28.3 C
Bhubaneswar
Tuesday, May 13, 2025
Homeଓଡିଶାଓଡ଼ିଶା ପ୍ରତି ଚରମ ଅବହେଳା: ଦିଲ୍ଲୀ ଚଲୋ ଅଭିଯାନରେ ସାମିଲ ହେବ ଫରୱାର୍ଡ଼ ବ୍ଲକ୍‌

ଓଡ଼ିଶା ପ୍ରତି ଚରମ ଅବହେଳା: ଦିଲ୍ଲୀ ଚଲୋ ଅଭିଯାନରେ ସାମିଲ ହେବ ଫରୱାର୍ଡ଼ ବ୍ଲକ୍‌

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ ଓଡ଼ିଶାରେ ଥିବା “ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା  ଅଧୀନରେ ଥିବା ୱାଲ୍‌ଟିଅର ରେଳ ଡିଭିଜନକୁ ଭାଙ୍ଗି ବିଶାଖପାଟଣା ସମେତ ଏହାର ପ୍ରମୁଖ ଲାଭଦାୟକ ଅଞ୍ଚଳକୁ କାଢ଼ି ନିଆଯାଇ ଆନ୍ଧ୍ର ପ୍ରଦେଶ ପାଇଁ ନୂତନ ଭାବେ ଗଠନ ହେଉଥିବା “ସାଉଥ କୋଷ୍ଟ୍‌ ରେଳପଥ ଜୋନ’ ଅଧିନକୁ ଟେକି ଦିଆଯାଉଛି । ଯାହା ଫଳରେ ଇଷ୍ଟ୍‌ କୋଷ୍ଟ୍‌ ରେଳପଥ ଦୁର୍ବଳ ହେବା ସହ ଓଡିଶାର ପ୍ରଭୂତ ରାଜସ୍ୱ କ୍ଷତି ହେବ ।  ଆନ୍ଧ୍ର ତା’ର ରାଜନୈତିକ ପ୍ରଭାବ ବିସ୍ତାର କରି ଯଦି ତା’ର ତେଲଗୁ ରେଳ ଅଞ୍ଚଳକୁ ଏକାଠି କରି ଏକ ନୂଆ ଜୋନ ଗଢ଼ିବାକୁ ପ୍ରୟାସ ଚଳାଇଛି କେବଳ ନୁହେଁ ବରଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନବ ଗଠିତ ରାୟଗଡ଼ା ଡ଼ିଭିଜନକୁ ମଧ୍ୟ ସାଉଥ୍ କୋଷ୍ଟ୍ ରେଳ ଜୋନ୍‌ରେ ମିଶ୍ରଣ ପାଇଁ ଦାଦି ଉଠାଇଲେଣି । ଏଭଳି ଅବସ୍ଥାରେ ଓଡ଼ିଶାବାସୀ ଆମ ଓଡ଼ିଶା ସୀମା ମଧ୍ୟରେ ଥିବା ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଥିବା ଖଣିଜ ସମ୍ପଦ ଭରା ପ୍ରମୁଖ ରେଳ ଅଞ୍ଚଳଗୁଡ଼ିକ ଯାହା ଅନ୍ୟ ରାଜ୍ୟରେ ଥିବା ରେଳ ଜୋନ ଅଧିନରେ ରହିଛି ସେଗୁଡିକୁ ଏକାଠି କରି ନୂତନ ଏକ ଉତ୍ତର-ପଶ୍ଚିମାଞ୍ଚଳ ଡ଼ିଭିଜନ ଗଠନ କରି ଓଡ଼ିଶାରେ ଅବସ୍ଥିତ ଇଷ୍ଟ୍‌ କୋଷ୍ଟ୍‌ ରେଳପଥ ଜୋନରେ ସାମିଲ କରାଯିବା ପାଇଁ ଦାବି କରାଯାଉଛି ।  ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ଇବ୍‌, ବ୍ରଜରାଜନଗର ଓ ବାଲେଶ୍ୱର ପରି ପ୍ରାକୃତିକ ସମ୍ପଦରେ ସମୃଦ୍ଧଶାଳୀ ଓ ରେଳପଥର ଟ୍ରାନ୍ସପୋର୍ଟେସନ ହବ୍ ଭାବେ ପରିଚିତ ଅଞ୍ଚଳଗୁଡିକୁ ଇଷ୍ଟ୍ କୋଷ୍ଟ୍ ରେଳପଥରେ ସାମିଲ କରାଯାଇପାରିଲେ ଇଷ୍ଟ୍ କୋଷ୍ଟ୍ ରେଳପଥ ସହ ଓଡିଶାର ହେଉଥିବା କ୍ଷତି ଭରଣା ହୋଇପାରିବ । ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା  ପୋଲାଭରମ ଡ୍ୟାମ’ର ଉଚ୍ଚତା ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ିଯିବ, ଲକ୍ଷ ଲକ୍ଷ ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ମାଟିର ମଣିଷମାନେ ବାସଚ୍ୟୁତ ହେବେ । ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ ସହ ମାଲକାନଗିରି ଜିଲ୍ଲାର ସମ୍ଭାବ୍ୟ ବାସଚ୍ୟୁତମାନଙ୍କ ସହ ସରକାର ଆଲୋଚନା କରିବା, ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ ରାଜ୍ୟ କର୍ତ୍ତୃତ୍ୱ ବିସ୍ତାର ସ୍ୱରୂପ ଅନେକ ବେଆଇନ ଡ଼୍ୟାମ ନିର୍ମାଣ ଫଳରେ, ଓଡ଼ିଶାରେ ମହାନଦୀ ଅବବାହିକାରେ ଖରାଦିନେ ଜଳାଭାବର ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି । ବର୍ଷାଦିନେ ମଧ୍ୟ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଶୁଖିଲା ପଡ଼ୁଛି । ଫଳରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନଗଣ ଜଳ ନିମନ୍ତେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଆରମ୍ଭ ହୋଇଗଲାଣି, ଯାହା ଆଗକୁ ଆହୁରି ଉତ୍କଟ ରୂପ ଧାରଣ କରିବ । ବର୍ଷ ସାରା ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ସ୍ୱାଭାବିକ କରିବା ପାଇଁ  ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରତ୍ନଗର୍ଭା ଓଡ଼ିଶା ମାଟିି ତଳେ ଓ ମାଟି ଉପରେ ଭରି ରହିଥିବା ଅଜସ୍ର ପ୍ରାକୃତିକ ଓ ଖଣିଜ ସମ୍ପଦକୁ ସଫଳ ବିନିଯୋଗ କରି ଲକ୍ଷ ଲକ୍ଷ ଓଡ଼ିଆ ଯୁବକ-ଯୁବତୀଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ଦାବିରେ ଆଜାଦ୍ ହିନ୍ଦ୍ ବାହିନୀ, ଓଡ଼ିଶା ପକ୍ଷରୁ ଆସନ୍ତା ୧୦ ଅପ୍ରେଲ ୨୦୨୫ ରିଖ ଦିନ ଦିବା ୧୦ ଘଟିକା ସମୟରେ  ନୂଆଦିଲ୍ଲୀ ସଂସଦ ଭବନ ସମ୍ମୁଖସ୍ଥ ଜନ୍ତର ମନ୍ତର ଠାରେ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହେବ ।

