ମୟୂରଭଞ୍ଜ: ସ୍ତ୍ରୀର ମୃତ୍ୟୁ ପରେ ବାପ ହୋଇଗଲା ପର। ଦ୍ଵିତୀୟ ସ୍ତ୍ରୀ ପାଇ ଛୋଟ ଛୋଟ ପୁଅ ଓ ଝିଅକୁ କରିଦେଲା ପର। ଦ୍ଵିତୀୟ ସ୍ତ୍ରୀ ଗ୍ରହଣ ପରେ ପ୍ରଥମ ସ୍ତ୍ରୀର ନାବାଳକ ସନ୍ତାନକୁ ନିଛାଟିଆ ଜଙ୍ଗଲ ମଝିରେ ଛାଡି ଦେଇଛି ବାପା l ଘଟଣାଟି ଯେତିକି ଦୁଃଖଦାୟକ ତାଠାରୁ ଅଧିକ ଲଜ୍ଜାଜନକ । ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ l ସୂଚନା ଅନୁଯାୟୀ, ଚିତ୍ରଡା ଡୁମୁରଡିହା ଗ୍ରାମର ଗୋବିନ୍ଦଚନ୍ଦ୍ର ମହାନ୍ତ ଆଜି ପୂର୍ବାହ୍ନ ୧୦ଟାରେ ନିଜ ଗ୍ରାମର ଶିବ ମହାନ୍ତ, ମଙ୍ଗଲୀ ମହାନ୍ତ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ l ତେବେ ଦିନ ପ୍ରାୟ ୧୨ଟା ବେଳେ ଘରକୁ ଫେରିବା ସମୟରେ ଜଙ୍ଗଲ ମଝି ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ଉପରେ ଜଣେ ୩ ବର୍ଷର ପୁଅ ଏବଂ ଅଢେଇ ବର୍ଷର ଝିଅ ଛୁଆ ବସିଥିବାର ଦେଖିଥିଲେ l କିଛି ସମୟ ପରେ ଉକ୍ତ ଦୁଇଛୁଆ ପାଣି ପିଇବାକୁ କେନାଲକୁ ଅହ୍ଲାଇ ଥିଲେ l ଏହାଦେଖି ଗୋବିନ୍ଦ କେନାଲକୁ ଯାଇ ଦୁଇଛୁଆକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ l ତେବେ ଚିତ୍ରଡାକୁ ଆସିଥିବା କିଛି ଲୋଧା ଜନଜାତିର ଲୋକେ ଉଦ୍ଧାର ଦୁଇଛୁଆକୁ ଦେଖି ଚିହ୍ନି ପାରିଥିଲେ ଏବଂ ଏମାନେ ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତ ଟିଆଁସୀ ଗ୍ରାମର ବାପି ମଲ୍ଲିକର ପୁଅ ଓ଼ ଝିଅ ବୋଲି କହିଥିଲେ l କିଛି ସମୟରେ ଉକ୍ତ ଦୁଇ ଭାଇଭଉଣୀଙ୍କୁ ନେବାକୁ ଜେଜେ ବାପା ମୁନ୍ସୀ ମଲ୍ଲିକ ଆସିଥିଲେ ମଧ୍ୟ ଭାଇଭଉଣୀ ତାଙ୍କ ସହିତ ଯାଇନଥିଲେ l ଖବରପାଇ ଅଙ୍ଗନବାଡି କର୍ମୀ ଜୟନ୍ତୀ ନାଏକ ଏବଂ ଲୋଧା ଉନ୍ନୟନ ସଂସ୍ଥାର ପୋଷଣ ସହାୟିକା ଅରୁଣା ପ୍ରଜାପତି ଗୋବିନ୍ଦଙ୍କ ଘରେ ପହଞ୍ଚି ଘଟଣା ବାବଦରେ ବୁଝିଥିଲେ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ l ତେବେ ଉଦ୍ଧାର ଦୁଇ ଭାଇଭଉଣୀଙ୍କୁ ଅଙ୍ଗନବାଡି କର୍ମୀ ଜୟନ୍ତୀ ତାଙ୍କ ଘରେ ରଖିଛନ୍ତି l ଏବାବଦରେ ସିଡିପିଓ ବିଜୟଲକ୍ଷ୍ମୀ ଦଣ୍ଡପାଟଙ୍କୁ ପଚାରିବାରୁ ବାପା ବାପି ମଲ୍ଲିକ ଉକ୍ତ ଦୁଇ ଭାଇଭଉଣୀଙ୍କୁ ଜଙ୍ଗଲରେ ଅମାନୁଷିକ ଭାବେ ଛାଡିଛନ୍ତି ଏବଂ ଆସନ୍ତାକାଲି ଦୁଇ ଛୁଆକୁ ସିଡବ୍ଲ୍ୟୁସିକୁ ପଠାଯିବ ବୋଲି ଫୋନ ଯୋଗେ କହିଛନ୍ତି l ସୂଚନା ଯୋଗ୍ୟଯେ, ବାପି ମଲ୍ଲିକ ଦ୍ୱିତୀୟ ବିବାହ କରିଛନ୍ତି ଏବଂ ଉକ୍ତ ଦୁଇ ଭାଇଭଉଣୀ ତାଙ୍କର ପ୍ରଥମ ସ୍ତ୍ରୀର ଛୁଆ l ବାପିଙ୍କ ପ୍ରଥମ ସ୍ତ୍ରୀ ଦୁଇମାସ ତଳେ ଆତ୍ମହତ୍ୟା କରିଛନ୍ତି l










