19.1 C
Bhubaneswar
Tuesday, February 3, 2026
Homeଓଡିଶାମାଲକାନଗିରି ମୋଟୁରେ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ; ହଜାର ହଜାର ଲୋକ ନାରା ଦେଇ ଚାଲିଲେ

ମାଲକାନଗିରି ମୋଟୁରେ ‘ଗାନ୍ଧୀ ପଥେ ପଦଯାତ୍ରା’ ଆରମ୍ଭ; ହଜାର ହଜାର ଲୋକ ନାରା ଦେଇ ଚାଲିଲେ

ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ। ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ମୋଟୁଠାରେ ନବନିଯୁକ୍ତ ଡିସିସି ସଭାପତି ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ତଥା ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ତିନି ନଦୀର ସଙ୍ଗମ, ଚାରି ରାଜ୍ୟର ମିଳନ ସ୍ଥଳରେ ଫୋନ୍ ନେଟୱର୍କ ନାହିଁ; ବିକାଶ ନାହିଁ। ସବୁ ଥାଇ ଏହା ଏକ ପର୍ଯ୍ୟଟନ ସ୍ଥଳ ହେଲାନାହିଁ। ହାସ୍ୟାସ୍ପଦ କଥା ହେଲା, କ୍ଷମତାରେ ଥିବାବେଳେ ପୋଲାଭରମ ପ୍ରକଳ୍ପକୁ ଅଟକାଇ ପାରି ନ ଥିବା ବିଜେଡି ଏବେ ଧାରଣାରେ ବସୁଛି। ଚାହିଥିଲେ ବିସ୍ଥାପିତଙ୍କୁ ପ୍ୟାକେଜ ଦେଇପାରିଥାନ୍ତେ। ଶ୍ରୀ ଦାସ ବିଜେପିକୁ ପ୍ରଶ୍ନ କରିଥିଲେ, ତ୍ରୁଟିପୂର୍ଣ ପ୍ରକଳ୍ପ କାହିଁକି କରୁଛ? ୨୦୧୩ କାନୁନ ଅନୁସାରେ ୨୦ ବର୍ଷର ଭରଣପୋଷଣର କୁଆଡେ ଗଲା? ଚିତ୍ରକୋଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ପରି ଅଭାବନୀୟ ଘଟଣା ପରେ ‘ନାରୀ ପାଇଁ ନ୍ୟାୟ’ କାର୍ଯ୍ୟକ୍ରମ କଂଗ୍ରେସ ଗ୍ରହଣ କରିବାକୁ ବାଧ୍ୟ ହେଲା। ସରକାର ଚୁପ୍ କାହିଁକି?

ରାଜ୍ୟର ଦୁର୍ଗତି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି, ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଫସଲ ବୀମା ନାହିଁ। ସାରର ବ୍ୟାପକ କଳାବଜାର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। କଟନିଛଟନିରେ ୨ ହଜାରର ଦୁର୍ନୀତି ହେଲା। କେବିକେ ଓ ଦେଶର ଅନ୍ୟ ପଛୁଆ ଅଞ୍ଚଳର ବିକାଶ ପାଇଁ ୟୁପିଏ ୪୦ ହଜାର କୋଟି ଦେଉଥିଲା। ବର୍ଷକୁ ୨ କୋଟି ହିସାବରେ ଗତ ୧୧ ବର୍ଷରେ ବେକାର ଯୁବକଙ୍କୁ ୨୨ କୋଟି ଚାକିରୀ ଦେବା କୁଆଡେ ଗଲା?ଓବିସି ସଂରକ୍ଷଣ ସ୍ଥିତି କ’ଣ?ଏହା କ’ଣ ସାମାଜିକ ନ୍ୟାୟ? ବିଜେପି ଅମଳରେ ସମ୍ବିଧାନ ମଧ୍ୟ ବିପଦରେ। ଏତେ ଦୁର୍ଗତି ସତ୍ତ୍ୱେ ଏମାନେ କିପରି ଜିତୁଛନ୍ତି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ଏମାନେ ଏତେ ଭଲ କାମ କରୁଛନ୍ତି ଯେ ବାରମ୍ବାର ଜିତୁଛନ୍ତି? ଏହା ଭୋଟ୍ ଚୋରିର କମାଲ୍ ଛଡା କିଛି ନୁହେଁ।

ଗାନ୍ଧିପଥେ ଓଡିଶା ଦ୍ଵିତୀୟ ଦିନ ପଦଯାତ୍ରା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଲଲାଟେନ୍ଦୁ ମହାପାତ୍ର, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ମାଲକାନଗିରି ବିଧାୟକ ପ୍ରାର୍ଥୀ ମାଲା ମାଢି, ଭୁଜବଳ ମାଝୀ, ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି ଏବଂ ମାଲକାନଗିରି, କୋରାପୁଟ ଜିଲ୍ଲାର ଓ ରାଜ୍ୟର ବହୁ କାର୍ଯ୍ୟକର୍ତ୍ତା ହଜାର ହଜାର ସଂଖ୍ୟାରେ କଂଗ୍ରେସ ସମର୍ଥକ ମାଲକାନଗିରିର ପଟେରୁରୁ ଆରମ୍ଭ ହୋଇ ମାଲକାନଗିରିର ଡିଏନକେ ଖେଳ ପଡିଆରେ ପହଞ୍ଚିଥିଲା ସେଠାରେ ପ୍ରଥମ ପର୍ଯ୍ୟାୟ ପଦଯାତ୍ରାର ଉଦଯାପନୀ ସମ୍ମିଳନୀରେ ସଭାପତି ଶ୍ରୀ ଦାସ ତଥା ଅନ୍ୟ ବରିଷ୍ଠ କଂଗ୍ରେସ ନେତାଗଣ ରାଜ୍ୟ ସରକାରଙ୍କ କୁଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ରାହୁଳ ଗାନ୍ଧୀଙ୍କ ବିଚାରରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ କରିବା ସହ ଆଗାମୀ ଦିନରେ ଅପାରଗ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଗାନ୍ଧୀ ପଥରେ ଚାଲିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

ପଦଯାତ୍ରା ବାଟରେ, ଚଳିତ ବର୍ଷ ଫେବୃଆରୀ ମାସରେ ନିର୍ମମ ଭାବରେ ବଳାତ୍କାର ଏବଂ ହତ୍ୟାର ଶିକାର ହୋଇଥିବା ମାଲକାନଗିରି ଜିଲ୍ଲାର କାଲିମେଳା, ଏମଭି-୭୨ ଗ୍ରାମର ଦୁଇ ନାବାଳିକା ଝିଅଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ୍। ଆଜି ମଧ୍ୟ ସେମାନଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଅଛନ୍ତି । ଏହି ଲଢ଼େଇରେ କଂଗ୍ରେସ ଦଳ ସେମାନଙ୍କ ସହିତ ଦୃଢ଼ ଭାବରେ ଛିଡା ହୋଇଛି ବୋଲି ପିସିସି ସଭାପତି ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଗାନ୍ଧୀ ପଥେ ଓଡ଼ିଶା ନ୍ୟାୟ ଯାତ୍ରାର ପ୍ରଥମ ପର୍ଯ୍ୟାୟ ମାଲକାନଗିରି ଠାରୁ ଆରମ୍ଭ ହୋଇଥିବାବେଳେ ନୂଆପଡ଼ା ବିଧାନସଭା ନିର୍ବାଚନ ପରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହୋଇ ବର୍ଷ ବ୍ୟାପି ଚାଲିବ। ଉକ୍ତ ପଦଯାତ୍ରା ରାଜ୍ୟର ସମସ୍ତ ଜିଲ୍ଲାର ୩୧୪ ବ୍ଲକ୍ ଅତିକ୍ରମ କରିବ। ପିସିସି ସଭାପତି ଶ୍ରୀ ଦାସ ପାଦରେ ଚାଲି ଚାଲି ରାଜ୍ୟର ସମସ୍ତ ଅଞ୍ଚଳ ବୁଲିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking