କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ବାରସିଂଗା ଗାଁରେ ଗତ ରାତିରେ ଘଟିଯାଇଛି ଏକ ଲୋମ ହର୍ଷକ ଘଟଣା। ବୃଦ୍ଧ ବାପ ନିଜର ପୁଅ ବୋହୂ ଉପରେ ପେଟ୍ରାଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏହି କାଣ୍ଡରେ ବୋହୂର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିଲା ବେଳେ ପୁଅ ହସ୍ପିଟାଲ୍ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବାରସିଂଗା ଗାଁର ଗୋବର୍ଦ୍ଧନ ରାଉତ କୌଣସି କାରଣରୁ ଗତକାଲି ବିଳମ୍ବିତ ରାତିରେ ପୁଅ ଦିନବନ୍ଧୁ ରାଉତ (୪୦) ବୋହୂ ସସ୍ମିତା ରାଉତ (୩୭)ଙ୍କ ଉପରେ ପେଟ୍ରୋଲ ଠାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ପୁଅର ଶରୀର୫୦ ଭାଗ ଏବଂ ବୋହୂଙ୍କ ପ୍ରାୟ ୭୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା। ତେବେ ଗ୍ରାମବାସୀ ତଥା ପଡୋଶୀମାନେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତ କରିଥିଲେ। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବାବେଳେ ଦିନବନ୍ଧୁଙ୍କ ପତ୍ନୀ ସସ୍ମିତା ଆଜି ଆଖି ବୁଜି ଦେଇଛନ୍ତି। ଅପରପକ୍ଷେ ଦିନବନ୍ଧୁଙ୍କ ଅବସ୍ଥା ଏବବି ସଂକଟାପନ୍ନ ରହିଛି।
ସୂଚନାଯୋଗ୍ୟ ଦିନବନ୍ଧୁଙ୍କର ଏକ ଦୋକାନ ରହିଛି। ଟଙ୍କା ଦେୟନେଣକୁ ନେଇ କିଛି ଦିନ ହେବ ପିତା ଓ ପୁତ୍ରଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଗତ ରାତିରେ ଦିନବନ୍ଧୁ ଘରକୁ ଫେରି ପତ୍ନୀଙ୍କ ସହ ଖାଇ ବସିଥିଲେ। ଏହି ସମୟରେ ତାଙ୍କ କୁନି ପୁଅ ଖଟ ଉପରେ ବସିଥିଲା। ସେତେବେଳେ ଗୋବର୍ଦ୍ଧନ ହାତରେ ପେଟ୍ରୋଲ ଓ ନିଆଁ ଧରି ସେଠାରେ ପହଞ୍ôଚଥିଲେ। ଏହା ଦେଖି ଦିନବନ୍ଧୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଗୋବର୍ଦ୍ଧନ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ଦେଖି ଦିନବନ୍ଧୁଙ୍କ ପତ୍ନୀ ସେଠାକୁ ଦୌଡ଼ି ଆସିଥିଲେ। ଫଳରେ ଉଭୟ ପତିପତ୍ନୀ ନିଆଁରେ ଜଳି ଉଠିଥିଲେ। ଖବର ପାଇ ଗାଁ ଲୋକ ତୁରନ୍ତ ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦିନବନ୍ଧୁଙ୍କ ପତ୍ନୀ ସସ୍ମିତାଙ୍କର ଆଜି ମୃତ୍ୟୁ ହୋଇଯାଇଛି। ପୁଲିସ ଗୋବର୍ଦ୍ଧନ ରାଉତଙ୍କୁ ଅଟକ ରଖି ପଚରାଉଚରା କରିଛି। ପୁଲିସ ସାଇଣ୍ଟିଫିକ ଟିମ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।