ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲା ହସ୍ପିଟାଲର ଅକ୍ସିଜେନ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍ ସମ୍ପର୍କରେ ଜାଣିବା ପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମାତ୍ରାଧିକ ଭୟ ସଞ୍ଚାର ହୋଇଥିଲା । ଭୟରେ ସେମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ପରିସ୍ଥିତି ଦଳାଚକଟାର ରୂପ ନେଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ମେଡିକାଲ କଲେଜର ପ୍ରିନ୍ସିପାଲ ଡାକ୍ତର ରାଜେଶ କୁମାର କହିଛନ୍ତି, ଟ୍ରମା ସେଣ୍ଟରରେ ଥିବା ଓଟିରୁ ଫର୍ମାଲାଇନ୍ ଗନ୍ଧ ଆସିବାରୁ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଗ୍ୟାସ ଲିକ୍ ଯୋଗୁ ଯେତେବେଳେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା, ସେମାନଙ୍କ ସମ୍ପର୍କୀୟମାନେ ରୋଗୀମାନଙ୍କୁ ବାହାରକୁ ନେଇ ଦୌଡ଼ିବାକୁ ଲାଗିଲେ ।
ଯାହା ଯୋଗୁ ମେଡିକାଲ କଲେଜରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗୋଟିଏ ପଟେ ଗ୍ୟାସ୍କୁ ନିୟନ୍ତ୍ରଣ କରିବାରେ ଲାଗିଥିବା ବେଳେ ଅନ୍ୟ ଦଳ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷିତ ଉଦ୍ଧାର କରି ୱାର୍ଡ ବାହାରକୁ ଆଣିବାରେ ଲାଗିପଡ଼ିଥିଲେ । ପରିସ୍ଥିତି ଏବେ ସ୍ୱାଭାବିକ ଅଛି ଏବଂ ସମସ୍ତ ରୋଗୀଙ୍କୁ ମେଡିକାଲ କଲେଜକୁ ଫେରାଇ ନିଆଯାଉଛି । ଏହି ଘଟଣାଟି କୋତ୍ୱାଲି ଥାନା ଅଞ୍ଚଳରେ ଅବସ୍ଥିତ ପଣ୍ଡିତ ରାମ ପ୍ରସାଦ ବିସ୍ମିଲ ସ୍ୱୟଂଶାସିତ ରାଜ୍ୟ ମେଡିକାଲ କଲେଜରେ ଘଟିଛି । ଜିଲାପାଳ ଧର୍ମେନ୍ଦ୍ର ପ୍ରତାପ ସିଂହ ଘଟଣାର ସତ୍ୟାସତ୍ୟ ପ୍ରମାଣ କରି କହିଛନ୍ତି ଯେ, ଅପରେଶନ ଥିଏଟର (ଓଟି)ରୁ ଗ୍ୟାସ୍ ଲିକ୍ ହୋଇଥିଲା । ଘଟଣା ବିଷୟରେ ସୂଚନା ସଂଗ୍ରହ କରାଯାଉଛି । ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ ବୋଲି ସେ କହିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ପରିସ୍ଥିତି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି । ତେବେ କିପରି ଓ କେଉଁ ପରିସ୍ଥିତିରେ ଗ୍ୟାସ୍ ଲିକ୍ ହୋଇଛି ସେସମ୍ପର୍କରେ ବ୍ୟାପକ ଯାଞ୍ଚ୍ କରାଯିବ ।