32.1 C
Bhubaneswar
Wednesday, October 30, 2024
Homeଓଡିଶାସେବାୟତଙ୍କୁ ସରକାରଙ୍କ ଭୟ, ବିଭ୍ରାଟର ମୂଳ କାରଣ

ସେବାୟତଙ୍କୁ ସରକାରଙ୍କ ଭୟ, ବିଭ୍ରାଟର ମୂଳ କାରଣ

ଭୁବନେଶ୍ୱର : ରଥଯାତ୍ରା ଅଘଟଣକୁ ନେଇ ଏବେ ଚାଲିଛି ଜୋର୍ ଦାର୍ ଦ୍ୱନ୍ଦ । ଦୋଷ ଖୋଜାଖୋଜିକୁ ନେଇ ଦେଖାଦେଇଛି ବିବାଦ । ବିଶେଷ କରି ବଡ଼ ଠାକୁରଙ୍କ ପହଣ୍ଡି ସମୟରେ ବଳଭଦ୍ରଙ୍କୁ ପକାଇ ଦେବା ଘଟଣା ପରେ ବିବାଦ ତେଜିଛି । ମୁଖ୍ୟ ପ୍ରଶାସକଙ୍କୁ ବଦଳାଯାଇଛି ଏବଂ ଦୋଷ ଖୋଜିବାକୁ କମିଟି ଗଠନ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଦେଖାଦେଇ ଆସିଛି ଯେ ଘଟଣା ଘଟିବା ପରେ ତତ୍ପରତା ସବୁ କ୍ଷେତ୍ରରେ ଦେଖାଯାଏ । ତା’ପରେ ସମସ୍ତେ ନୀରବି ଯାଆନ୍ତି । ପୁଣି କିଛି ଅଘଟଣ ନ ହେବା ଯାଏଁ କେହି ମୁହଁ ଖୋଲନ୍ତି ନାହିଁ । ହେଲେ ବାସ୍ତବ କଥା ହେଉଛି ଯାହା ଦେଖାଦେଇ ଆସିଛି ସେବାୟତଙ୍କ ପ୍ରତି ରହିଥିବା ସରକାରଙ୍କ ଭୟ ହିଁ ଏ ସବୁ ଅଘଟଣ ପାଇଁ ମୁଖ୍ୟତଃ ଦାୟୀ । କୌଣସି କ୍ଷେତ୍ରରେ ସରକାର ସେବାୟତଙ୍କ ପ୍ରତି କଠୋର ମନୋଭାବ ପୋଷଣ କରୁ ନାହାଁନ୍ତି । ଅନ୍ୟ ପଟରେ ସେମାନଙ୍କ ଚାପରେ ରହି କାର୍ଯ୍ୟ କରୁଛନ୍ତି । କେବଳ ଘଟଣା ଘଟିଲେ ବି ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍ ରହୁଛନ୍ତି । ଏବେ ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳୀ କରାଯାଇଛି । ଏହି ବଦଳୀରେ କିଛି ଫରକ ପଡ଼ିବ ନାହିଁ ବୋଲି ଅନେକ ଅଭିଜ୍ଞ ବ୍ୟକ୍ତି ମତ ଦେଉଛନ୍ତି ।

ଅତୀତକୁ ଗଲେ ସ୍ପଷ୍ଟ ବାରି ହୋଇ ପଡ଼ିବ ଯେ, ସରକାର ପରେ ସରକାର ଆସିଛନ୍ତି ଓ ଯାଇଛନ୍ତି । ହେଲେ ଶ୍ରୀମନ୍ଦିର କାର୍ଯ୍ୟଧାରାକୁ ଓ ସେବାୟତଙ୍କ ମନୋଭାବକୁ ବଦଳାଇବାରେ ସମର୍ଥ ହୋଇ ନାହାଁନ୍ତି । ବ୍ରହ୍ମ ବିଭ୍ରାଟ ଠୁ ଆରମ୍ଭ କରି ବହୁ ଅଘଟଣ ଶ୍ରୀ ମନ୍ଦିରରେ ଘଟିଛି । କମିଟି ଗଠନ ହୋଇଛି, ତଦନ୍ତ ହୋଇଛି ହେଲେ ଫଳ ଶୂନ । ସରକାର ଚାହିଁଲେ ଅନେକ କିଛି ପଦକ୍ଷେପ ନେଇ ପାରିବେ । କିନ୍ତୁ ମନରେ ଭୟ ଅଧିକ ରହୁଛି । ଶ୍ରୀମନ୍ଦିର ନେଇ ରାଜ୍ୟ, ଦେଶ ଓ ବିଦେଶର ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ କୌଣସି ଅଘଟଣ ଘଟିଲେ କଠୋର ପଦକ୍ଷେପ ନେଲେ କାଳେ ସେବା ଓ ନୀତିରେ ବିଭ୍ରାଟ ଘଟିବ ଓ ତାକୁ ନେଇ ଲୋକେ ପାଲଟା ସରକାରଙ୍କୁ ଦାୟୀ କରିବେ ଏହି ଭାବନା ସବୁ ବେଳେ ରହୁଛି । ପ୍ରଶାସକ ପରେ ପ୍ରଶାସକ ବଦଳୁଛନ୍ତି ହେଲେ କୌଣସି ଫାଇଦା ହେଉ ନାହିଁ । ଏହାର କାରଣ ହେଉଛି ଯେଉଁ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଉଛି ସରକାର ତାଙ୍କ ପଛରେ ଦୃଢ଼ ଭାବେ ଛିଡ଼ା ହେଉ ନାହାଁନ୍ତି । ସେବାୟତଙ୍କୁ ଶୃଙ୍ଖଳିତ କରିବା ପାଇଁ ଓ ବିଶୃଙ୍ଖଳିତଙ୍କୁ ଶୃଙ୍ଖଳିତ କରିବା ପାଇଁ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଲାବେଳେ ସରକାର ତାଙ୍କୁ ବଦଳାଇ ଦେବାର ଅନେକ ଉଦାହରଣ ରହିଛି । ସେବାୟତଙ୍କ ଚାପର ବସବର୍ତି ହୋଇ ସରକାର ପ୍ରଶାସକଙ୍କୁ ବଦଳାଇ ଥାଆନ୍ତି । ଏଥିଲାଗି ଯିଏବି ପ୍ରଶାସକ ଗଲେ ସେବାୟତ ବିଶେଷ କିଛି ଖାତିର କରନ୍ତି ନାହିଁ । ଏଣୁ ବିଭ୍ରାଟ ଲାଗି ରହିବା ସ୍ୱଭାବିକ ।

ଏବେ ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀଙ୍କୁ ପଠାଯାଇଛି । ସେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାର ଯେ ତାଙ୍କ ପଛରେ ରହିବେ ଓ ସେବାୟତଙ୍କ ଚାପର ବଶବର୍ତ୍ତି ହେବେ ନାହିଁ ଏ ଗ୍ୟାରେଣ୍ଟି କିଏ ଦେବ । କାରଣ ଶ୍ରୀ ପାଢ଼ୀ ପୂର୍ବରୁ ଏହି ଦାୟିତ୍ୱରେ ଗତ ସରକାର ସମୟରେ ଥିଲେ । ସେ ମନ୍ଦିରରେ କିଛି ସଂସ୍କାର କାର୍ଯ୍ୟ ହାତକୁ ନେଇ ପଦକ୍ଷେପ ନେବା କ୍ଷଣି ତାଙ୍କୁ ହଟାଇ ଦିଆଗଲା । କେବଳ ସେ ଏକା ନୁହଁନ୍ତି ଏହା ପୂର୍ବରୁ ମୁଖ୍ୟ ପ୍ରଶାସକ ଥିବା ପ୍ରଦୀପ ଜେନା, ସୁରେଶ ମହାପାତ୍ର, ବିଶାଲ ଦେବଙ୍କ ଠାରୁ ଆରମ୍ଭ କରି ଅନେକ ଆଇଏଏସ୍ ଅଧିକାରୀ ଦାୟିତ୍ୱରେ ଥିବାେବେଳ ଯେଉଁ ବଦକ୍ଷେପ ନେବାକୁ ଚାହିଁଛନ୍ତି ପରବର୍ତ୍ତି ସମୟରେ ସେମାନଙ୍କର ବଦଳୀ ହୋଇଥିବାର ଦେଖାଦେଇଛି । ଏପରିକି ବିଳମ୍ବରେ ହେଲେ ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ସରକାର ରଞ୍ଜନ ଦାସଙ୍କୁ ପୂର୍ଣ୍ଣ କାଳୀନ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଥିଲେ । ହେଲେ ତାଙ୍କୁ ବି ହଟାଇ ଦେଲେ ।

