18.1 C
Bhubaneswar
Friday, December 26, 2025
Homeଦେଶ ବିଦେଶସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୧୭ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୧୭ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର

ନାଇରୋବି: କେନ୍ଦ୍ରୀୟ କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ପିଲାଙ୍କର ଅକାଳ ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏହି ଅଘଟଣରେ ଅନ୍ୟ ୧୪ ପିଲା ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ଥିତି ସଂକଟାପନ୍ନ ଥିବାରୁ ମୃତ୍ୟୁଜନିତ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗୁରୁବାର ବିଳମ୍ବିତ ରାତିରେ ପିଲାମାନେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି ।
ସରକାରୀ ମୁଖପାତ୍ର ଆଇଜାକ୍ ମୁୱାରା କହିଛନ୍ତି ଯେ, ନାଇରୋବିରେ ଥିବା ନିଆରୀ କାଉଣ୍ଟିର ହିଲ୍ସାଇଡ୍ ଏଣ୍ଡରାସା ପ୍ରାଥମିକ ବିଦ୍ୟାଳୟରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ରହି ପାଠ ପଢ଼ିଥାଆନ୍ତି । ତେବେ ଅଗ୍ନିକାଣ୍ଡ ସଂଘଠିତ ହୋଇଥିବା ବିଲ୍ଡିଂରେ ୧୫୬ଜଣ ଛାତ୍ର ରହୁଥିଲେ । ମୃତ ପିଲାମାନେ ଏଠାରେ ଚତୁର୍ଥରୁ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଏବଂ ସେମାନଙ୍କ ବୟସ ପ୍ରାୟ ୯ରୁ ୧୩ ବର୍ଷ ଥିଲା । ସେହିପରି ଶିକ୍ଷା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ କହିଛି ଯେ, ସେହି ପ୍ରାଥମିକ ବୋର୍ଡିଂ ସ୍କୁଲରେ ମୋଟ ୮୨୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି, ସେମାନଙ୍କ ମଧ୍ୟରେ ୪୦୨ ଜଣ ବାଳକ ଏବଂ ୪୨୨ ଜଣ ବାଳିକା ଅଛନ୍ତି । ୧୫୬ ଜଣ ବାଳକ ଓ ୧୬୦ ଜଣ ବାଳିକା ହଷ୍ଟେଲରେ ରହୁଥିବା ବେଳେ ଅନ୍ୟମାନେ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ଅଟନ୍ତି । ଅଗ୍ନିକାଣ୍ଡ ଘଟିଥିବା ବିଦ୍ୟାଳୟଟି ରାଜଧାନୀ ନାଇରୋବିଠାରୁ ପ୍ରାୟ ୧୭୦ କିଲୋମିଟର ଉତ୍ତରରେ ଅବସ୍ଥିତ । ତେବେ ଏଠାରେ ଥିବା ଅଧିକାଂଶ ଘର କାଠରେ ନିର୍ମିତ, ଯେଉଁଥିପାଇଁ ନିଆଁ ଶୀଘ୍ର ବ୍ୟାପିଗଲା । ରାଷ୍ଟ୍ରପତି ୱିଲିୟମ ରୁଟୋ ଏହି ଘଟଣାକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଘଟଣାର ବିସ୍ତୃତ ତଦନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ଦାୟୀ ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ ।
ନିକଟ ଅତୀତରେ ମଧ୍ୟ ନାଇରୋବି ପ୍ରାନ୍ତରେ ଥିବା ଅନ୍ୟ କେତେକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା ଘଟିଯାଇଛି । ୨୦୧୨, ଫେବ୍ରୁଆରୀରେ ଅଗ୍ନିକାଣ୍ଡରେ ମଧ୍ୟ ୮ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବର ୨୦୧୭ରେ, ନାଇରୋବିର ଏକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ୯ ଛାତ୍ର ମୃତ୍ୟୁବରଣ କରିଥିଲେ । ସେହିପରି ୨୦୨୧, ଜୁଲାଇରେ ଏଠାରେ ଏକ ରେସିଡେନ୍‌ସିଆଲ ବିଦ୍ୟାଳୟର ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୫୮ ଛାତ୍ରଛାତ୍ରୀଙ୍କ ପ୍ରାଣ ହରାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking