ଭୁବନେଶ୍ୱର: କଥା ଦେଇ କଥା ରଖିଲେ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଡ଼ବିଲର ଠାରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରି ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ କରିଛନ୍ତି। ଗତବର୍ଷ ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ବଡ଼ବିଲ ବାସୀଙ୍କୁ ଦେଇଥିଲେ ଏବଂ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ।ସୂଚନାଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ୨୯ କୋଟି ୪୧ ଲକ୍ଷ ବ୍ୟୟ ବରାଦରେ ୨୪ ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୩୨୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଡ଼ବିଲ ସହର ପାଇଁ ଏକ ବାଇପାସ୍ ତଥା ରିଂ ରୋଡର ଦୈର୍ଘ୍ୟ ହେଉଛି ୧୮ କିଲୋମିଟର ୩୨୬ ମିଟର। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେଯେ, ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଂଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଏକ ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ ହେବ ଏବଂ ୮ ଲେନ ବିଶିଷ୍ଟ ବଡ଼ବିଲ – ପାରାଦ୍ୱୀପ ରାସ୍ତା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ଆମ ଲୋକଙ୍କ ସୁଖ ଦୁଃଖର ସରକାର ଆଉ କଥା ଦେଇ କଥା ରଖିବାର ସରକାର। ଲୋକଙ୍କୁ ଦେଇଥିବା ଅନେକ କଥା ମଧ୍ୟରୁ ଆଜି ଆଉ ଗୋଟିଏ କଥା ଆମେ ରଖିଛୁ ବୋଲି କହି ମୁଖ୍ୟମନ୍ତ୍ରୀ ସଭାସ୍ଥଳୀକୁ ସମ୍ବୋଧନ କରିଥିଲେ ଏବଂ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ୍ଵାସ ଓ ଉଲ୍ଲାସର ସହ ସ୍ୱାଗତ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝର ବା ବଡବିଲ୍ ପରି ସହରମାନଙ୍କ ଟ୍ରାଫିକ ଏବଂ ଭାରି ଯାନବାହାନ ଚଳାଚଳ ସମସ୍ୟା ବିଷୟରେ ମୁଁ ସବୁ ଜାଣିଛି। ମୁଁ ନିଜେ ଗୋଟିଏ ଭୁକ୍ତଭୋଗୀ। ତେଣୁ, ଏ ସବୁ ଅସୁବିଧା ଦୂର କରିବା ପାଇଁ ଆମ ସରକାର ପ୍ରଥମରୁ ହିଁ ନିଷ୍ପତ୍ତି ନେଇଥିଲେ। ଆଜି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇ ବଡ଼ବିଲ ସହର ପାଇଁ ୧୮ କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ବାଇପାସ୍ ତଥା ରିଂ ରୋଡ୍ ର ଶିଳାନ୍ୟାସ କରାଗଲା। ଭଦ୍ରା ସାହିରୁ ସେରେଣ୍ଡା ପର୍ଯ୍ୟନ୍ତ ୩.