କେବେଳ ଏତିକି ନୁହେଁ ବିଭିନ୍ନ ଅଘଟଣ ସମୟରେ ଯେଉଁ ସବୁ ତଦନ୍ତ କମିଶନ ବିସିଛି ସେମାନଙ୍କ ରିପୋର୍ଟ ମଧ୍ୟ ଲୋକ ଲୋଚନକୁ ଆସିନି । ଏହା ପଛରେ ଏକ ମାତ୍ର କାଣଣ ହେଉଛି ସେବାୟତଙ୍କ ପ୍ରତି ରହିଥିବା ଭୟ ମନୋଭାବ । କୁହାଯାଏ ସରକାର କାର୍ଯ୍ୟାନୁଷ୍ଠାନ ନେବା ପଛରେ ଏଥିପାଇଁ ଅସହାୟ ହୋଇ ଥାଆନ୍ତି ଯେ ଯଦି କିଛି କଠୋର ପଦକ୍ଷେପ ନେବେ ତେବେ ସେମାନେ ଏକାଠି ହୋଇ ବା ଗ୍ରୁପ୍ ହୋଇ ସେବାରେ କିଛି ପ୍ରତିବନ୍ଧକ ସୃଷ୍ଟି କରି ପାରନ୍ତି । ସେବାରେ ବ୍ୟାହତ ହେଲେ ସାଧାରଣରେ ଲୋକେ ସରକାରଙ୍କୁ ହିଁ ଦାୟୀ କରିବେ । ଶ୍ରୀମନ୍ଦିରର ନୀତିକାନ୍ତି ଏଭଳି ଭାବରେ ରହିଛି ଯେ ପ୍ରତ୍ୟକ ନୀତି ପାଇଁ ନିର୍ଦ୍ଦିଷ୍ଟ ଶ୍ରେଣୀର ସେବାୟତ ରହିଥାଆନ୍ତି । ଯେଉଁ ସେବାୟତଙ୍କ ଯେଉଁ ନୀତି ସେ ଯଦି ନଆସିବେ ଓ ନକରିବେ ତା’ ପରବର୍ତ୍ତି ନୀତି ପାଇଁ ଯେଉଁ ସେବାୟତ ଅଛନ୍ତି ସେ ଆସି କରିବେ ନାହିଁ । ଏଣୁ ସେବାୟତଙ୍କ ସହ ନୀତିକାନ୍ତି ଛନ୍ଦାଛନ୍ଦି ହୋଇ ରହିଛି ।

ରଥକୁ ଶ୍ରଦ୍ଧାଳୁମାନେ ନ ଚଢ଼ିବା ପାଇଁ ସରକାର ଯେଉଁ ନିୟମ କରିଛନ୍ତି ସେଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି । ସେବାୟତମାନଙ୍କୁ ଏ ବାବଦାରେ କୋଟି କୋଟି ଟଙ୍କା ଦେବାକୁ ପଡ଼ୁଥିବା କୁହାଯାଉଛି । ଏ ବର୍ଷ କୁଆଡ଼େ ଗତ ବର୍ଷ ଠାରୁ ଅଧିକ ୩୦ ପ୍ରତିଶତ ଅର୍ଥ ଦେବାକୁ ପଡ଼ିଛି ବୋଲି ଆଲୋଚନା ହେଉଛି । ସେମାନେ ଯେଉଁ ସବୁ ଯୁକ୍ତି ଦର୍ଶାଇ ଅର୍ଥ ଦାବି କରୁଛନ୍ତି ତାହା ଜାଣିଲେ ବି ଅଜବ ଲାଗୁଛି । କିନ୍ତୁ ସରକାରଙ୍କ ପାଖରେ ଉପାୟ ନାହିଁ । ଯଦି ସେମାନଙ୍କ କଥା ଅନୁସାରେ ଅର୍ଥ ଦିଆ ନଯିବ ତେବେ ରଥଯାତ୍ରାକୁ ସେମାନେ ଅଧିକ ବିଭ୍ରାଟ ଆଡ଼କୁ ନେଇଯିବେ । ଯାହାର ଯାହା ନୀତି ସେ ନ ଆସିଲେ ସବୁ କିଛି ଅଡ଼ୁଆ ହୋଇଯିବ । ଫାଇଦା ସେବାୟତମାନେ ହିଁ ନେଉଛନ୍ତି ଓ ସରକାରଙ୍କୁ ଅସହାୟ ଅବସ୍ଥାରେ ରଖୁଛନ୍ତି । ଜଣେ ସେବାୟତ ନ ଆସିଲେ ତାଙ୍କ ନୀତିକୁ ଅନ୍ୟଜଣେ କରିବେ ଏ ବ୍ୟବସ୍ଥା ନ ହେବା ଯାଏଁ ସେମାନଙ୍କ ମନମୁଖି ଏହିପରି ଚାଲିବ । ଏବଂ ସରକାର ଚାହିଁଲେ ବି ଧାର୍ମିକ ମନୋଭାବ ଜଡ଼ିତ ଥିବାରୁ କିଛି କରିପାରିବେ ନାହିଁ । ଏ ସମସ୍ୟାର ପ୍ରତିକାର ନହେବା ଯାଏଁ ଯେତେ ପ୍ରଶାସକ ବଦଳୀଲେ କି ସରକାର ବଦଳୀଲେ କିଛି ଲାଭ ହେବ ନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking