ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ପରଠୁ ଫିଲ୍ମ ନିର୍ମାତା ନିଖୋଜ ଥିବା ଖବର ସାମ୍ନାକୁ ଆସିଛି। ଗୁରୁବାର ଦିନ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ରହସ୍ୟମୟ ନିଖୋଜ ହେବା ପରେ ତାଙ୍କ ପରିବାରର ଡିଏନଏ ନମୁନା କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି, ତାଙ୍କ ଶେଷ ମୋବାଇଲ୍ ଫୋନ୍ ଲୋକେସନ୍ ଅହମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରୁ ମାତ୍ର ୭୦୦ ମିଟର ଦୂରରେ ଏକ ସ୍ଥାନରେ ଚିହ୍ନଟ କରାଯାଇଛି। ଗୁରୁବାର ଅପରାହ୍ନରେ, ମେଘାନୀନଗରର ବିଜେ ମେଡିକାଲ୍ କଲେଜର ଛାତ୍ରମାନେ ସେମାନଙ୍କ ହଷ୍ଟେଲ୍ ଡାଇନିଂ ହଲରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଇନ୍ଧନ ବୋହି ଏକ ବୋଇଂ ୭୮୭ ବିମାନ କୋଠାରେ ଧକ୍କା ଖାଇ ବିସ୍ଫୋରଣ ହୋଇଥିଲା।
ଗୁରୁବାର ଦିନ ୧.୩୯ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିବାର କିଛି ମୁହୂର୍ତ୍ତ ପରେ ମେଘାନୀନଗରର ଏକ ମେଡିକାଲ୍ କଲେଜ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ବିମାନରେ ଥିବା ୨୪୧ଜଣଙ୍କର ମୃତ୍ୟୁ ହୋଇଥିବା ସହ ଆଖପାଖରେ ଥିବା ୨୯ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ନରୋଡାର ନିବାସୀ ମହେଶ କାଲାୱାଡିଆ ଓରଫ ମହେଶ ଜିରାୱାଲା ସେହି ଦୁର୍ଘଟଣାର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ସେ ସେହି ଦିନ ଅପରାହ୍ନରେ ଲ’ ଗାର୍ଡେନ୍ ଅଞ୍ଚଳରେ ଥିବା ଏକ କାଫେକୁ କାହାକୁ ଭେଟିବାକୁ ଯାଇଥିଲେ। ଘରକୁ ଫେରୁଛି ବୋଲି ଫୋନ କରି ସେ ପତ୍ନୀ ହେତଲଙ୍କୁ କହିଥିଲେ ବି ସେ ଆଉ ଫେରିନଥିଲେ। ଏଥିପାଇଁ ପରିବାର ଲୋକେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରୁଛନ୍ତି।
ହେତଲଙ୍କ କହିବା ମୁତାବକ, “ମୋ ସ୍ୱାମୀ ମୋତେ ଅପରାହ୍ନ ୧.୧୪ ରେ ଫୋନ୍ କରି କହିଥିଲେ ଯେ ତାଙ୍କର ବୈଠକ ଶେଷ ହୋଇଛି ଏବଂ ସେ ଘରକୁ ଫେରୁଛନ୍ତି। କିନ୍ତୁ ସେ ଫେରିଲେ ନାହିଁ। ଯେତେବେଳେ ସେ ନଫେରିଲେ, ମୁଁ ତାଙ୍କ ଫୋନକୁ କଲ୍ କଲି କିନ୍ତୁ ତାହା ବନ୍ଦ ଆସିଲା। ପୁଲିସକୁ ସୂଚନା ଦିଆଯିବା ପରେ, ତାଙ୍କ ମୋବାଇଲ୍ ଫୋନ୍ର ଶେଷ ଲୋକେସନ୍ ଦର୍ଶାଇଲା ଯେ ସେ ଦୁର୍ଘଟଣାସ୍ଥଳରୁ ୭୦୦ ମିଟର ଦୂରରେ ଥିଲେ। ଏବେ ତାଙ୍କର ସ୍କୁଟର ଏବଂ ମୋବାଇଲ୍ ଫୋନର ପତ୍ତା ମିଳୁନି। ଏହା ଅସାଧାରଣ କାରଣ ସେ ଘରକୁ ଆସିବା ପାଇଁ ସେହି ରାସ୍ତା କେବେ ବାଛିବେ ନାହିଁ। ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ସେ ଜଣେ କି ନାହିଁ ତାହା ଯାଞ୍ଚ କରିବା ପାଇଁ ଆମେ ଡିଏନଏ ନମୁନା ଦାଖଲ କରିଛୁ।”