୭ କିଲୋମିଟର, ସେରେଣ୍ଡାରୁ ବଲାଣି ପର୍ଯ୍ୟନ୍ତ ୬.୩ କିଲୋମିଟର ଏବଂ ସେରେଣ୍ଡାରୁ ନଲ୍ଦା ପର୍ଯ୍ୟନ୍ତ ହେଉଛି ୮.୩ କିଲୋମିଟର । ଏ ପୁରା ବାଇପାସ୍ଟି ଆପଣମାନଙ୍କର ଏକ ଦୀର୍ଘଦିନର ସମସ୍ୟାର ସମାଧାନ କରିବ। ଏହାର ଡିଜାଇନ୍ ଅତ୍ୟନ୍ତ ଉନ୍ନତ ମାନର ହେବ ଏବଂ ଅଧିକ ଗାଡିର ବୋଝ ବା ଟ୍ରାଫିକ୍ ସମ୍ଭାଳିଲାଭଳି ଦୃଢ଼ତା ଏହାର ରହିବ। ଆଧୁନିକ ଡିଜାଇନ୍ ଅନୁଯାୟୀ ଦିନକୁ ୪୦ ହଜାର ପାସେଞ୍ଜର କାର ଗଲାପରି ସଡକ ନିର୍ମାଣ ହେବାର ଆବଶ୍ୟକତା ରହିଛି। ଏହି ରିଂ-ରୋଡ୍ରେ ଏତିକି ଗାଡି ଚଳାଚଳ କରିବାର କାପାସିଟି ରହିଛି। ବର୍ତ୍ତମାନ ଦିନକୁ ସର୍ବାଧିକ ୧୫ ହଜାର ୩୭୫ ପାସେଞ୍ଜର କାର୍ ଯାଉଛି। ଆଗାମୀ ଦିନରେ ଏହି ରିଂ-ରୋଡ୍ ସମ୍ପୂର୍ଣ୍ଣ ହେବା ପରେ, ଏଥିରେ ୪୦ ହଜାର କାର୍ ଯିବାର କାପାସିଟି ରହିବ। ଏହା ଦ୍ୱାରା ବଡବିଲ୍ ସହରର କଳେବର ମଧ୍ୟ ବୃଦ୍ଧିହେବ। ରିଂ-ରୋଡ୍ର ଉଭୟ ପାର୍ଶ୍ବରେ ଅଧିକ ହାଉସିଂ କଲୋନୀ ଗଢିଉଠିବ ଓ ଇକୋନୋମିକ୍ ଆକ୍ଟିଭିଟି ମଧ୍ୟ ବଢିବ। ଯେଉଁ ଗାଡିଗୁଡିକ ଏହି ରୁଟ୍ରେ ଅପରେଟ୍ କରିବ ତାଙ୍କର ଅପରେଟିଙ୍ଗ ଖର୍ଚ୍ଚ ମଧ୍ୟ କମିବ ଏବଂ ଏହାଦ୍ବାରା ଆମର ଅର୍ଥନୀତିକୁ ମଧ୍ୟ ଏହାର ଏକ ବଡ ଅବଦାନ ରହିବ। ମୋଟ୍ ଉପରେ ଏହି ପ୍ରକଳ୍ପଟି ଆମ ଅଞ୍ଚଳରେ ସମୃଦ୍ଧି ଆଣିବ।
ଏଥିସହିତ ଆଜି ଅନେକ ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ମଧ୍ଯ ହୋଇଛି । ୯୫ କୋଟି ଟଙ୍କା ବିନିଯୋଗରେ ୧୦ କିଲୋମିଟର ଦୀର୍ଘ ବାମ୍ୱେରୀ – ପଲାସା – ଗୁରୁଡା – କୋଇଡା ସଡ଼କ ପାଇଁ ଶିଳାନ୍ୟାସ କରାଗଲା। ଏହା ସହିତ ସୁଆକଟି – ଡୁବୁନା – କାଳିମାଟି ସାଢ଼େ ସାତ କିଲୋମିଟର ସଡ଼କ ପାଇଁ ଶିଳାନ୍ୟାସ କରାଗଲା। ଏଥିପାଇଁ ୩୦ କୋଟି ଟଙ୍କା ବିନିଯୋଗ ହେବ। ଏହାସହିତ ପଳାଶପଙ୍ଗା ଠାରୁ ବାମ୍ୱେରୀ ପର୍ଯ୍ୟନ୍ତ KIDCO Road ର ମଧ୍ୟ ଉନ୍ନତିକରଣ କରାଯିବ। ସାଢ଼େ ପାଞ୍ଚ କିଲୋମିଟର ଦୀର୍ଘ ଏହି ରାସ୍ତାର ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଜି ବଡବିଲ ଉତ୍ସବ ପଡ଼ିଆରେ କ୍ରୀଡା ଭିତ୍ତିଭୂମି ସହିତ ବସ ଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ ମଧ୍ୟ କରାଯାଇଛି। ଏଥିପାଇଁ ୯.୨୭ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହା ସହିତ ବଡବିଲ ITI staff quarters, new sub registrar office, town hall ନିକଟରେ ଖେଳପଡିଆର ଉନ୍ନତିକରଣ ଓ ପାର୍କ ପ୍ରତିଷ୍ଠା କରାଯାଇଛି।