21.1 C
Bhubaneswar
Saturday, December 13, 2025
Homeଓଡିଶାଆଖି ଖୋଲିଲେ ସୌମ୍ୟାଶ୍ରୀ

ଆଖି ଖୋଲିଲେ ସୌମ୍ୟାଶ୍ରୀ

ଭୁବନେଶ୍ୱର: କାମୁକ ଶିକ୍ଷକ ଓ ବେପରୁଆ ପ୍ରଶାସନର ଆଖିଖୋଲିବାକୁ ଆତ୍ମବଳୀ ଦେଲେ ସୌମ୍ୟାଶ୍ରୀ। ଏକଥା ମାନିବାକୁ ହେବ। ଏହି ଝିଅଟିର ଆତ୍ମବଳିଦାନ ବେକାର ହୋଇନଯାଉ। ସମସ୍ତେ ସଚେତନ ହେବା ଦରକାର। ଝିଅଟି ଆତ୍ମହୁତି ଦେବାପରେ ଏତେ ହୋହାଲ୍ଲା ହେଉଛି। ଝିଅଟିର ଏ ପରିସ୍ଥିତି ପାଇଁ ସବୁ କ୍ଷେତ୍ର ଦାୟୀ। କାରଣ ସେ ନ୍ୟାୟ ପାଇବା ପାଇଁ ଯେଉଁସବୁ କ୍ଷେତ୍ର ରହିଛି ଝିଅଟି ସବୁ ସ୍ତରରେ ଅବଗତ କରିଛନ୍ତି। ହତାଶ ହେବାପରେ ଏପରି ଚରମ ନିଷ୍ପତି ନେଲେ। ଶିକ୍ଷକଙ୍କ କଥାକୁ ସେ ବାରମ୍ବାର ପ୍ରତ୍ୟାଖ୍ୟାନ କରିବାପରେ କିଛି ସୁଫଳ ପାଇଲେ ନାହିଁ। ତାପରେ ସେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଲେ ଓ ଲିଖିତ ଭାବେ ଦେଲେ। ଘଟଣାର ତଦନ୍ତ ପାଇଁ ଅଧ୍ୟକ୍ଷ କଲେଜର ଅଭ୍ୟନ୍ତରୀଣ କମିଟିକୁ ପଠାଇଥଲେ। କମିଟିର ମୁଖିଆ କହୁଛନ୍ତି ଝିଅଟିର ଅଭିଯୋଗର କୌଣସି ପ୍ରମାଣ ମିଳିଲା ନାହିଁ। ହେଲେ ସମ୍ପୃକ୍ତ ଏଚ୍‌ଓଡିଙ୍କୁ ବିଭାଗରୁ ହଟାଇବା ପାଇଁ ସୁପାରିଶ କରାଯାଇଥିଲା। ମେ ୧୫ ତାରିଖରେ ଅଭିଯୋଗ କମିଟି ପାଇଥିଲା। ରିପୋର୍ଟ ଜୁଲାଇ୧ତାରିଖରେ ଦିଆ ଯାଇଥିଲା। କମିଟିର ମୁଖିଆ ମନସ୍ଥତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଥିଲେ। ଆଉ ସେ ହେଉଛନ୍ତି ଜଣେ ମହିଳା। ସେ କିପରି ଝିଅଟିର ମନ ଭିତରର ଆନ୍ଦୋଳନ ଓ କ୍ଷୋଭକୁ ଠିକ୍ ଭାବେ ବୁଝି ପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି। ପିଲାଙ୍କ ଘଟଣାରେ ଯେପରି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବା କଥା ସେପରି କଲା ଭଳି ମନେ ହେଉନାହିଁ।

କମିଟିର ରିପୋର୍ଟ ବିଳମ୍ବ ହେବା ନେଇ ଝିଅଟି ସ୍ଥାନୀୟ ସାଂସଦଙ୍କ ଦ୍ୱାରସ୍ତ ହାଇଥିଲେ। ସାଂସଦ କହୁଛନ୍ତି ସେ କଲେଜ ଅଧ୍ୟକ୍ଷଙ୍କ ସହ ଫୋନରେ କଥା ହୋଇଥିଲେ। ସମ୍ପୃକ୍ତ ଏଚ୍‌ଓଡିଙ୍କୁ ବଦଳି କରିବାପାଇଁ କହିଥିଲେ। ଅଧ୍ୟକ୍ଷ ଶୁଣିଲେନି। ଥାନାରେ ବି ଏତଲା ଦିଆଯାଇଥିଲା। ସହଦ୍ୱେଖୁଣ୍ଟା ପୋଲିସ କିଛି କଲାନାହିଁ। ଝିଅଟି ଦେଖିଲା କିଛି ନ୍ୟାୟ ମିଳୁନି। ସେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ଏମ୍‌ପି, ସ୍ଥାନୀୟ ବିଧାୟକ,ଏସ୍‌ପି ବାଲେଶ୍ୱରଙ୍କୁ ଜଣାଇଥିଲେ। ଏମାନଙ୍କ ଭିତରୁ କେହି ଜଣେ ଚାହିଁଥିଲେ ଝିଅଟି ନ୍ୟାୟ ପାଇଥାନ୍ତା। ଏମାନେ ସମସ୍ତେ ଜଣେ ଜଣେ ନ୍ୟାୟ ଦେବାର ଅଧିକାରୀ। ହେଲେ କେହି ତାଙ୍କ ଟ୍ୱିଟ୍‌କୁ ଗୁରୁତ୍ୱ ଦେଲେନି। ଶେଷରେ କଲେଜର ଅଧ୍ୟକ୍ଷ ତାଙ୍କୁ ହତାଶ କଲେ। ଅନ୍ୟପଟରେ ଗୁରୁତ୍ୱପୁର୍ଣ ବିଷୟ ହେଉଛି ସାମାଜିକ ଗଣମାଧ୍ୟମର ଦାୟିତ୍ୱହୀନତା। ସମସ୍ତେ ତାଙ୍କୁ ପ୍ରମାଣ ମାଗିଲେ। ମୌଖିକ କଥାବାର୍ତ୍ତାର ପ୍ରମାଣ ଝିଅଟି କଉଠୁଁ ଆଣିକି ଦେଇଥାନ୍ତା। ଏକଥାକୁ କୌଣସି ସ୍ତରରେ ହୃଦୟଙ୍ଗମ କରାଯାଇନଥିଲା। ଆଉ ଅନ୍ୟ ଉପାୟ ନପାଇ ଏପରି ଚରମ ପଦକ୍ଷେପ ନେଲେ ବୋଲି କୁହାଯାଇପାରିବ। ତଳୁ ଉପର ଯାଏ ଏଘାଟଣାରେ ଅବହେଳା କରାଯାଇଛି। ସମସ୍ତେ ଦୋଷୀ। ସରକାର ଘଟଣା ପରେ ବହୁ ତତ୍ପରତା ଦେଖାଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଏସ୍‌ପିଙ୍କ ପାଖରେ ଟ୍ୱିଟ୍ ଯାଞ୍ଚ କରିବାର ପ୍ରଶାସନିକସ୍ତରରେ ବ୍ୟବସ୍ଥା ରହିଛି। ଅବଶ୍ୟ ଏହି ଅଧିକାରୀଙ୍କ ପାଖକୁ ଅନେକ ଟ୍ୱିଟ୍ ଆସୁଥିବ ସେଥିରେ କିଛି ଗୁରୁତ୍ୱହୀନ ଅଭିଯୋଗ ବି ଥିବ। କିନ୍ତୁ ସୌମ୍ୟାଶ୍ରୀ ଜୀବନଦେଇ କହିଦେଇଗଲେ ଛାତ୍ର,ଛାତ୍ରୀ କଥାକୁ ହାଲୁକାଭାବେ ଗ୍ରହଣ କରିବା ଉଚିତ ନୁହେଁ। କାରଣ ସେମାନଙ୍କ କଥାକୁ ଗୁରୁତ୍ୱ ନଦେଇ ହେୟଜ୍ଞାନ କଲେ ବିପର୍ଯ୍ୟୟ ଘଟିବ।

