ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହା ଭାରତୀୟ ସେନାର ଦକ୍ଷତା, ସମାର୍ଥ୍ୟ ତଥା ପରାକ୍ରମର ଏକ ବଳିଷ୍ଠ ନିଦର୍ଶନ । ଏହାକୁ ନେଇ କାହା ମନରେ ସଂଶୟ ରହିବା ଉଚିତ୍ ନୁହେଁ । ବିଦେଶୀ ଗଣମାଧ୍ୟମଗୁଡ଼ିକ ଅପରେସନ୍ ସିନ୍ଦୂର’କୁ ନେଇ ଉଠଉଥିବା ପ୍ରଶ୍ନ ତଥା ସନ୍ଦେହ ଉପରେ ପ୍ରତିକ୍ରିୟା ରଖି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ୍ ଡୋଭାଲ୍ ନିଜ ପ୍ରତିକ୍ରିୟାରେ ଏପରି କହିଛନ୍ତି । ଆଇଆଇଟି ମାଡ୍ରାସର ୬୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଡୋଭାଲ୍ ‘ଅପରେସନ୍ ସିନ୍ଦୂର’କୁ ପ୍ରଶଂସା କରିବା ସହ ସିଧାସଳଖ ପାକିସ୍ତାନର ଆକ୍ରମଣରେ ଭାରତର କ୍ଷତି ହୋଇଥିବା ଭଳି ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ମଧ୍ୟ ସିଧାସିଧା ଖାରଜ କରିଛନ୍ତି । ଏହି ଅବସରରେ ଡୋଭାଲ୍ କହିଛନ୍ତି, ପାକିସ୍ତାନର ମିସାଇଲ୍ ମାଡ଼ରେ ଭାରତର ଅନେକ କ୍ଷତି ହୋଇଥିବା ନେଇ ବିଦେଶୀ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିବାର ସେ ଜାଣିବାକୁ ପାଇଛନ୍ତି । କିନ୍ତୁ ସେ ସେସବୁ ଗଣମାଧ୍ୟମଗୁଡ଼ିକୁ ଦୃଢ଼ତାର ସହ ଚ୍ୟାଲେଞ୍ଜ କରୁଛନ୍ତି ଯେ, ଏଭଳି ଗୋଟିଏ ପ୍ରମାଣ ସାମ୍ନାକୁ ସେମାନେ ଆଣନ୍ତୁ ଯାହାକି ଭାରତୀୟ କ୍ଷତିକୁ ପ୍ରମାଣିତ କରୁଥିବ ।
କିଛି ନହେଲେ ବିଦେଶୀ ଗଣମାଧ୍ୟମଗୁଡ଼ିକ ଯାହା (ଚୀନ୍ ଉଦ୍ଦେଶ୍ୟରେ) କଥାରେ ପଡି ବା ମୋଟା ଟଙ୍କା ନେଇ ଭାରତ ବିରୋଧରେ ଏପ୍ରକାର ଅପପ୍ରଚାର କରୁଛନ୍ତି ସେମାନେ ତାହା ଠାରୁ ଅନ୍ତତଃ ଗୋଟିଏ ସାଟେଲାଇଟ୍ ଫଟୋ ହାସଲ କରନ୍ତୁ ଏବଂ ତାହାକୁ ପ୍ରମାଣ ଭାବେ ପ୍ରଦର୍ଶିତ କରିବାର ସାହସ ଦେଖାନ୍ତୁ । ଡୋଭାଲ୍ ଏହି ଅବସରରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନର ଆକ୍ରମଣରେ ଭାରତର ବଡ଼ କ୍ଷତି ହେବା ବହୁଦୂରର କଥା ସାମାନ୍ୟ କାଚଟିଏ ମଧ୍ୟ ଭାଙ୍ଗିନାହିଁ । ବିଦେଶୀ ଗଣମାଧ୍ୟମ ଅପରେସନ୍ ସିନ୍ଦୂର’ ସମ୍ପର୍କରେ କେବଳ ମିଥ୍ୟା ଖବର ହିଁ ପ୍ରସାରଣ କରିଛି ଯାହାକି କେବ ଉଦ୍ଦେଶ୍ୟ ପ୍ରଣୋଦିତ । ଡୋଭାଲ୍ ଅପରେସନ୍ ସିନ୍ଦୂର’ର ଏକ ପ୍ରମୁଖ ଅଂଶ ଭାବରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଏବଂ ଉନ୍ନତ ରାଡାର ସମେତ ସ୍ୱଦେଶୀ ସାମରିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଡୋଭାଲ୍ କହିଛନ୍ତି, “ଟେକ୍ନୋଲୋଜି ଏବଂ ୱାରଫେୟର ମଧ୍ୟରେ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ।
ଆମେ ‘ଅପରେସନ୍ ସିନ୍ଦୂର’ ନେଇ ଗର୍ବିତ । ଆମେ ଗର୍ବିତ ଯେ ଏହି ଅପରେସନ୍ ସମୟରେ ଆମେ ସ୍ୱଦେଶୀ ଟେକ୍ନୋଲୋଜି ବ୍ୟବହାର କରିଥିଲୁ । ଆମେ ସୀମା ଆରପାରିରେ ୯ ପାକିସ୍ତାନୀ ଘାଟି ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆମର ସମସ୍ତ ଲକ୍ଷ୍ୟ ସଠିକ୍ ଥିଲା । ପାକିସ୍ତାନର ସାଧାରଣ ଲୋକଙ୍କୁ କୌଣସି କ୍ଷତି ନପହଞ୍ଚାଇ ଆମେ କେବଳ ୨୩ ମିନିଟ୍ ମଧ୍ୟରେ ଆତଙ୍କବାଦୀ ଘାଟିଗୁଡ଼ିକୁ ଧ୍ୱଂସ କରିଥିଲୁ ଏବଂ ଅପରେସନ୍କୁ ସଫଳ କରିଥିଲୁ ।” ପ୍ରକାଶ, ୨୦୨୫ ଏପ୍ରିଲରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ (୨୬ ପର୍ଯ୍ୟଟକଙ୍କୁ ପାକିସ୍ତାନ ସମର୍ôଥତ ଆତଙ୍କବାଦୀଙ୍କ ଦ୍ୱାରା ନିର୍ମମ ଭାବରେ ହତ୍ୟା କରାଯାଇଥିଲା) ର ଜବାବରେ ଭାରତୀୟ ସେନା ପକ୍ଷରୁ ‘ଅପରେସନ୍ ସିନ୍ଦୂର ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର ପ୍ରଚଣ୍ଡତା ଆଗରେ ପାକିସ୍ତାନ ସେନା ହାର ମାନିଥିଲା ଏବଂ ମାତ୍ର ୪ ଦିନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲା ।