ଏହି ସବୁ ପ୍ରକଳ୍ପ ଗୁଡ଼ିକ ବଡବିଲ ଓ ସମଗ୍ର କେନ୍ଦୁଝର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଲୋକ ମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ କହିଥିଲେ ଯେ ସମୃଦ୍ଧ ଓଡିଶା ଗଠନ ପାଇଁ ମୂଳ ଆବଶ୍ୟକତାଟି ହେଉଛି ଭିତ୍ତିଭୂମି। ଉନ୍ନତ ରାସ୍ତା, ଉନ୍ନତ ସେତୁ, ଉନ୍ନତ ବିଜୁଳି ବ୍ୟବସ୍ଥା ଏବଂ ପାନୀୟ ଜଳର ସୁବିଧା । ତେଣୁ, ଆମ ସରକାର ପ୍ରଥମ ଦିନରୁ ହିଁ ଭିତ୍ତିଭୂମି ଉପରେ ଗୁରୁତ୍ବ ଦେଇ ଆସିଛି। କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ମୁଁ ବ୍ୟକ୍ତିଗତ ଭାବେ ସରକାରୀ ସ୍ତରରେ ପ୍ରତ୍ୟେକ ବୈଠକରେ, ପ୍ରତ୍ୟେକ ଆଲୋଚନାରେ ଗୁରୁତ୍ବ ଦେଇଆସିଛି। ଆମ ସରକାର ଆସିବା ପରଠାରୁ ଆମେ ସମୃଦ୍ଧିର କଥା କହୁଛୁ। ସମୃଦ୍ଧ ଓଡିଶା ପାଇଁ ସଂକଳ୍ପ ରଖୁଛୁ। ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମର ଜିଲ୍ଲାଗୁଡିକ ମଧ୍ୟ ସମୃଦ୍ଧ ହେବା ଦରକାର। ଏବଂ ଜିଲ୍ଲା ମଧ୍ୟରେ ଥିବା ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ମଧ୍ୟ ସମୃଦ୍ଧ ହେବା ଦରକାର। ଅର୍ଥନୈତିକ ଅଭିବୃଦ୍ଧି ଦରକାର। ବ୍ୟକ୍ତିଗତ ଭାବେ ଆପଣମାନଙ୍କ ଅର୍ଥନୀତିରେ ଉନ୍ନତି ହେଲେ, ଯେଭଳି ଆପଣଙ୍କ ପରିବାର ସମୃଦ୍ଧ ହୁଏ, ଠିକ୍ ସେହିପରି ପ୍ରତ୍ୟେକ ଅଞ୍ଚଳର ଅର୍ଥନୈତିକ ସମୃଦ୍ଧି ହେଲେ, ସାରା ରାଜ୍ୟର ସମୃଦ୍ଧି ଆସିବ। କେନ୍ଦୁଝରରେ ଡାଟା ସେଣ୍ଟର, ସାନ ଘାଗରାରେ ରିଜିଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟର, ଆପାରେଲ୍ ୟୁନିଟ୍, କେନ୍ଦୁଝର ବାଇପାସ୍, ଅନେକ ପର୍ଯ୍ୟଟନ ସ୍ଥଳର ବିକାଶ ଆଦି କାମ ଆରମ୍ଭ ହୋଇଛି। ଆପଣଙ୍କ ଯୋଡା ବଡବିଲ୍ ଅଞ୍ଚଳର ଭିତ୍ତିଭୂମିର ବିକାଶ କାମ ମଧ୍ୟ ଆରମ୍ଭ ହୋଇଛି। ଖଣି ଅଞ୍ଚଳକୁ ଯାଉଥିବା ସବୁ ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ।
ଅଳ୍ପ ଦିନ ତଳେ କ୍ୟାବିନେଟ୍ରେ କେନ୍ଦୁଝର ପାଇଁ ମଧ୍ୟ ଏକ ଗ୍ରୀଡ ସବ୍ଷ୍ଟେସନ ପାଇଁ ମଞ୍ଜୁରୀ ଦିଆଯାଇଛି। ୧ ହଜାର ୬୪୭ କୋଟି ଟଙ୍କାରେ ଏ ପ୍ରକଳ୍ପ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ କହିଥିଲେ ଯେ ଏହା ଦ୍ବାରା କେନ୍ଦୁଝର ଜିଲ୍ଲାର ଆବାସିକ ଅଞ୍ଚଳ ଓ ଶିଳ୍ପ ଗୁଡିକ ଗୁଣାତ୍ମକ ଓ ନିରନ୍ତର ବିଦ୍ୟୁତ ସେବା ପାଇପାରିବେ। ଯୋଡା, ବଡବିଲ, କେନ୍ଦୁଝର ଅଞ୍ଚଳର ଅର୍ଥନୈତିକ ଆକ୍ଟିଭିଟି ଆହୁରି ବ୍ୟାପକ ହେବ। ଏ ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସମୃଦ୍ଧ ହେବ। ଆମେ ଗଠନ କରିବା ସମୃଦ୍ଧ କେନ୍ଦୁଝର, ସମୃଦ୍ଧ ଓଡିଶା। ଆପଣମାନେ ଜାଣନ୍ତି, ଆମ ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବରେ ରାଜ୍ୟ ତଥା ଦେଶର ବିକାଶ ପାଇଁ, ନୂଆ ଆଶା, ନୂଆ ଉତ୍ସାହ ଓ ନୂଆ ଉଦ୍ଦିପନା ନେଇ ସମୃଦ୍ଧ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଛି।
କେନ୍ଦୁଝରରେ ଏକ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ପ୍ରକ୍ରିୟା ଜାରି ରହିଛି। ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଦୃତ ଗତିରେ ଆଗେଇ ଚାଲିଛି। ଖୁବ୍ ଶୀଘ୍ର ଏଥିପାଇଁ ଶିଳାନ୍ୟାସ କରାଯିବ। ଏବଂ ଏହା ମଧ୍ଯ ଘୋଷଣା କରିଥିଲେ ଯେ ଯେ କୌଣସି ଶିଳ୍ପସଂସ୍ଥା କେନ୍ଦୁଝରରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବ ଏବଂ ୧୦, ୦୦୦ ରୁ ଉର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବ ତାଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରଶାସନିକ ସୁବିଧା ଯୋଗାଇ ଦେବେ। ବଡ଼ବିଲ ITI ଆଗକୁ ଏକ Centre of Excellence ହେବାକୁ ଯାଉଛି ଏହା ଆମ ଦକ୍ଷ ଯୁବଶକ୍ତିର ପାରଦର୍ଶିତାକୁ ବୁଝାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବରେ ରାଜ୍ୟ ତଥା ଦେଶର ବିକାଶ ପାଇଁ, ନୂଆ ଆଶା, ନୂଆ ଉତ୍ସାହ ଓ ନୂଆ ଉଦ୍ଦିପନା ନେଇ ସମୃଦ୍ଧ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଛି। ୨୦୩୬ ରେ ଆମେ ଗଢିବୁ ସମୃଦ୍ଧ ଓଡିଶା। ଚଳିତ ବର୍ଷ କେନ୍ଦ୍ର ବଜେଟ୍ରେ ଓଡିଶା ଉପକୃତ ହେବା ଭଳି ଅନେକ ଯୋଜନା ରହିଛି। ରେଆର୍ ଆର୍ଥ କରିଡର, ଇଷ୍ଟ-ୱେଷ୍ଟ କରିଡର, କଇଁଛ ଟ୍ରେଲ୍, ଚାଳଚେର-ଅନୁଗୋଳ ପରି ଶିଳ୍ପାଞ୍ଚଳ ସହ ପାରାଦୀପ ଓ ଧାମରାକୁ ଯୋଡିବା ପାଇଁ ଜାତୀୟ ଜଳପଥ-୫, ସିଟି ଇକୋନୋମିକ୍ ରିଜିଅନ୍ ପରି ଅନେକ ଯୋଜନା କରିଛନ୍ତି। ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ ପାଇଁ ୫ ହଜାର କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋଦୀ ସରକାର ଆସିବା ପରେ ଓଡିଶାକୁ ରେଳ ବଜେଟ୍ ୧୨-୧୩ ଗୁଣା ବୃଦ୍ଧି ପାଇଲାଣି। ଜାତୀୟ ରାଜପଥରେ ଓଡିଶାରେ ପ୍ରାୟ ୭୦-୮୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ଏବେ ଡବଲ ଇଞ୍ଜିନ ସରକାରରେ ଓଡିଶା ପାଇଁ ଏକ ସୁବର୍ଣ୍ଣ ସମୟ ଆସିଛି।
ସେ କହିଥିଲେ, ଆମ ସରକାର ମଧ୍ୟ ତିନୋଟି ଗୁରୁତ୍ବପୂର୍ଣ୍ଣ ସଡକ ପାଇଁ ନିଷ୍ପତ୍ତି ନେଇଛନ୍ତି। ବ୍ରହ୍ମପୁରକୁ ଜୟପୁର ସହର ସହିତ ଯୋଡିବା ପାଇଁ ୨୮୭ କିଲୋମିଟରର ଏକ୍ସପ୍ରେସ୍ୱେ ନିର୍ମାଣ କରାଯିବ। ଏଥିପାଇଁ ୯୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ଆଉ ଗୋଟିଏ ହେଉଛି ପୂର୍ବ-ପଶ୍ଚିମ କରିଡରର ଏକ ଅଂଶ ଭାବେ ପାରଳାଖେମୁଣ୍ଡିକୁ ବରଗଡର ଅମ୍ବାଭନା ସହିତ ନମୋ ଏକ୍ସପ୍ରେସ୍ୱେ ଜରିଆରେ ଯୋଡାଯିବ। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଏକ୍ସପ୍ରେସ୍ୱେ ହେଉଛି ଅଟଳ ଏକ୍ସପ୍ରେସ୍ୱେ। ମାଲକାନଗିରିର ମୋଟୁକୁ ମୟୂରଭଞ୍ଜର ତିରିଙ୍ଗି ସହିତ ୯୬୯ କିଲୋମିଟର ଏକ୍ସପ୍ରେସ୍ୱେ ନିର୍ମାଣ କରାଯାଇ ଯୋଡାଯିବ। ଏହି ଗୁରୁତ୍ବପୂର୍ଣ୍ଣ ସଡକଟି କେନ୍ଦୁଝର ଜିଲ୍ଲା ଦେଇ ଯିବ ଏବଂ ଉତ୍ତର ଓଡିଶାକୁ ଦକ୍ଷିଣ ଓଡିଶା ସହିତ ସିଧାସଳଖ ଯୋଡିବ। ଏହି ତିନୋଟି ସଡକ ପ୍ରକଳ୍ପ ଆମର ଅର୍ଥନୀତିର ସ୍ବରୂପକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ବଡବିଲ ଠାରେ ମୁଖ୍ୟମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ ଏବଂ କହିଥିଲେ ଯେ ସଂସଦରେ ପ୍ରଧାନମନ୍ତ୍ରୀ ଆଗକୁ ମହିଳା ମାନଙ୍କ ପାଇଁ ୩୩ % ଆରକ୍ଷଣ ବିଲ ଆଗତ କରିବାକୁ ଯାଉଛନ୍ତି ଯାହା ଫଳରେ ସାରା ଦେଶର ମାଆ, ଭଉଣୀ ମାନେ ନିଜର ଆର୍ଥିକ ଏବଂ ସାମାଜିକ ଦକ୍ଷତାକୁ ବୃଦ୍ଧି କରିବେ। ଆମ ବିଧାନସଭାରେ ମଧ୍ଯ ଆସନ ସଂଖ୍ୟା ବୃଦ୍ଧି ପାଇବ। ୧୯୬ ସିଟ ବିଶିଷ୍ଟ ବିଧାନସଭାରେ ଏବେ ବିଧାୟିକାଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଇବ ଯାହା ଫଳରେଆମ ରାଜ୍ୟର ମାଆ ମାନଙ୍କ ସ୍ୱର ଆହୁରି ଶାଣିତ ହେବ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରିବା ସହିତ ବଡ଼ବିଲ ଅଂଚଳର ହିତାଧିକାରୀଙ୍କୁ ଜମିପଟ୍ଟା ଆବଣ୍ଟନ କରିଥିଲେ।ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ନାଏକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ସିଂହ, ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ।










