ବିଜେପିକୁ ସର୍ବାଧିକ ଆସନ, ୨ୟରେ ଆପ୍, ଖାତା ଖୋଲିପାରିବନି କଂଗ୍ରେସ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି। ଏଥିସହ ସମସ୍ତ ୭୦ଟି ଯାକ ଆସନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହୋଇଯାଇଛି। ତେବେ ଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ପରେ ଦେଶର ଏକାଧିକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡା ମତ ବା ଏକ୍ଜିଟ୍ ପୋଲ୍ର ରେଜଲ୍ଟ ସାମ୍ନାକୁ ଆସିଛି। ନିର୍ବାଚନ ଆୟୋଗଙ୍କ କଟକଣା ଅନୁସାରେ ସମସ୍ତ ଆସନରେ ଭୋଟିଂ ଶେଷ ହେବା ପରେ ହିଁ ବିଭିନ୍ନ ସଂସ୍ଥା ପକ୍ଷରୁ ଏହି ବୁଥ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ ରେଜଲ୍ଟ ଜାରି କରାଯାଇଛି। ତେବେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଏଥର ଏକ ଐତିହାସିକ ଜନାଦେଶ ଦେବାକୁ ଯାଉଥିବା ଏକ୍ଜିଟ୍ ପୋଲ୍ରୁ ସ୍ପଷ୍ଟ ହୋଇଛି। ପୋଲ ଅଫ୍ ଏକଜିଟ୍ ପୋଲ ଅନୁଯାୟୀ, ଦିଲ୍ଲୀରେ ଏଥର ବିଜେପି ୩୯ଟି ଆସନ ଅକ୍ତିଆର କରିବା ପୂର୍ବକ ସରକାର ଗଠନ କରିବାକୁ ଯାଉଛି। ସେହିପରି ଗତ ୧୩ ବର୍ଷ ଧରି କ୍ଷମତାରେ ରହିଆସିଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) ୩୦ଟି ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟହେବ ଓ କଂଗ୍ରେସ କେବଳ ଗୋଟିଏ ଆସନ ହିଁ ଜିତିପାରିବ। ଭୋଟ୍ ଦେଇ ବୁଥ୍ରୁ ବାହାରୁଥିବା ବ୍ୟକ୍ତିବିଶେଷଙ୍କ ମତ ଆଧାରରେ ଏହି ଏକ୍ଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଥିଲେ ମଧ୍ୟ ଏହାକୁ ନେଇ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ସେହିପରି ଆପ୍ ଓ କଂଗ୍ରେସ ଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିରାଶା ଭାବ ସ୍ପଷ୍ଟ ବାରି ହୋଇପଡିଛି। ଦିଲ୍ଲୀ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୭୦ ରହିଥିବା ବେଳେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ରିପୋର୍ଟ ଅନୁସାରେ ଅଧିକାଂଶ ସର୍ଭେ ସଂସ୍ଥା ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍କୁ ହ୍ୟାଟ୍ରିକ୍ ବିଜୟ ମିଳିବ ନାହିଁ ବୋଲି ଆକଳନ କରିଛନ୍ତି। ସେହିପରି ବିଜେପି ଦିଲ୍ଲୀ ବିଜୟ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ତା’ହା ଏଥର ସାକାର ହେବ ବୋଲି ଏକଜିଟ୍ ପୋଲ ଫଳାଫଳ ପ୍ରତିପାଦିତ କରୁଛି। ଅନ୍ୟପକ୍ଷେ ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଏଥର ମଧ୍ୟ ଦିଲ୍ଲୀରେ ନୈରାଶ୍ୟଜନକ ପ୍ରଦର୍ଶନ କରିବ। ଏନେଇ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଏହି ପ୍ରକାରେ ରହିଛି। ପ୍ରକାଶ, ୨୦୧୩ରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ପ୍ରଥମ ଥର ପାଇଁ କଂଗ୍ରେସକୁ କ୍ଷମତାରୁ ହଟାଇ ଦିଲ୍ଲୀରେ ସରକାର ଗଠନ କରିଥିଲା। ମାତ୍ର କିଛି ଦିନ ପରେ କେଜ୍ରିୱାଲ୍ ଇସ୍ତଫା ଦେଇଥିଲେ ଯାହାଫଳରେ ୨୦୧୫ରେ ପୁଣି ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୫ରେ ଆପ୍ ଏକାକୀ ରେକର୍ଡ ୬୭ଟି ଆସନ ଜିତିଥିଲା। ବିଜେପି ସେତେବେଳେ ମାତ୍ର ୩ଟି ବିଧାନସଭା ଆସନରେ ସୀମିତ ରହିଥିଲା ଓ କଂଗ୍ରେସ ଖାତା ମଧ୍ୟ ଖୋଲି ପାରି ନଥିଲା। ସେହିପରି ୨୦୨୦ରେ ଆପ୍ ପୁଣିଥରେ ୬୨ଟି ଆସନ ଜିତି କ୍ରମାଗତ ୩ୟ ଥର ପାଇଁ ସରକାର ଗଠନ କରିଥିଲା।
ଏକ୍ଜିଟ୍ ପୋଲ୍
ଦିଲ୍ଲୀ ବିଧାନସଭା ନିର୍ବାଚନ
ମୋଟ୍ ଆସନ: ୭୦, ବହୁମତ: ୩୬
ସର୍ଭେ ସଂସ୍ଥା ବିଜେପି ଆମ୍ ଆଦ୍ମୀ ପାର୍ଟି କଂଗ୍ରେସ
ଜି ନ୍ୟୁଜ୍ ୩୧-୩୬ ୩୩-୩୮ ୦-୨
ମ୍ୟାଟ୍ରିଜ୍ ୩୫-୪୦ ୩୨-୩୭ ୦-୧
ପିପୁଲ୍ସ ଇନ୍ସାଇଟ୍ ୪୦-୪୪ ୨୫-୨୯ ୦-୧
ପିପୁଲ୍ସ ପ୍ଲସ୍ ୫୧-୬୦ ୧୦-୧୯ ୦-୦
ଜେଭିସି ପୋଲ୍ସ ୩୯-୪୫ ୨୨-୩୧ ୦-୨
ପି ମାର୍କ ୩୯-୪୯ ୨୧-୩୧ ୦-୧
ଚାଣକ୍ୟ ୩୯-୪୪ ୨୫-୨୮ ୨-୩
ପୋଲ୍ ଡାଏରୀ ୪୨-୫୦ ୧୮-୨୫ ୦-୨
ଡିଭି ରିସର୍ଚ୍ଚ ୩୬-୪୪ ୨୬-୩୪ ୦-୦
ୱିପ୍ରିସାଇଡ୍ ୧୮-୨୩ ୪୬-୫୨ ୦-୧
ମାଇଣ୍ଡ ବ୍ରିଙ୍କ୍ ୨୧-୨୫ ୪୪-୪୯ ୦-୧
ଏସ୍ଏଏସ୍ ୩୮-୪୧ ୨୭-୩୦ ୧-୩
ସେତେବେଳେ ବିଜେପି ୮ଟି ଆସନରେ ବାଜିମାତ କରିଥିଲା। କିନ୍ତୁ ଏବେ ଯେତେବେଳେ ୨୦୨୫ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ସେତେବେଳ ବିଜେପି ଆପ୍କୁ କ୍ଷମତାଚ୍ୟୁତ କରି ଦିଲ୍ଲୀରେ ସରକାର ଗଠନ କରିବ ବୋଲି ଏକ ଆଶା ସଞ୍ଚାର ହୋଇଛି। ୨୦୨୫ରେ ବିଜେପି ଦିଲ୍ଲୀରେ ବିଜୟୀ ହେବା ସହ ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକଜିଟ୍ ପୋଲରେ କୁହାଯାଇଛି। କିନ୍ତୁ ମ୍ୟାଟ୍ରିଜ ଏବଂ ଜି ନ୍ୟୁଜ୍ ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଆକଳନ କରିଛନ୍ତି। ସେହିପରି ୱି ପ୍ରିସାଇଡ ମଧ୍ୟ କହିଛି ଯେ ବିଜେପି ୧୮ରୁ ୨୩, ଆପ୍ ୪୬ରୁ ୫୨ ଓ କଂଗ୍ରେସ ଶୂନରୁ ୧ଟି ଆସନ ଜିତିବ। ତେବେ ଏକ୍ଜିଟ୍ ପୋଲ୍ ଫଳାଫଳ ଆଧାରରେ ଆପ୍ର ଏପ୍ରକାର ପ୍ରଦର୍ଶନ ପଛରେ କେବଳ ଦଳଗତ ତଥା କେଜ୍ରିୱାଲ୍ଙ୍କ ବିରୋଧରେ ମାତ୍ରାଧିକ ଦୁର୍ନୀତି, ଭ୍ରଷ୍ଟାଚାର ଜନିତ ମାମଲା ହିଁ ମୁଖ୍ୟ କାରଣ ବୋଲି ସର୍ବସାଧାରଣରେ ମତପ୍ରକାଶ ପାଇଛି। ଗତ ୨ବର୍ଷ ମଧ୍ୟରେ କେଜ୍ରିୱାଲ୍ ଏବଂ ତାଙ୍କ ଦଳର ଅଧିକାଂଶ ନେତାଙ୍କ ଛବି ଦିଲ୍ଲୀବାସୀଙ୍କ ନିକଟରେ ଖରାପ ହୋଇଯାଇଛି।