ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ତଦନ୍ତ ରିପୋର୍ଟ ପରେ, ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ବଡ଼ ନିଷ୍ପତ୍ତି ନେଇଛି । ଏସମ୍ପର୍କରେ ସୂଚନା ଦେଇ ଡିଜିସିଏ କହିଛି ଯେ, ଦେଶରେ ଚାଲୁଥିବା ସମସ୍ତ ବିମାନଗୁଡ଼ିକର ଯାଞ୍ଚ ବାଧ୍ୟତାମୂଳକ ହେବ । ବିଶେଷକରି ବିମାନର ଇଞ୍ଜିନ୍ ସ୍ୱିଚ୍ ଇନ୍ଧନ ପ୍ରଣାଳୀ ଯାଞ୍ଚ କରାଯିବ । ତେବେ ଏସବୁ ଯାଞ୍ଚ୍ ପ୍ରକ୍ରିୟା ଜୁଲାଇ ୨୧ ସୁଦ୍ଧା ସମାପ୍ତ ହେବା ଉଚିତ୍ । ସୂଚନାଯୋଗ୍ୟ, ଜୁନ ୧୨ରେ ଅହଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା ।
ଏହି ଦୁର୍ଘଟଣାର ତଦନ୍ତ କରିଥିବା ଏଏଆଇବି ରିପୋର୍ଟରୁ ଦୁର୍ଘଟଣାଗ୍ରସ୍ତ ବିମାନର ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ନିୟନ୍ତ୍ରଣ କରୁଥିବା ଉଭୟ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ବନ୍ଦ ଥିବା ଜଣାପଡିଛି । ସମ୍ଭବତଃ ଏହା ହିଁ ବିମାନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆବୁଧାବିର ପ୍ରମୁଖ ବିମାନ କମ୍ପାନୀ ଏଟିହାଡ୍ ଏୟାରୱେଜ ମଧ୍ୟ ଏହାର ପାଇଲଟମାନଙ୍କୁ ଉଡ଼ାଣ ସମୟରେ ଅତ୍ୟନ୍ତ ସତର୍କତାର ସହିତ ବୋଇଂ ୭୮୭ ବିମାନରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି । ଏହ ସହିତ, ଏହି ସ୍ୱିଚଗୁଡ଼ିକର ଲକିଂ ସିଷ୍ଟମ ଯାଞ୍ଚ କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି । ଅହମଦାବାଦ୍ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଏବେ ସବୁ ବିମାନ କମ୍ପାନୀଗୁଡ଼ିକ ଏଭଳି କିଛି ନିର୍ଦ୍ଦେଶ ଜାରି କରିବା ନେଇ ଆଶା କରାଯାଉଛି ।










