ନୂଆଦିଲ୍ଲୀ:- ସମଗ୍ର ବିଶ୍ୱରେ ଏବେ ତୃତୀୟ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଲାଣି । ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନଥିଲା ବେଳେ ଅନ୍ୟପଟେ ଇସ୍ରାଏଲ ଗାଜା ଉପେର ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣ ଫଳରେ ମଧ୍ୟ-ପ୍ରାଚ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଯୁଦ୍ଧରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ହମାସ ଭଳି ଚରମପନ୍ଥୀ ଗୋଷ୍ଠୀ ଉପରେ ଆକ୍ରମଣ ଜାରି ରଖିଛି । ଇସ୍ରାଏଲ ପାଲେଷ୍ଟାଇନ ଅନ୍ତର୍ଗତ ଗାଜା ଓ ବେରୁଟରେ ନିଜର ଏୟାରଷ୍ଟ୍ରାଇକ ଜାରି ରଖିଛି । ଶନିବାର ମଧ୍ୟରାତ୍ରରେ ହୋଇଥିବା ଏୟାରଷ୍ଟ୍ରାଇକରେ ଗାଜାର ୧୯ ଜଣଙ୍କ ସହ ବେରୁଟରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଗାଜାଷ୍ଟ୍ରିପରେ ଥିବା ଏକ ନାଗରିକ ପ୍ରତିରକ୍ଷା ଅନୁଷ୍ଠାନ ଏହି ଏୟାର ଷ୍ଟ୍ରାଇକରେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ଦେଇଛି । “ବେରୁଟର ବସ୍ତା ଅଲ-ଫାୱକାରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହିତ ବହୁ ଜଣଙ୍କ ଦେହାବଶେଷ ଠାବ ହୋଇଛି । ଡିଏନଏ ଟେଷ୍ଟ ସରିଲା ପରେ ମୋଟ କେତେଜଣଙ୍କ ମୃତ୍ୟୁ ଘଟିଛି ସେନେଇ ଆନୁଷ୍ଠାନିକ ଭାବେ କହିହେବ ” ବୋଲି ଲେବନାନର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି ।
ମିଳିଥିବା ସୂଚନା ମୁତାବକ ଇସ୍ରାଏଲୀ ବାୟୁସେନା ବସ୍ତା ଅଞ୍ଚଳରେ ପ୍ରବେଶ କରି ଏକ ଆଠ ମହଲା ବିଶିଷ୍ଟ ଏକ ବିଲ୍ଡିଂକୁ ଟାର୍ଗେଟକରି ଏହି ଷ୍ଟ୍ରାଇକ କରିଥିଲା । ଏହି ଷ୍ଟ୍ରାଇକରେ ସମ୍ପୁର୍ଣ୍ଣ ବିଲ୍ଡିଂ ଧ୍ୱଂସ ହୋଇଯିବା ସହ ଅନେକ ଲୋକ ମୃତାହାତ ହୋଇଥିଲେ । ଅକ୍ଟୋବର ୨୦୨୩ରୁ ଇସ୍ରାଏଲ, ହମାସ ଓ ଇରାନ ସମର୍ôଥତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ ଲାଗି ରହିଛି । ଲେବାନନ ସୀମାରେ ଏକ ବର୍ଷର ଶାନ୍ତି ପରେ ଇସ୍ରାଏଲ ଗତ ସେପ୍େଟମ୍ବର ମାସରେ ଲେବାନନ ଉପରେ ଏୟାର ଷ୍ଟ୍ରାଇକ କରିବା ସହ ନିଜ ସୈନ୍ୟବାହିନୀକୁ ହେଜବୁଲ୍ଲା ବିରୁଦ୍ଧରେ ଲଢିବା ପାଇଁ ଦକ୍ଷିଣ ଲେବାନନକୁ ପଠାଇଥିଲା । ଅନ୍ୟପଟେ ଗାଜା ଷ୍ଟ୍ରିପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ଯୋଗାଣ ବ୍ୟବସ୍ଥା ଠପ ହୋଇଯାଇଛି । ଯାହା ଫଳରେ ଗାଜାରେ ଥିବା ଏକ ମାତ୍ର ଚିକିତ୍ସାଳୟ ଆଉ ମାତ୍ର ୨ଦିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ପାଲେଷ୍ଟାଇନର ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।