ଓଡ଼ିଶା ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ସାମିଲ ହେବ ବୋଲି ଆଜି ନେତାଜୀ ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଓ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ଘୋଷଣା କରିଛନ୍ତି । ଏହି ବୈଠକରେ ଫରୱାର୍ଡ଼ ବ୍ଲକ୍‌ର ଉପ ସଭାପତି ସର୍ବେଶ୍ୱର ମିଶ୍ର, ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ଜିତେନ୍ଦ୍ରୀୟ ବେହେରା, ଶାନ୍ତିଲତା ମହାରଣା, କମଳା ସାହୁ, କୋଷାଧ୍ୟକ୍ଷ ଶମ୍ଭୁ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଫରୱାର୍ଡ଼ ବ୍ଲକ୍ ର ଶତାଧିକ କର୍ମି ଆସନ୍ତା ଅପ୍ରେଲ ୮ ତାରିଖ ଦିନ ନିଳାଚଳ ଏକ୍ସପ୍ରେସ୍ ଯୋଗେ ଦିଲ୍ଳୀ ଅଭିମୁଖେ ଯାତ୍ରା କରିବେ । ସଂସଦ ଭବନ ସମ୍ମୁଖରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିବାଦ ଧାରଣାରେ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃମଣ୍ଡଳୀ, ବୁଦ୍ଧିଜିବୀ, ସାମାଜିକ କର୍ମି, ଲେଖକ, ସାହିତ୍ୟିକ, କବି ପ୍ରଭୁତି ସାମିଲ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking