ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବା ବେଳେ ଘରୋଇ ଶିଳ୍ପକୁ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର ଜୁନ ୩୦, ୨୦୨୬ ଯାଏଁ ପ୍ରମୁଖ ପେଟ୍ରୋକେମିକାଲ ଉତ୍ପାଦଗୁଡିକ ଉପରେ ପୂର୍ଣ୍ଣ କଷ୍ଟମ୍ସ ଡ୍ୟୁଟି ବା ଆମଦାନୀ ଶୁଳ୍କ ଛାଡ କରିବାକୁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଫଳରେ ପ୍ଲାଷ୍ଟିକ , ଔଷଧ, ବୟନ ଶିଳ୍ପ ଓ ଅଟୋ ମୋଟିଭ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ ଇନପୁଟ ଖର୍ଚ୍ଚ ହ୍ରାସ ପାଇବା ସହ ବଜାରରେ ଚୂଡାନ୍ତ ଉତ୍ପାଦର ମୂଲ୍ୟ କମିବ ବୋଲି ଆଶା କରାଯାଉଛି । ଏଥି ସହିତ ଗ୍ୟାସ ସଙ୍କଟର ମୁକାବିଲା ପାଇଁ ବାଣିଜ୍ୟିକ ଏଲପିଜି ବ୍ୟବହାର ଉପରେ ଏପ୍ରିଲ ୧ରୁ କଠୋର ନିୟମ ଲାଗୁ କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆମୋନିୟମ ନାଇଟ୍ରେଟ, ମେଲାମାଇନ, ମିଥାନାଲ ଓ ଆସେଟିକ ଏସିଡ ଭଳି ଜରୁରୀ କଞ୍ଚାମାଲ ଉପରୁ ଟିକସ ହଟାଇ ଦିଆଯାଇଛି । ଯାହା ଘରୋଇ ଉତ୍ପାଦନକାରୀଙ୍କୁ ବଡ ସହାୟତା ପ୍ରଦାନ କରିବ ।ଅନ୍ୟପଟେ, ପେଟ୍ରୋଲ ଓ ଡିଜେଲ ଉପରେ ୧୦ ଟଙ୍କାର ରିହାତି ଜାରି ରହିଥିବା ବେଳେ ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ବିଶେଷ କରି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ତିନି ଗୁଣ ବୃଦ୍ଧି ପାଇଥିବାରୁ ସରକାର କଳାବଜାରୀ ରୋକିବା ପାଇଁ ନୂଆ କେୱାଇସି ନିୟମ ବାଧ୍ୟତାମୂଳକ କରିଛନ୍ତି ।










