ପାଣାଜି: ସମୟେ ସମୟେ ନିଜ ଦଳକୁ ଅନେକ ପ୍ରସଙ୍ଗରେ ସମାଲୋଚନା କରିଆସୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ପୁଣିଥରେ ନିଜ ପୁରୁଣା ଆଭିମୁଖ୍ୟ ଦୋହରାଇଛନ୍ତି । ଗୋଆ ଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ଯାଇ ସେ କହିଛନ୍ତି ଯେ, ବିଜେପି ଏକ ଭିନ୍ନ ପ୍ରକାରର ଦଳ । ଦଳ ଯେଉଁ ନୀତି ଆଦର୍ଶକୁ ପାଥେୟ କରି ଆଗକୁ ବଢ଼ୁଛି ତାହାହିଁ ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସକୁ ଜିତିପାରିଛି । ସୁତରାଂ କଂଗ୍ରେସ କରିଥିବା ଭୁଲ୍ଗୁଡିକର ଯେପରି ପୁନରାବୃତ୍ତି ନହୁଏ କିମ୍ବା ସେଭଳି ଭୁଲ୍ ଯେପରି ଭୁଲ୍ରେ ମଧ୍ୟ ବିଜେପି ନକରେ ସେନେଇ ସତର୍କ ରହିବାକୁ ସେ ବିଜେପିକୁ ଚେତାବନୀ ଦେଇଛନ୍ତି ।
ଗୋଆର ରାଜଧାନୀ ପଣଜୀରେ ଗୋଆ ଭାଜପା କାର୍ଯ୍ୟନିର୍ବାହୀ ବୈଠକକୁ ସମ୍ବୋଧିତ କରିବା ଅବସରରେ ଗଡକରୀ କହିଛନ୍ତି ଯେ, କଂଗ୍ରେସ କରିଥିବା ଭୁଲ୍ ଭଳି ବିଜେପି କଦାପି କରିବା ଉଚିତ ନୁହେଁ । ବରଂ କଂଗ୍ରେସ କରିଥିବା ଭୁଲ୍ରୁ ବିଜେପିକୁ ଅନେକ କିଛି ଶିକ୍ଷା ଗ୍ରହଣ କରିବାକୁ ହେବ । ଯେଉଁ ଭୁଲ୍ କାରଣରୁ ଦେଶର ପୁରାତନ ଦଳକୁ ଆଜି ଦେଶବାସୀ କ୍ଷମତାରୁ ହିଁ ବହିଷ୍କାର କରିଦେଇଛନ୍ତି । ଗଡକରୀଙ୍କ କହିବାନୁସାରେ ଯଦି ଆମେ କଂଗ୍ରେସ ଯାହା ଭୁଲ୍ କରିଛି ବା କରିଆସୁଛି ସେସବୁର ପୁନରାବୃତ୍ତି କରିବା ତେବେ ସେମାନଙ୍କ ଯିବା ଏବଂ ଆମର ଆସିବାରେ କୌଣସି ଅର୍ଥ ନାହିଁ । ଏତଦ୍ବ୍ୟତୀତ ଗଡକରୀ ନିଜ ୪୦ମିନିଟର ଅଭିଭାଷଣରେ ତାଙ୍କ ପରାମର୍ଶଦାତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବିବୃତ୍ତିକୁ ମଧ୍ୟ ଦୋହରାଇଥିଲେ ।
ଗଡକରୀ କହିଥିଲେ ଜାତିବାଦକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ । କଂଗ୍ରେସ ଏହି ଭୁଲ୍ କରିଥିଲା, ଯାହାର ପରିଣାମ ଆଜି ଦଳକୁ ଭୋଗିବାକୁ ପଡୁଛି । ସୁତରାଂ ତାଙ୍କ ସମ୍ମୁଖରେ ଯିଏ ଜାତିବାଦ ରାଜନୀତି ସମ୍ପର୍କରେ କିଛି ବି କହିବ, ସେ ନିଜେ ତାକୁ ଗୋଇଠା ମାରି ତଡିଦେବେ । ଏହି ବୈଠକରେ ଗୋଆ ରାଜ୍ୟ ୟୁନିଟ ସଭାପତି ସଦାନନ୍ଦ ତନୱାଡେ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ତୃତୀୟ ଥର ପାଇଁ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରଠାରୁ ଆଜି ପର୍ଯ୍ୟନ୍ତ ଦଳ ବିରୋଧରେ ସେ କିଛି କହିନଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ଅନେକ ପ୍ରସଙ୍ଗରେ କହିବାର ଶୁଣିବା ଓ ଦେଖିବାକୁ ମିଳିଥିଲା । ତେବେ ନାଗପୁରର ଏହି ଲୋକପ୍ରିୟ ସାଂସଦ ଏବେ ଗୋଆ ମାଟିରୁ ଏକ ବଡ଼ କଥା କହିଛନ୍ତି ।
ଗଡ଼କରୀଙ୍କ କହିବାନୁସାରେ କଂଗ୍ରେସର ଭୁଲ ଯୋଗୁଁ ଦେଶର ଲୋକମାନେ ଭାଜପାକୁ ନିର୍ବାଚିତ କରିଛନ୍ତି । ସୁତରାଂ ଦେଶବାସୀଙ୍କ ଭୋଟ୍କୁ ସମ୍ମାନ ଜଣାଇବା ପୂର୍ବକ ସେବା ମନୋଭାବ ନେଇ କାମ କରିବାକୁ ହେବ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ କାମ କରିବାକୁ ନିର୍ବାଚିତ ଜନପ୍ରତିନିଧି ପ୍ରତିଶ୍ରୁତିବଦ୍ଧ ହେବା ଉଚିତ୍ । ଆଗାମୀ ଦିନରେ ଦଳୀୟ କର୍ମୀମାନେ ଜାଣିବା ଉଚିତ ଯେ ରାଜନୀତି ହେଉଛି ସାମାଜିକ ଏବଂ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଏକ ମାଧ୍ୟମ । ଏହାକୁ ଜାତିବାଦ ସହ ଯୋଡିବାର କୌଣସି ଆବଶ୍ୟକତା ନାହିଁ । ବିଜେପକୁ ଏକ ଦୁର୍ନୀତିମୁକ୍ତ ଦେଶ ଗଢିବାକୁ ପଡିବ ଏବଂ ଏଥିପାଇଁ ଆମ ପାଖରେ ବଳିଷ୍ଠ ଯୋଜନା ରହିବା ଉଚିତ୍ ବୋଲି ସେ ଜୋର ଦେଇ କହିଛନ୍ତି ।