ନୂଆଦିଲ୍ଲୀ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ବର୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ କାରେକାଟ୍ଟେ ଗାଁ ନିକଟରେ ଥିବା ଏକ କାରଖାନାରେ ଏକ କେମିକାଲ ଷ୍ଟୋରେଜ ଟାଙ୍କି ବିସ୍ଫୋରଣ ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଠିକାଦାର ଫେରାର ହୋଇଯାଇଛି। ରାସାୟନିକ କାରଖାନା ସ୍ଥାନାନ୍ତରିତ ହେଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିବା ରିପୋର୍ଟ ଆସିଛି। ପୋଲିସ ସୂତ୍ର ଅନୁସାରେ, ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଆହତ ମାନଙ୍କୁ ମାଣ୍ଡ୍ୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ କାରଖାନାର ଉପକରଣ କିଛି ସମୟ ପାଇଁ କାରେକାଟ୍ଟେରୁ ନୂତନ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ରବିବାର କେମିକାଲ ଟାଙ୍କି ଖାଲି କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ କହିଛି ଯେ ତଦନ୍ତ ଚାଲିଛି। ସମସ୍ତ ମୃତକ ବିହାରର ବାସିନ୍ଦା ଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦା କାରଖାନାର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ, ୨୦୨୨ ମସିହାରେ ଏକ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା, ଯାହା ଦ୍ୱାରା ନିକଟସ୍ଥ ଫସଲ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଦୁଇଟି କୁକୁର ମରିଯାଇଥିଲେ। ସେମାନେ କହିଛନ୍ତି ଯେ ଏହି ଘଟଣା ନିକଟରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥିଲା। ଚାଷୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ବିରୋଧ ଏବଂ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ, କାରଖାନାକୁ ବନ୍ଦ କରିଦିଆଯାଇଥିଲା। ଏହି କାରଣରୁ ମାଲିକ କାରଖାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ।










