27.1 C
Bhubaneswar
Monday, April 13, 2026
Homeଓଡିଶାଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ପକାଇବ- ମୁଖ୍ୟମନ୍ତ୍ରୀ

ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ପକାଇବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ସୋଆ ବିଶ୍ୱବିଦ୍ୟାଳୟରେ My India Budget Quest 2026 କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, My Bharat Budget Quest କାର୍ଯ୍ୟକ୍ରମରେ ବଜେଟ ସମ୍ପର୍କିତ ବିଭିନ୍ନ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଏଥିରେ ଦେଶର ୧୨ ଲକ୍ଷରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଏହି ୧୨ ଲକ୍ଷରୁ ୧୨ ହଜାର ଯୁବକ ଯୁବତୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ । ଓଡ଼ିଶାରୁ ୪୪୦ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । ଆଜି ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୁରସ୍କୃତ ୪୪୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହା ସହିତ ଆଣ୍ଡାମାନରୁ ୨୫ ଜଣ ପୁରସ୍କୃତ ଛାତ୍ରଛାତ୍ରୀ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଯୁବଶକ୍ତିର ଭୂମିକା, ଦେଶ ଗଢ଼ିବାରେ ସେମାନଙ୍କର ଅବଦାନ ଓ ବଜେଟ ସଚେତନାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏହାସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ତାଙ୍କ ବାର୍ତ୍ତାରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ଯୁବଶକ୍ତିକୁ ସଶକ୍ତ କରିବା ଓ ବିକଶିତ ଭାରତ ଗଢ଼ିବାରେ ହୋଇଥିବା ପ୍ରୟାସ ବିଷୟରେ ଆଲୋକପାତ କରିଥିଲେ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚମ୍ପୁଆରୁ ଯୋଗଦାନ କରି ଯୁବବର୍ଗଙ୍କୁ ଦେଶ ଓ ରାଜ୍ୟର ଭବିଷ୍ୟତ ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମ କେବଳ ଇଭେଣ୍ଟ ନୁହେଁ ବରଂ ଏକ ଆନ୍ଦୋଳନ, ଯାହା ଯୁବବର୍ଗଙ୍କ ମଧ୍ୟରେ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧକୁ ବୃଦ୍ଧି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ଛାତ୍ରଛାତ୍ରୀମାନଙ୍କୁ ସାଧାରଣତଃ ଅର୍ଥନୀତି, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ସମ୍ପର୍କିତ ପ୍ରାଥମିକ ଜ୍ଞାନ ଦିଆଯାଉନଥିବାରୁ ଭବିଷ୍ୟତରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ MY Bharat Budget Quest ପରି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଆରମ୍ଭରୁ ଆର୍ଥିକ ବ୍ୟବସ୍ଥା, ଫିନ୍‌ଟେକ୍ ଓ ନୂତନ ପ୍ରଯୁକ୍ତି ସମ୍ପର୍କରେ ସଚେତନ କରିବ।

