22.1 C
Bhubaneswar
Saturday, February 7, 2026
Homeଓଡିଶା୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ନିନ୍ଦନୀୟ: ବିଜେଡି

୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରୁ, ୬୦ ବର୍ଷ ଛୁଇଁଥିବା ପ୍ରାୟ ୯୩, ୭୯୨ ଜଣ ମହିଳା ବାଦ ପଡିବେ ବୋଲି ସ୍ପଷ୍ଟ ହୋଇଥିବା ବେଳେ ସେମାନେ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରି ପାରିବେ ବୋଲି ସରକାରଙ୍କ ତରଫରୁ ଦିଆଯାଇଥିବା ମନ୍ତବ୍ୟ ବାସ୍ତବିକ କଟା ଘା’ରେ ଚୂନ ଲଗାଇବା ସଦୃଶ୍ୟ ବୋଲି ବିଜୁ ଜନତା ଦଳ କହିଛି। ଦଳ ତରଫରୁ ଜାରି କରାଯାଇଥିବା ଏକ ବିବୃତିରେ, ଦଳର ଗଣମାଧମ ସଂଯୋଜକ ତଥା ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ନିର୍ବାଚନ ସମୟରେ ବିଜେପି ତା’ର ଇସ୍ତାହାରରେ, ସୁଭଦ୍ରା ଯୋଜନା ମାଧ୍ୟମରେ, ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଜେପି କ୍ଷମତାକୁ ଆସିବା ପରେ, ପ୍ରତ୍ୟେକ ମହିଳାଙ୍କୁ ନଦେଇ କେବଳ ୨୧ରୁ ୬୦ ବର୍ଷର ଆର୍ଥିକ ଅନଗ୍ରସର ମହିଳାଙ୍କୁ, ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏହାଛଡା, ୨ ବର୍ଷରେ ୫୦ ହଜାର ଦେବା ପରିବର୍ତ୍ତେ, ପାଞ୍ଚବର୍ଷରେ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା ବେଳେ କେଉଁ କାରଣ ପାଇଁ ଏହା କେବଳ ୨୧ ରୁ ୬୦ବର୍ଷର ମହିଳାଙ୍କୁ ଦିଆଯିବ ବୋଲି ବିଜେଡି ତରଫରୁ ପ୍ରଶ୍ନ କରାଯାଇଥିଲା।

ଏବେ, ୬୦ ବର୍ଷ ଛୁଇଁଥିବା ପ୍ରାୟ ୯୩, ୭୯୨ ଜଣ ମହିଳା ସୁଭଦ୍ରା ଯୋଜନାରୁ ବାଦ ପଡିବେ ବୋଲି ସ୍ପଷ୍ଟ ହୋଇଛି। ଏମାନେ ଏବେ ସୁଦ୍ଧା ମାତ୍ର ଦୁଇଟି କିସ୍ତି ପାଇଛନ୍ତି। ପ୍ରଶ୍ନ ଉଠୁଛି ଯେ, ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ସ୍ୱାବଲମ୍ବି କରାଯାଉଛି ବୋଲି ସରକାର ଦାବି କରୁଥିବା ବେଳେ ବାଦ ପଡ଼ିବାକୁ ଯାଉଥିବା ମହିଳା ମାନେ କ’ଣ ସ୍ୱାବଲମ୍ବି ହୋଇ ସାରିଲେଣି କି? ଏହାଛଡା, ବାଦ ପଡ଼ିଥିବା ମହିଳାମାନେ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରି ପାରିବେ ବୋଲି ଯାହା କୁହାଯାଇଛି, ତାହା ଗ୍ରହଣୀୟ ନୁହେଁ। କାରଣ, ସାମାଜିକ ସୁରକ୍ଷା ଯୋଜନାରେ ପୂର୍ବରୁ ପ୍ରାୟ ୬ ଲକ୍ଷ ଲୋକ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ତେଣୁ, ସୁଭଦ୍ରାରୁ ବାଦ ପଡୁଥିବା ହିତାଧିକାରୀଙ୍କୁ କେବେ ମିଳିବ, ସେନେଇ କିଛି ସ୍ପଷ୍ଟତା ନାହିଁ। କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ମହିଳା ମାନଙ୍କୁ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିବାକୁ କୁହାଯାଇଛି, ଯାହା ବାସ୍ତବରେ ସେମାନଙ୍କ କଟା ଘା’ରେ ଚୂନ ଲଗାଇବା ସଦୃଶ୍ୟ ହୋଇଛି ବୋଲି ଡ.ମହାନ୍ତି କହିଛନ୍ତି। ଡ. ମହାନ୍ତି ଆହୁରି କହିଥିଲେ, ନିଜର ପ୍ରତିଶ୍ରୁତି ରକ୍ଷାକରି, ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରନ୍ତୁ। ବୟସ ଦେଖାଇ ବାଦ ଦିଆଯିବା ପ୍ରକ୍ରିୟାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking