୁନିସରେ ବିସ୍ଥାପିତ ଲୋକଙ୍କ ଶିବିରକୁ ଟାର୍ଗେଟ କରି ଏକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଚାରି ଜଣ ପ୍ରାଣ ହରାଇଥିଲେ ବୋଲି ହସ୍ପିଟାଲ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଖାନ ୟୁନିସରେ ଅନ୍ୟ ଏକ ଆକ୍ରମଣରେ, ଜଣେ ମା, ବାପା ଏବଂ ସେମାନଙ୍କର ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଆକ୍ରମଣ ଯୋଗୁଁ ଗାଜାରେ ୫୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲୀ ସେନାର ଆକ୍ରମଣ ପରେ ଗାଜା ସମ୍ପୂର୍ଣ୍ଣ ଧ୍ୱଂସବିଧ୍ବଂସ ହୋଇ ଯାଇଛି । ସବୁଠି କୋଠାର ଭଗ୍ନାବଶେଷ ଦେଖିବାକୁ ମଧ୍ୟ ମିଳୁଛି। ୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣ କରିବା ପରେ ଇସ୍ରାଏଲ ଗାଜା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୨୫୧ ଜଣଙ୍କୁ ବାନ୍ଧି ରଖିଥିଲେ ।










