ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା। କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା। ଏହା ଯୋଗୁଁ ପାଇଲଟ୍ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା। ବିମାନରେ ଅଜିତ ପାୱାରଙ୍କ ସମେତ ତାଙ୍କ ସୁରକ୍ଷାକର୍ମୀ ଥିଲେ। ବିମାନରେ ଥିବା ୨ ଜଣ କ୍ରିଉ ସଦସ୍ୟ ଓ ୨ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୫ ଜଣ ବିମାନରେ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ରାଜନୈତିକ କ୍ୟାରିୟର କହିବାକୁ ସେ ଜଣେ ଟାଣୁଣା ନେତା ଥିଲେ । ବାରାମତିରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏକାଧିକ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ପରବର୍ତ୍ତୀ ସମୟରେ ମହାରଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ସର୍ବାଧିକ ୬ ଥର ମହାରଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଥିଲେ ଅଜିତ ପାୱାର । ୪ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ରାଜନୀତିରେ ସକ୍ରିୟ ଭୂମିକା ରହିଥିଲା ।