ଯୁବବର୍ଗଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରିଥିବା କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ, ଚଳିତ ବର୍ଷ କ୍ରୀଡା ବଜେଟ୍ ୧,୩୫୯ କୋଟି ଟଙ୍କା କରାଯାଇଥିବା ବେଳେ ସ୍କିଲ୍ ଡେଭଲପ୍‌ମେଣ୍ଟ ପାଇଁ ୧,୮୨୩ କୋଟି ଟଙ୍କା ଓ ମହିଳା ସଶକ୍ତିକରଣ ପାଇଁ ୧,୮୯୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବାକୁ ଯୋଜନା ରହିଛି ଏବଂ ଆଇଟି, ଏଗ୍ରି-ଟେକ୍, ଏ.ଆଇ., ଲଜିଷ୍ଟିକ୍ ଓ ଆଡଭାନ୍ସଡ୍ ମାନୁଫାକ୍ଚରିଂ ପରି କ୍ଷେତ୍ରରେ ଯୁବମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେ ଆହୁରି କହିଥିଲେ ଯେ, ଓଡ଼ିଶା ବର୍ତ୍ତମାନ କ୍ରୀଡା କ୍ଷେତ୍ରରେ ଏକ ଗ୍ଲୋବାଲ୍ ସ୍ପୋର୍ଟ୍ସ ହବ୍ ଭାବେ ଉଭା ହେଉଛି। ୨୦୨୮ ରେ ବିଶ୍ୱ ଇଣ୍ଡୋର ଆଥ୍ଲେଟିକ୍ସ ଚମ୍ପିଅନ୍‌ଶିପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବା, ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଏହା ସହିତ ଏସିଆନ୍ ଇଣ୍ଡୋର ଆଥ୍ଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ପାଇଁ ମଧ୍ୟ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି, ଯାହା ରାଜ୍ୟକୁ ଆନ୍ତର୍ଜାତିକ କ୍ରୀଡା ମଞ୍ଚରେ ଆହୁରି ଶକ୍ତିଶାଳୀ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଯୁବବର୍ଗ ପଢ଼ାଶେଷରେ ସହଜରେ ନିଯୁକ୍ତି ଯୋଗ୍ୟ ହେବା ପାଇଁ ପି.ଏମ୍. ସେତୁ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାସହିତ ଓଡ଼ିଶା ସରକାର CM-ASPIRE, ସୁଦକ୍ଷ, ଉତ୍କର୍ଷ ଆଇ.ଟି.ଆଇ ଓ Centre of Excellence ପରି ବିଭିନ୍ନ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନାରୀଶକ୍ତି ବନ୍ଦନ ଅଧିନିୟମକୁ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ, ଏହା ଭାରତୀୟ ଗଣତନ୍ତ୍ରକୁ ଆହୁରି ସଶକ୍ତ କରିବ। ସେ ଯୁବବର୍ଗଙ୍କୁ ଏହି ପ୍ରୟାସକୁ ସମର୍ଥନ କରି ନାରୀ ଶକ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସେମାନଙ୍କ ଭିତରେ ତେଜସ୍ୱିନୀ ରାଜ, ଚନ୍ଦ୍ରପ୍ରସାଦ ପଣ୍ଡା ଓ ଓମ୍‌ପ୍ରକାଶ ରଥ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଗତିଶୀଳ ଓଡ଼ିଶା ଓ ଭାରତବର୍ଷରେ ନାରୀମାନଙ୍କ ଭୂମିକା, କ୍ରୀଡ଼ା କ୍ଷେତ୍ରରେ ସରକାରଙ୍କ ଆଭିମୂଖ୍ୟ ଓ ସ୍କିଲ୍ ଡେଭଲେପମେଣ୍ଟର ଉପଯୋଗୀତା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ତର ରଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବବର୍ଗଙ୍କ ପାଇଁ ରାଜ୍ୟ ସରକାର ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ା ଉପରେ ଫୋକସ୍ ରଖିଛନ୍ତି । ଏହି ତିନୋଟି କ୍ଷେତ୍ରରେ ଓଡ଼ିଶାର ଯୁବବର୍ଗ ବିଶ୍ୱସ୍ତରୀୟ ଦକ୍ଷତା ହାସଲ କରିବେ ଏବଂ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନେତୃତ୍ୱ ନେବାରେ ଆମର ଯୁବଗୋଷ୍ଠୀ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଭର୍ଚୁଆଲ୍ ମାଧ୍ୟମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ ଦିଗରେ ଯୁବପିଢ଼ିଙ୍କର ଅନେକ ଦାୟିତ୍ୱ ରହିଛି । ଏହା ସହିତ ସେ ‘ବଜେଟ୍ କ୍ୱେଷ୍ଟ’ର ଆବଶ୍ୟକତା ବିଷୟରେ ଆଲୋକପାତ କରି ‘ମାଇଁ ଭାରତ’ ପ୍ଲାଟଫର୍ମ କିଭଳି ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉଛି, ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପି.କେ ନନ୍ଦ ଏବଂ ଭୁବନେଶ୍ୱର NSS ର ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking