ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଳାଇବାବେଳେ ଟ୍ରାଫିକ୍ ନିୟମକୁ ସହଜରେ ନେଉଛନ୍ତି ତ ଏବେ ସତର୍କ ହୋଇଯାଆନ୍ତୁ । ଟ୍ରାଫିକ୍ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦିଲ୍ଲୀର କରୋଳ ବାଗର ଏସପି ଆଶିଷ କୁମାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏହାର ସୂଚନା ଦେଇ ଫାଇନ ରେଟ୍ ଲିଷ୍ଟ ସେୟାର କରିଛନ୍ତି । ନୂଆ ନିୟମ ମାଧ୍ୟମରେ କେତେକ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ ଉପରେ ବଡ଼ ଧରଣର ଜରିମାନା ଏବଂ କଠୋର ଦଣ୍ଡର ଘୋଷଣା କରିଛନ୍ତି । ବିଶେଷ କରି ଡ୍ରଙ୍କ୍ ଡ୍ରାଇଭିଂ, ବିନା ହେଲମେଟରେ ଗାଡ଼ି ଚଳାଇବା, ଓଭରସ୍ପିଡିଂ ଏବଂ ଏମରଜେନ୍ସି ଗାଡ଼ିକୁ ରାସ୍ତା ନ ଦେବା ଅପରାଧ ଉପରେ ଦଣ୍ଡ ବିଧାନର ଜରିମାନା ବହୁ ଗୁଣା ବଢାଇ ଦିଆଯାଇଛି । ଯଦି ଆପଣ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ତ ଏବେ ଆପଣଙ୍କୁ କେବଳ ସାଧାରଣ ଜରିମାନା ଦେଇ ଚାଲିଯିବାର ସୁଯୋଗ ମିଳିବ ନାହିଁ । ନୂଆ ନିୟମ ଅନୁସାରେ ପ୍ରଥମ ଥର ଧରାପଡ଼ିବା ପରେ ୧୦,୦୦୦ ଏବଂ ୬ମାସର ଜେଲ ହୋଇପାରେ । ସେହିଭଳି ଯଦି ଆପଣ ଦ୍ବିତୀୟ ଥର ଧରାପଡ଼ୁଛନ୍ତି ତ ୧୫,୦୦୦ ଏବଂ ୨ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । ପ୍ରଥମେ କେବଳ ୧୦୦୦ରୁ ୧୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଥିଲା ।