ବିଶେଷ କରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ପାଇଁ ଏହା ବଡ ସତର୍କ ଘଣ୍ଟି। ଇତି ମଧ୍ୟରେ ଅନେକ ଘଟଣା ଘଟିଗଲାଣି। ସରକାରକୁ ମାତ୍ର ବର୍ଷଟି ପୁରିଛି। ଇତିମଧ୍ୟରେ ଅନେକ ବଦନାମ ମୁଣ୍ଡାଇଲେଣି। କେବଳ ସରକାର ନୁହେଁ ରାଜ୍ୟ ବି ବଦନାମ ହେଲଣି। ବିରୋଧି ରାଜନୀତି କରୁଛନ୍ତି କହିଦେଲେ ହେବନି। ସେମାନଙ୍କୁ ରାଜନୀତି କରିବାକୁ ସୁଯୋଗ ସୃଷ୍ଟି କରୁଛି କିଏ। ଏକଥାକୁ ମଧ୍ୟ ଭାବିବା ଦରକାର। ଏସବୁ ପାଇଁ ପ୍ରସାଶନିକ ଆଧିକାରୀମାନେ ହିଁ ଦାୟୀ।

ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେହି କେବେ ବାଡ଼ି ପକାଇ ଜଗିପାରିବେନି କି ଏହା ବାସ୍ତବବାଦୀ ନୁହେଁ। ଯେଉଁମାନଙ୍କ ମାଧ୍ୟମରେ ଏସବୁ ଉପରେ ନିୟନ୍ତ୍ରଣ ଆଣିବା କଥା ସେମାନଙ୍କୁ ଖୋଲା ଛାଡ଼ିଦେବା କଥା ନୁହେଁ। ଗୋପାଳପୁର ଘଟଣା ହେଉ, ପୁରୀ ରଥଯାତ୍ରା ଅଘଟଣ ହେଉ କି ବାଲେଶ୍ୱର ଛାତ୍ରୀ ଆତ୍ମାହୁତି କଥା ହେଉ ଏସବୁ ରୋକାଯାଇପାରିଥାନ୍ତା। ଏସହୁ ମନୁଷ୍ୟଗତ ତ୍ରୁଟି ଯୋଗୁ ହୋଇଛି। ରଜ ସମୟରେ ବେଳାଭୂମି ବୁଲିବାକୁ ଲୋକେ ଆସିବେ। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଥିଲେ ସେ ଘଟଣା ଘଟି ନଥାନ୍ତା। ଏଆଇ କ୍ୟାମେରା ଦେଖି ସୁରକ୍ଷା ବ୍ୟବସ୍ଥା କରିଥିଲେ ପୁରୀ ଅଘଟଣ ଟଳିଥାନ୍ତା। ବାଲେଶ୍ୱର କଥାରେ ବି ଏସ୍‌ପି ଟ୍ୱିଟ୍ ଦେଖି ଗୁରୁତ୍ୱ ଦେଇଥାନ୍ତେ ଏଘାଟଣା ବି ଟଳିଥାନ୍ତା। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବଦନାମ କରି ବୁଡାଇବେ ଏ ସରକାରକୁ। ବିରୋଧୀକୁ ସମାଲୋଚନା କରି ଖସିଯିବାକୁ ଚେଷ୍ଟା ନକରି ପ୍ରଶାସନିକ ଅଧିକାରୀଙ୍କୁ ନିୟନ୍ତ୍ରଣରେ କିପରି ରଖାଯାଇପାରିବ ତାହା ଉପରେ ଧ୍ୟାନ ଦେବା ଉଚିତ ବୋଲି ଅନେକଙ୍କ ମତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking