ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟୁ ମସ୍ତାଫାବାଦରେ ଏକ ବଡ ଦୁର୍ଘଟଣା ଘଟିଛି । ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ୮ ରୁ ୧୦ ଜଣ ପୋତି ହୋଇ ରହିଥିବା ସମ୍ଭାବନା ରହିଛି । ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ଭଗ୍ନାବଶେଷରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଉଦ୍ଦାରକାରୀ ଦଳ ଦ୍ୱାରା ରିଲିଫ୍ କାର୍ଯ୍ୟ ଜାରି ରହିଛି ।
ନ୍ୟୁ ମସ୍ତାଫାବାଦର ଶକ୍ତି ବିହାରରେ ଏକ ଚାରି ମହଲା କୋଠା ଭୁଶୁଡି ପଡିବା ଘଟଣା ଘଟିଛି । ଶୁକ୍ରବାର ଓ ଶନିବାର ରାତିରେ ୨:୫୦ ସମୟରେ ଅଗ୍ନିଶମ ବିଭାଗ କୋଠା ଭୁଶୁଡି ପଡିବା ବିଷୟରେ ସୂଚନା ପାଇଥିଲା । ସୂଚନା ପାଇବା ପରେ, ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଦଳ ପଠାଇଥିଲା । ୪୦ ରୁ ଅଧିକ ଉଦ୍ଧାରକାରୀ ଦଳର ସଦସ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ସ୍ଥନାନ୍ତରିତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଦାର କାର୍ଯ୍ୟ ଏବେ ବି ଜାରି ରହିଛି । ଉତ୍ତର ପୂର୍ବ ଜିଲ୍ଲାର ଅତିରିକ୍ତ ଡିସିପି ସନ୍ଦୀପ ଲାମ୍ବା କହିଛନ୍ତି ଯେ ଭଗ୍ନାବଶେଷ ମଧ୍ୟରେ ଏବେ ବି ୮ ରୁ ୧୦ ଜଣ ଫସି ରହିଥିବା ସମ୍ଭାବନା ରହିଛି । ଚାରି ମହଲା ବିଶିଷ୍ଟ ଏହି କୋଠାରେ ପ୍ରାୟ ୨୦ ଜଣ ଲୋକ ରହୁଥିଲେ । କୋଠା ଭୁଶୁଡିବା ଘଟଣା କ୍ୟାମେରାରେ କଏଦ ହୋଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।