ନୂଆଦିଲ୍ଲୀ: ଶନିବାର ଫିଡେ ଦ୍ୱାରା ପ୍ରକାଶିତ ନବୀନତମ ର୍ୟାଙ୍କିଙ୍ଗ୍ରେ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡ୍ମାଷ୍ଟର୍ ଡି. ଗୁକେଶ କ୍ୟାରିୟର୍ ଶ୍ରେଷ୍ଠ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଆର୍. ପ୍ରଜ୍ଞାନନ୍ଦ ପୁଣିଥରେ ଶୀର୍ଷ-୧୦ରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଗୁକେଶ ଗତବର୍ଷ ଡିସେମ୍ବରରେ ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ ହରାଇ ବିଶ୍ୱ ଚାମ୍ପିଅନ୍ ହୋଇଥିଲେ ଏବଂ ଏହା ପରଠାରୁ ସେ ଜବରଦସ୍ତ ଫର୍ମରେ ରହିଛନ୍ତି। ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡ୍ମାଷ୍ଟର୍ ଇତିମଧ୍ୟରେ ୧୦ ରେଟିଂ ପଏଣ୍ଟ୍ ହାସଲ କରିଛନ୍ତି।
ଏବେ ତାଙ୍କର ମୋଟ ରେଟିଂ ପଏଣ୍ଟ୍ ୨୭୮୭ ହୋଇଛି। ନିକଟରେ ଗୁକେଶ୍ ନେଦରଲାଣ୍ଡ୍ରେ ଅନୁଷ୍ଠିତ ଟାଟା ଷ୍ଟିଲ୍ ମାଷ୍ଟର୍ସର ଟାଇବ୍ରେକ୍ରେ ପ୍ରଜ୍ଞାନନ୍ଦଙ୍କଠାରୁ ପରାଜିତ ହୋଇଥିଲେ। ସେ ଦ୍ୱିତୀୟ ସ୍ଥାନରେ ଥିବା ହିକାରୁ ନାକାମୁରା (୨୮୦୨)ଙ୍କଠାରୁ ୧୫ ପଏଣ୍ଟ୍ ପଛରେ ରହିଛନ୍ତି। ନର୍ୱେର ମାଗ୍ନସ୍ କାର୍ଲସନ୍ (୨୮୩୩) ବିଶ୍ୱର ଶୀର୍ଷ ଚେସ୍ ଖେଳାଳି ଭାବେ କାଏମ ରହିଛନ୍ତି। ଶନିବାରର ର୍ୟାଙ୍କିଙ୍ଗ୍ରେ ଗୁକେଶ ନିଜ ଦେଶର ଅର୍ଜୁନ ଏରିଗାସୀ ଓ ଆମେରିକାର ଫାବିୟାନୋ କାରୁଆନାଙ୍କୁ ପଛରେ ପକାଇ ଦେଇଛନ୍ତି। ଅଜୁର୍ନ ଏରିଗାସୀ ଏହା ପୂର୍ବରୁ ଦୀର୍ଘ ସମୟ ଧରି ଶୀର୍ଷ ର୍ୟାଙ୍କ୍ର ଭାରତୀୟ ଥିଲେ।
ସେ ୨୭୭୭ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ଅନ୍ୟପକ୍ଷରେ ଟାଟା ଷ୍ଟିଲ୍ ମାଷ୍ଟର୍ସ ଜିତିବା ଫଳରେ ଗତବର୍ଷ ଜୁଲାଇ ପରେ ପ୍ରଥମ ଥର ଶୀର୍ଷ-୧୦କୁ ଫେରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ପ୍ରାଗ୍ ମାଷ୍ଟର୍ସ ଖେଳୁଥିବା ପ୍ରଜ୍ଞାନନ୍ଦ ୧୭ ରେଟିଂ ପଏଣ୍ଟ୍ ହାସଲ କରି ମୋଟ ୨୭୫୮ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ମହିଳା ବର୍ଗରେ କୋନେରୁ ହମ୍ପି ଏକମାତ୍ର ଭାରତୀୟ ଭାବେ ଶୀର୍ଷ-୧୦ରେ ରହିଛନ୍ତି। ୨୫୨୮ ରେଟିଂ ପଏଣ୍ଟ୍ ସହ ହମ୍ପି ଷଷ୍ଠ ସ୍ଥାନରେ ଅଛନ୍ତି। ଆର୍. ବୈଶାଳୀ (୨୪୮୪) ଓ ହରିକା ଦ୍ରୋଣାବଳୀ (୨୪୮୩) ଯଥାକ୍ରମେ ୧୪ା ଓ ୧୬ଶ ସ୍ଥାନରେ ରହିଛନ୍ତି। ଫିଡେ ରେଟିଂ ଲାଇଭ୍ ଇଏଲ୍ଓ ରେଟିଂଠାରୁ ଭିନ୍ନ ହୋଇଥାଏ।










